Latest Odisha News

BREAKING NEWS

ସ୍ୱାମୀ ଲକ୍ଷ୍ମଣାନନ୍ଦ ହତ୍ୟାକାଣ୍ଡର ସିବିଆଇ ତଦନ୍ତ ଦାବି କଲା ବିଶ୍ୱହିନ୍ଦୁ ପରିଷଦ

ଭୁବନେଶ୍ୱର: ସ୍ୱାମୀ ଲକ୍ଷ୍ମଣାନନ୍ଦ ହତ୍ୟାକାଣ୍ଡର ସିବିଆଇ ତଦନ୍ତ ଦାବି କଲା ବିଶ୍ୱହିନ୍ଦୁ ପରିଷଦ। ଏଥିସହିତ ନିଖୋଜ କମିଶନ ରିପୋର୍ଟ ସାର୍ବଜନୀନ କରିବାକୁ ଦାବି କରାଯାଇଛି।

କନ୍ଧମାଳରେ ୨୦୦୮ ମସିହାରେ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀ ଓ ତାଙ୍କର ଚାରିଜଣ ଶିଷ୍ୟଙ୍କ ହତ୍ୟା ଘଟଣାର ତଦନ୍ତ ପାଇଁ କେନ୍ଦ୍ରୀୟ ଅନୁସନ୍ଧାନ ବ୍ୟୁରୋ (ସିବିଆଇ) ଦ୍ୱାରା ନିରପେକ୍ଷ ତଦନ୍ତ କରାଯିବା ସହ ନିଖୋଜ ହୋଇଥିବା ନ୍ୟାୟମୂର୍ତ୍ତି ଏ.ଏସ୍. ନାଇଡୁ କମିଶନଙ୍କ ରିପୋର୍ଟକୁ ସାର୍ବଜନୀନ କରିବାକୁ ବିଶ୍ୱ ହିନ୍ଦୁ ପରିଷଦ (ଭିଏଚପି) ଦାବି କରିଛି। ଏଥିସହ ଓଡ଼ିଶାରେ ଧର୍ମାନ୍ତରଣ( religious conversion) ଉପରେ ସମ୍ପୂର୍ଣ୍ଣ ନିଷେଧାଜ୍ଞା ଲାଗୁ କରିବାକୁ ମଧ୍ୟ ସଂଗଠନ ଦାବି କରିଛି।

ନୂଆଦିଲ୍ଲୀରେ ଜୁଲାଇ ୨୦ ତାରିଖରେ ଶେଷ ହୋଇଥିବା ଭିଏଚପିର ଦୁଇଦିନିଆ କେନ୍ଦ୍ରୀୟ ପରିଚାଳନା ସମିତି ବୈଠକରେ ଏନେଇ ଏକ ପ୍ରସ୍ତାବ ସର୍ବସମ୍ମତିକ୍ରମେ ଗ୍ରହଣ କରାଯାଇଥିଲା। ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀ ଦୀର୍ଘ ଦଶନ୍ଧି ଧରି କନ୍ଧମାଳର ଆଦିବାସୀ ଅଞ୍ଚଳରେ ସାମାଜିକ ଓ ଧାର୍ମିକ କାର୍ଯ୍ୟ କରୁଥିଲେ। ୨୦୦୮ ଅଗଷ୍ଟ ୨୩ରେ କନ୍ଧମାଳ ଜିଲ୍ଲାର ଜଳେଶପଟା ଆଶ୍ରମରେ ତାଙ୍କ ସହ ଚାରିଜଣ ସହଯୋଗୀଙ୍କୁ ହତ୍ୟା କରାଯାଇଥିଲା। ଏହି ଘଟଣା ପରେ କନ୍ଧମାଳରେ ବ୍ୟାପକ ସାମ୍ପ୍ରଦାୟିକ ହିଂସା ଘଟିଥିଲା। ଏଥିରେ ଅନେକ ଲୋକଙ୍କ ଜୀବନହାନି ଘଟିବା ସହ ବହୁ ପରିବାର ବିସ୍ଥାପିତ ହୋଇଥିଲେ। ପରବର୍ତ୍ତୀ ସମୟରେ ୨୦୧୩ରେ ସେସନ୍ସ କୋର୍ଟ ଆଠଜଣଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ। ତେବେ ଏହି ହତ୍ୟାକାଣ୍ଡ ପଛରେ ଥିବା ସମ୍ଭାବ୍ୟ ବୃହତ୍ତର ଷଡ଼ଯନ୍ତ୍ରକୁ ନେଇ ପ୍ରଶ୍ନ ଏବେ ବି ଉଠୁଛି।

