ବାରିପଦା: ବାପା ପାଖେ ଅଳି ଅଝଟ ହୁଅନ୍ତି ପିଲା। ବାପାଙ୍କ ମଧ୍ୟରେ ଥିବା ସମ୍ପର୍କ ଏକ ସ୍ନେହ ଓ ଆଦରର ପ୍ରତୀକ। ପିଲାମାନେ ନିଜର ସବୁ ଇଚ୍ଛା ଏବଂ ଅଳି ଅଝଟ କେବଳ ବାପାଙ୍କ ପାଖରେ ହିଁ ପ୍ରକାଶ କରିଥାନ୍ତି। କଥାରେ ଅଛି ବାପା ଥିଲେ ଭୟ ନାହିଁ। ହେଲେ ଏଠି ନିଜେ ବାପା ସାଜିଲା ଜହ୍ଲାଦ। କବାଟ ବନ୍ଦ କରି ୪ ବର୍ଷର ପୁଅକୁ ହାଣି ଦେଲା ବାପା। ରକ୍ତ ଜୁଡୁବୁଡ଼ ଅବସ୍ଥାରେ ଉଦ୍ଧାର ହେଲା ନାବାଳକର ମୃତଦେହ। ତେବେ ବାପା ପୁଅକୁ ହାଣିବା ପରେ ଘଟଣାସ୍ଥଳରେ ଫେରାର ହେବାକୁ ଉଦ୍ୟମ କରିଥିଲା। ହେଲେ ହତ୍ୟାକାରୀକୁ ଧରି ପୋଲିସ ଜିମା ଦେଇଛନ୍ତି ଗ୍ରାମବାସୀ। ଏଭଳି ଅଭାବନୀୟ ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ବ୍ଲକ ଶରତ ଥାନା ପୁରୁଣାପାଣି ଗ୍ରାମରେ।
ସୂଚନା ଅନୁସାରେ ଉକ୍ତ ପୁରୁଣାପାଣି ଗ୍ରାମର ସୋହନ ସିଂ ଶୁକ୍ରବାର ସକାଳେ ତାଙ୍କର ୪ ବର୍ଷର ପୁଅ ଦୁମ୍ବି ସିଂଙ୍କୁ କଟୁରିରେ ହାଣି ହତ୍ୟା କରିଛି। ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ଉଦଳା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ବେଳେ ସେଠାରେ ଡାକ୍ତର ମୃତ ଘୋଷଣା କରାଯାଇଥିଲା। ଶରତ ପୋଲିସ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ହତ୍ୟାକାରୀ ବାପା ସୋହନ ସିଂଙ୍କୁ ଗିରଫ କରିଛି। ଘରେ କେହି ନଥିବା ବେଳେ ସୋହନ ନିଜର ୪ ବର୍ଷର ପୁଅ ଦୁମ୍ବି ସିଂକୁ ଘର ଭିତରେ ପୂରାଇ କଟୁରିରେ ହାଣିଥିଲା।
କଟୁରିରେ ହାଣିବା ପରେ କବାଟ ବାହାର ପଟୁ ବନ୍ଦ କରିଦେଇଥିଲା। ତେବେ ଦୁମ୍ବିର ମାଆ ସୁକାନ୍ତି ଘରେ ପହଞ୍ଚିବା ପରେ କବାଟ ବନ୍ଦ ଥିବା ଦେଖି ତାଙ୍କ ପୁତୁରାଙ୍କୁ କହିଥିଲେ। ପୁତୁରା ଯାଇ କବାଟ ଖୋଲିବା ପରେ ଗୁରୁତର ଅବସ୍ଥାରେ ନାବାଳକ ଜଣକ ଘର ଭିତରେ ରକ୍ତ ଜୁଡୁବୁଡୁ ହୋଇ ପଡ଼ିଥିବାର ଦେଖି ପୁଅକୁ ଚିକିତ୍ସା ନିମନ୍ତେ ସଙ୍ଗେ ସଙ୍ଗେ ପ୍ରଥମେ ଶରତ ମେଡିକାଲ ଏବଂ ପରେ ଉଦଳା ମେଡିକାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ କାର୍ଯ୍ୟରତ ଡାକ୍ତର ତାକୁ ମୃତ୍ୟୁ ଘୋଷଣା କରିଥିଲେ। ଦୁଇ ସପ୍ତାହ ହେଲା ସ୍ୱାମୀଙ୍କ ମାନସିକ ବିକୃତି ହୋଇଥିବା କହିଛନ୍ତି ସ୍ତ୍ରୀ ସୁକାନ୍ତି।