Latest Odisha News

BREAKING NEWS

ପୁରୀରୁ ଚୋରି ହୋଇଥିଲା, ଭୁବନେଶ୍ୱରରେ ମିଳିଲା: ପ୍ରକୃତ ମାଲିକଙ୍କୁ ୩୦୦ରୁ ଊର୍ଦ୍ଧ୍ୱ ମୋବାଇଲ୍ ଫେରାଇଲା ପୋଲିସ

ଭୁବନେଶ୍ୱର: ପୁରୀରେ ଗହଳିର ସୁଯୋଗ ନେଇ ଲୁଟେରାମାନେ ଲୁଟି ନେଇଥିଲେ ମୋବାଇଲ୍ ଫୋନ୍। ଆଉ ନିଜର ଦାମିକିଆ ଫୋନ୍ ହରାଇ ନିରାଶ ହୋଇପଡ଼ିଥିଲେ ଶ୍ରଦ୍ଧାଳୁ ଓ ପର୍ଯ୍ୟଟକ। କିନ୍ତୁ ଏବେ ସେହି ହଜିଲା ମୋବାଇଲ୍ ନିଜ ପ୍ରକୃତ ମାଲିକଙ୍କ ହାତକୁ ଫେରିଛି। ପୋଲିସର ତତ୍ପରତା ଓ କଡ଼ା କାର୍ଯ୍ୟାନୁଷ୍ଠାନ ଫଳରେ ପୁରୀରୁ ବିଭିନ୍ନ ସମୟରେ ଚୋରି ହୋଇଥିବା ୩୦୦ରୁ ଊର୍ଦ୍ଧ୍ୱ ମୋବାଇଲ୍ ଫୋନ୍‌କୁ ଉଦ୍ଧାର କରାଯାଇ ଭୁବନେଶ୍ୱର ଠାରେ ହସ୍ତାନ୍ତର କରାଯାଇଛି।

 

ମିଳିଥିବା ସୂଚନା ଅନୁଯାୟୀ, ରଥଯାତ୍ରା ସମେତ ବିଭିନ୍ନ ପର୍ବପର୍ବାଣିରେ ପୁରୀରେ ହେଉଥିବା ପ୍ରବଳ ଜନଗହଳିର ଫାଇଦା ଉଠାଇ ଏକାଧିକ ଲୁଟେରା ଗ୍ୟାଙ୍ଗ ସକ୍ରିୟ ହୋଇଥିଲେ। ଦର୍ଶନ ପାଇଁ ଆସୁଥିବା ଶ୍ରଦ୍ଧାଳୁଙ୍କୁ ଟାର୍ଗେଟ କରି ସେମାନେ ଅତି ଚାଲାକିର ସହ ଶତାଧିକ ମୋବାଇଲ୍ ଲୁଟ୍ କରିଥିଲେ। ଏ ନେଇ ବିଭିନ୍ନ ଥାନାରେ ଲଗାତାର ଅଭିଯୋଗ ହେବା ପରେ ପୋଲିସ ପ୍ରଶାସନ ଆଲର୍ଟ ମୋଡ୍‌କୁ ଆସିଥିଲା। ଅଭିଯୁକ୍ତଙ୍କୁ ଧରିବା ପାଇଁ ପୋଲିସ ପକ୍ଷରୁ ସ୍ୱତନ୍ତ୍ର ସ୍କ୍ୱାର୍ଡ ଗଠନ କରାଯାଇ ତଦନ୍ତ ଆରମ୍ଭ କରାଯାଇଥିଲା। ସାଇବର ସେଲ୍ ଏବଂ ଟେକ୍ନିକାଲ୍ ଟିମ୍‌ର ସହାୟତାରେ ଆଇଏମଇଆଇ ନମ୍ବର ଟ୍ରାକ୍ କରାଯାଇ ଚୋରି ମୋବାଇଲ୍ ଗୁଡ଼ିକର ଲୋକେସନ୍ ଠାବ କରିବାରେ ପୋଲିସ ସଫଳ ହୋଇଥିଲା।

 

ସ୍ୱତନ୍ତ୍ର ଅପରେସନ୍ ମାଧ୍ୟମରେ ପୋଲିସ ରାଜ୍ୟର ବିଭିନ୍ନ ସ୍ଥାନରୁ ବିପୁଳ ପରିମାଣର ଲୁଟ୍ ମୋବାଇଲ୍ ଉଦ୍ଧାର କରିଥିଲା। ଉଦ୍ଧାର ହୋଇଥିବା ମୋବାଇଲ୍ ଗୁଡ଼ିକ ମଧ୍ୟରୁ ୩୦୦ରୁ ଅଧିକ ଫୋନ୍‌ର ପ୍ରକୃତ ମାଲିକଙ୍କୁ ଚିହ୍ନଟ କରାଯାଇ ସେମାନଙ୍କୁ ଯୋଗାଯୋଗ କରାଯାଇଥିଲା। ସୋମବାର ଦିନ ଭୁବନେଶ୍ୱରରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ପୋଲିସ ଅଧିକାରୀମାନଙ୍କ ଉପସ୍ଥିତିରେ ଆବଶ୍ୟକୀୟ କାଗଜପତ୍ର ଯାଞ୍ଚ ପ୍ରକ୍ରିୟା ଶେଷ ହେବା ପରେ ଏହି ସମସ୍ତ ମୋବାଇଲ୍‌କୁ ତାର ପ୍ରକୃତ ମାଲିକମାନଙ୍କୁ ଫେରାଇ ଦିଆଯାଇଛି।

 

ଦୀର୍ଘ ଦିନ ପରେ ନିଜର ହଜିଯାଇଥିବା ଫୋନ୍ ସୁରକ୍ଷିତ ଅବସ୍ଥାରେ ଫେରିପାଇବା ପରେ ଲୋକଙ୍କ ମୁହଁରେ ଖୁସି ଦେଖିବାକୁ ମିଳିଥିଲା ଏବଂ ସେମାନେ ଓଡ଼ିଶା ପୋଲିସର ଏହି ପ୍ରଶଂସନୀୟ କାର୍ଯ୍ୟ ପାଇଁ କୃତଜ୍ଞତା ଜଣାଇଥିଲେ।

 

ଜନଗହଳିପୂର୍ଣ୍ଣ ସ୍ଥାନ, ବସ୍ ଷ୍ଟାଣ୍ଡ ଓ ରେଳ ଷ୍ଟେସନରେ ନିଜର ବହୁମୂଲ୍ୟ ସାମଗ୍ରୀ ଏବଂ ମୋବାଇଲ୍ ପ୍ରତି ଅଧିକ ସତର୍କ ରହିବାକୁ ପୋଲିସ ପକ୍ଷରୁ ନିବେଦନ କରାଯାଇଛି। ଏହା ସହ ରାଜ୍ୟ ବାହାରୁ ଆସି ମୋବାଇଲ୍ ଚୋରି କରୁଥିବା ଆନ୍ତଃରାଜ୍ୟ ରାକେଟ୍‌ର ଚେର ଖୋଜିବା ପାଇଁ ପୋଲିସର ଖୋଳତାଡ଼ ଏବେ ବି ଜାରି ରହିଛି।

Leave A Reply

Your email address will not be published.