ଘଟଣାର ତଦନ୍ତ ପାଇଁ ଗଠିତ ନ୍ୟାୟମୂର୍ତ୍ତି ଏ.ଏସ୍. ନାଇଡୁ କମିଶନ ଦୁଇ ଖଣ୍ଡ ବିଶିଷ୍ଟ ପ୍ରାୟ ୧,୫୦୦ ପୃଷ୍ଠାର ରିପୋର୍ଟ ୨୦୧୫ ଡିସେମ୍ବରରେ ରାଜ୍ୟ ସରକାରଙ୍କୁ ଦାଖଲ କରିଥିଲେ। ଏହି ରିପୋର୍ଟରେ ଧର୍ମାନ୍ତରଣ, ନକ୍ସଲ କାର୍ଯ୍ୟକଳାପ, ସାମାଜିକ-ଆର୍ଥିକ ପରିସ୍ଥିତି ଏବଂ ଜାତିଗତ ତିକ୍ତତା ସମେତ ବିଭିନ୍ନ ପ୍ରସଙ୍ଗର ବିଶ୍ଳେଷଣ କରାଯାଇଥିବା କୁହାଯାଉଛି। କିନ୍ତୁ ଏହି ରିପୋର୍ଟ କେବେ ବି ସାର୍ବଜନୀନ କରାଯାଇନଥିଲା।

୨୦୨୪ରେ ରାଜ୍ୟରେ ସରକାର ପରିବର୍ତ୍ତନ ପରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଏହି ରିପୋର୍ଟ ନିଖୋଜ ହୋଇଥିବା ଜଣାପଡ଼ିଥିଲା। ଏନେଇ ଏଫ୍‌ଆଇଆର୍‌ ରୁଜୁ ହେବା ସହ ପୋଲିସ ତଦନ୍ତ ଆରମ୍ଭ କରିଥିଲା। ପରେ ରାଜ୍ୟ ସରକାର ସ୍ୱତନ୍ତ୍ର ତଦନ୍ତକାରୀ ଦଳ (ଏସ୍‌ଆଇଟି) ଗଠନ କରି ତଦନ୍ତ ଚଳାଇଛନ୍ତି। ତେବେ ଭିଏଚପିର ମତରେ ଏହି ସମ୍ବେଦନଶୀଳ ମାମଲାରେ ନିରପେକ୍ଷ ତଦନ୍ତ ସମ୍ଭବ କେବଳ ସିବିଆଇ ମାଧ୍ୟମରେ।

ଭିଏଚପି ଏହା ମଧ୍ୟ କହିଛି ଯେ, କନ୍ଧମାଳ ଭଳି ସମ୍ବେଦନଶୀଳ ଆଦିବାସୀ ଅଞ୍ଚଳରେ ଧର୍ମାନ୍ତରଣ ସାମାଜିକ ଅଶାନ୍ତିର ଏକ ପ୍ରମୁଖ କାରଣ ବୋଲି ସଂଗଠନ ଦୀର୍ଘଦିନ ଧରି ଦାବି କରିଆସୁଛି। ତେଣୁ ଏହା ଉପରେ କଡ଼ା ଆଇନ ପ୍ରଣୟନ କରି ସମ୍ପୂର୍ଣ୍ଣ ରୋକ ଲଗାଇବାକୁ ସରକାରଙ୍କୁ ଦାବି କରାଯାଇଛି।ଏପଟେ ନିଖୋଜ କମିଶନ ରିପୋର୍ଟକୁ ନେଇ ରାଜ୍ୟର ରାଜନୀତିରେ ମଧ୍ୟ ଚର୍ଚ୍ଚା ଜୋର ଧରିଛି।

 

Leave A Reply

Your email address will not be published.