Latest Odisha News

BREAKING NEWS

ବଦଳିଲା ଆଞ୍ଚଳିକ ଶିକ୍ଷା ନିର୍ଦ୍ଦେଶାଳୟର ନାମ

ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ପକ୍ଷରୁ ଆଞ୍ଚଳିକ ଶିକ୍ଷା ବ୍ୟବସ୍ଥାରେ ଏକ ପ୍ରଶାସନିକ ପରିବର୍ତ୍ତନ କରାଯାଇଛି। ରାଜ୍ୟ ସରକାର ସ୍କୁଲ ଓ ଗଣଶିକ୍ଷା ବିଭାଗ ଅଧୀନରେ କାର୍ଯ୍ୟରତ ‘ଆଞ୍ଚଳିକ ଶିକ୍ଷା ନିର୍ଦ୍ଦେଶାଳୟ (Regional Directorate of Education)’ର ନାମ ପରିବର୍ତ୍ତନ କରି ‘ଆଞ୍ଚଳିକ ସ୍କୁଲ ଶିକ୍ଷା ନିର୍ଦ୍ଦେଶାଳୟ (Regional Directorate of School Education)’ ଭାବେ ନାମକରଣ କରାଯାଇଛି। ଏହା ସହ ‘ଆଞ୍ଚଳିକ ଶିକ୍ଷା ନିର୍ଦ୍ଦେଶକ (Regional Director of Education)’ ପଦବୀର ନାମ ମଧ୍ୟ ପରିବର୍ତ୍ତନ କରାଯାଇ ‘ଆଞ୍ଚଳିକ ସ୍କୁଲ ଶିକ୍ଷା ନିର୍ଦ୍ଦେଶକ (Regional Director of School Education)’ କରାଯାଇଛି। ଏନେଇ ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି।

ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁଯାୟୀ, ଭୁବନେଶ୍ୱର, ସମ୍ବଲପୁର ଓ ବ୍ରହ୍ମପୁରସ୍ଥିତ ବର୍ତ୍ତମାନର ଆଞ୍ଚଳିକ ଶିକ୍ଷା ନିର୍ଦ୍ଦେଶାଳୟଗୁଡ଼ିକ ଏଣିକି ‘ଆଞ୍ଚଳିକ ସ୍କୁଲ ଶିକ୍ଷା ନିର୍ଦ୍ଦେଶାଳୟ’ ଭାବେ ପରିଚିତ ହେବ। ଏହି ନାମ ପରିବର୍ତ୍ତନ ତୁରନ୍ତ କାର୍ଯ୍ୟକାରୀ ହେବ ଏବଂ ସରକାରୀ ରେକର୍ଡ, ବିଜ୍ଞପ୍ତି, ଆଦେଶ, ନିୟମାବଳୀ, ମାନୁଆଲ, ସେବା ପଞ୍ଜି, ସରକାରୀ ଚିଠିପତ୍ର ସମେତ ସମସ୍ତ ସରକାରୀ ଦସ୍ତାବିଜରେ ନୂଆ ନାମ ବ୍ୟବହାର କରାଯିବ।

ସରକାର ସ୍ପଷ୍ଟ କରିଛନ୍ତି ଯେ, କେବଳ ନାମ ପରିବର୍ତ୍ତନ କରାଯାଇଥିବାବେଳେ ସମ୍ପୃକ୍ତ କାର୍ଯ୍ୟାଳୟ କିମ୍ବା ପଦବୀର କ୍ଷମତା, ଦାୟିତ୍ୱ, କାର୍ଯ୍ୟ ପରିସୀମା, ପ୍ରଶାସନିକ ଅଧିକାର, ସେବା ସର୍ତ୍ତ, ଜ୍ୟେଷ୍ଠତା, ବେତନ, ଭତ୍ତା କିମ୍ବା ଅନ୍ୟାନ୍ୟ ସୁବିଧାରେ କୌଣସି ପରିବର୍ତ୍ତନ ହେବ ନାହିଁ। ବର୍ତ୍ତମାନ ପ୍ରଚଳିତ ଆଇନ, ନିୟମ, ବିଜ୍ଞପ୍ତି, ସରକାରୀ ଆଦେଶ କିମ୍ବା ନିର୍ଦ୍ଦେଶାବଳୀରେ ଉଲ୍ଲେଖ ଥିବା ‘ଆଞ୍ଚଳିକ ଶିକ୍ଷା ନିର୍ଦ୍ଦେଶାଳୟ’କୁ ଏଣିକି ‘ଆଞ୍ଚଳିକ ସ୍କୁଲ ଶିକ୍ଷା ନିର୍ଦ୍ଦେଶାଳୟ’ ଭାବେ ବିବେଚନା କରାଯିବ।

ଏହି ବିଜ୍ଞପ୍ତି ପ୍ରକାଶ ପାଇବା ସହିତ ତୁରନ୍ତ କାର୍ଯ୍ୟକାରୀ ହୋଇଛି। ସରକାର ଏହାକୁ ଓଡ଼ିଶା ଗେଜେଟର ସ୍ୱତନ୍ତ୍ର ସଂଖ୍ୟାରେ ପ୍ରକାଶ କରିବା ସହ ସମସ୍ତ ବିଭାଗ, ଜିଲ୍ଲାପାଳ, ଜିଲ୍ଲା ଶିକ୍ଷା ଅଧିକାରୀ (DEO), ବ୍ଲକ ଶିକ୍ଷା ଅଧିକାରୀ (BEO) ଓ ସମ୍ପୃକ୍ତ କାର୍ଯ୍ୟାଳୟଗୁଡ଼ିକୁ ଏହି ପରିବର୍ତ୍ତନ ସମ୍ପର୍କରେ ଅବଗତ କରାଇଛନ୍ତି।

Leave A Reply

Your email address will not be published.