Latest Odisha News

BREAKING NEWS

Wangchuk’s Hunger strike: ଦିନେ ଅନଶନ କରିଥିଲେ ବାପା, ବୁଝାଇବାକୁ ପହଞ୍ଚିଥିଲେ ପିଏମ୍ ଇନ୍ଦିରା ଗାନ୍ଧୀ, ୪୨ ବର୍ଷ ପରେ ପିଲାଙ୍କ ଭବିଷ୍ୟତ ପାଇଁ ଅନଶନରେ ପୁଅ ସୋନମ ୱାଙ୍ଗଚୁକ…

ନୂଆଦିଲ୍ଲୀ: ଲଦାଖର ପରିବେଶବିତ୍ ଓ ସାମାଜିକ କର୍ମୀ ସୋନମ ୱାଙ୍ଗଚୁକଙ୍କ ୨୧ ଦିନିଆ ଅନିର୍ଦ୍ଦିଷ୍ଟକାଳୀନ ଅନଶନ ଦେଶବ୍ୟାପୀ ଚର୍ଚ୍ଚାର ବିଷୟ ପାଲଟିଛି। ଦିଲ୍ଲୀର ଜନ୍ତର-ମନ୍ତରରୁ ତାଙ୍କୁ ପୋଲିସ ହସ୍ପିଟାଲକୁ ନେବା ପରେ ତାଙ୍କ ପରିବାରର ଏକ ଐତିହାସିକ ଅଧ୍ୟାୟ ପୁଣିଥରେ ସାମ୍ନାକୁ ଆସିଛି। ବର୍ତ୍ତମାନର ଏହି ଅନଶନ ସହ ୧୯୮୪ ମସିହାର ଏକ ଘଟଣାର ଆଶ୍ଚର୍ଯ୍ୟଜନକ ସମ୍ପର୍କ ରହିଛି।

ସୋନମ ୱାଙ୍ଗଚୁକଙ୍କ ବାପା ସୋନମ ୱାଙ୍ଗୟାଲ ମଧ୍ୟ ୧୯୮୪ରେ ଲଦାଖର ଲୋକଙ୍କୁ ଅନୁସୂଚିତ ଜନଜାତି (ST) ମାନ୍ୟତା ଦେବା ଦାବିରେ ଅନଶନରେ ବସିଥିଲେ। ସେହି ସମୟରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ଲେହ୍ ଗସ୍ତ କରି ଦାବି ପ୍ରତି ସମର୍ଥନର ଆଶ୍ୱାସନ ଦେଇଥିଲେ। ପରେ ଅନଶନ ଭଙ୍ଗ ହୋଇଥିଲା । ଯଦିଓ ତୁରନ୍ତ ସମାଧାନ ହୋଇନଥିଲା, ୧୯୮୯ରେ ସମ୍ବିଧାନର ଅନୁଚ୍ଛେଦ ୩୪୨ ଅନୁସାରେ ଜାରି ହୋଇଥିବା ଜମ୍ମୁ-କଶ୍ମୀର ଅନୁସୂଚିତ ଜନଜାତି ଆଦେଶ ମାଧ୍ୟମରେ ବାଲ୍ଟି, ବେଦା, ବୋଟ/ବୋଟୋ, ବ୍ରୋକ୍ପା, ଚାଙ୍ଗପା, ଗାରା, ମୋନ୍ ଓ ପୁରିଗପା ସମେତ ୮ଟି ସମୁଦାୟକୁ ST ମାନ୍ୟତା ମିଳିଥିଲା।

ସୋନମ ୱାଙ୍ଗୟାଲ କେବଳ ରାଜନେତା ନୁହେଁ, ସେ ଜଣେ ପ୍ରସିଦ୍ଧ ପର୍ବତାରୋହୀ ମଧ୍ୟ ଥିଲେ। ୧୯୬୫ରେ ମାତ୍ର ୨୩ ବର୍ଷ ବୟସରେ ସେ ଏଭରେଷ୍ଟ ଶୃଙ୍ଗ ଆରୋହଣ କରି ସେତେବେଳେ ସର୍ବକନିଷ୍ଠ ପର୍ବତାରୋହୀ ଭାବେ ଇତିହାସ ସୃଷ୍ଟି କରିଥିଲେ। ପରେ ସେ ଜମ୍ମୁ-କଶ୍ମୀର ବିଧାନ ପରିଷଦ ସଦସ୍ୟ, ବିଧାୟକ ଏବଂ ମନ୍ତ୍ରୀ ଭାବେ ମଧ୍ୟ କାର୍ଯ୍ୟ କରିଥିଲେ।

ଅନ୍ୟପଟେ, ସୋନମ ୱାଙ୍ଗଚୁକ ବର୍ତ୍ତମାନ ଜନ୍ତର-ମନ୍ତରରେ ପରୀକ୍ଷା ବ୍ୟବସ୍ଥାରେ ସଂସ୍କାର, NEET ଅନିୟମିତତାର ତଦନ୍ତ ଓ ଛାତ୍ରମାନଙ୍କ ସମସ୍ୟାକୁ ନେଇ ଚାଲିଥିବା ବିକ୍ଷୋଭକୁ ସମର୍ଥନ କରି ଅନଶନରେ ବସିଥିଲେ। ସ୍ୱାସ୍ଥ୍ୟାବସ୍ଥା ଅବନତି ହେବା ପରେ ଦିଲ୍ଲୀ ପୋଲିସ ତାଙ୍କୁ ସଫଦରଜଙ୍ଗ ହସ୍ପିଟାଲରେ ଭର୍ତ୍ତି କରିଛି।

ବାପା ଲଦାଖର ଅଧିକାର ପାଇଁ ନିଜ ଶରୀରକୁ ଅସ୍ତ୍ର କରିଥିଲେ। ଚାରି ଦଶନ୍ଧି ପରେ ପୁଅ ସୋନମ ୱାଙ୍ଗଚୁକ ମଧ୍ୟ ଛାତ୍ର ଓ ଶିକ୍ଷା ବ୍ୟବସ୍ଥାର ସଂସ୍କାର ପାଇଁ ସେହି ଅହିଂସାର ପଥକୁ ବାଛିଛନ୍ତି। ବାପା ଓ ପୁଅଙ୍କ ଏହି ଦୁଇଟି ଅନଶନ ମଧ୍ୟରେ ରହିଛି ଲୋକଙ୍କ ଅଧିକାର ପାଇଁ ସଂଘର୍ଷର ଏକ ଦୀର୍ଘ ଇତିହାସ।

Leave A Reply

Your email address will not be published.