Latest Odisha News

BREAKING NEWS

ଏଣିକି ଆଧୁନିକ ହେବ ଓଡ଼ିଶାର କାରାଗାର, କଏଦୀଙ୍କୁ ଜଗିବ ଏଆଇ କ୍ୟାମେରା

ଭୁବନେଶ୍ୱର: ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ କାରାଗାର ବିକାଶ ବୋର୍ଡର ଚତୁର୍ଥ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ରାଜ୍ୟରେ ଥିବା କାରାଗାରଗୁଡ଼ିକର ସୁରକ୍ଷା ବ୍ୟବସ୍ଥାର
ଆଧୁନିକୀକରଣ ଓ ଅନ୍ତେବାସୀଙ୍କ କଲ୍ୟାଣ ପାଇଁ ସରକାରଙ୍କ ପକ୍ଷରୁ ନିଆଯାଇଥିବା ବିଭିନ୍ନ ପଦକ୍ଷେପର ସମୀକ୍ଷା କରିଛନ୍ତି। କାରାଗାର ସୁରକ୍ଷାରେ ହେବ ବଡ଼ ପରିବର୍ତ୍ତନ । ଜେଲରେ ଏଆଇ ସିସିଟିଭି ନଜର ରଖିବ । ଭୁବନେଶ୍ୱରରେ ହେବ ମଡେଲ ଜେଲ ପ୍ରତିଷ୍ଠା । ଜେଲରେ ଯୋଗ, ଦକ୍ଷତା ଓ ପୁନର୍ବାସକୁ ଗୁରୁତ୍ବ । କଏଦୀଙ୍କ କଲ୍ୟାଣକୁ ଗୁରୁତ୍ୱ ରହିବ ।

କାରାଗାର ସୁରକ୍ଷା ବ୍ୟବସ୍ଥାକୁ ସୁଦୃଢ଼ କରିବା ପାଇଁ ୨୦ଟି ଜେଲରେ କୃତ୍ରିମ ବୁଦ୍ଧିମତ୍ତା (ଏଆଇ) ଆଧାରିତ ସିସିଟିଭି ବ୍ୟବସ୍ଥା, ଡ୍ରୋନ୍, ବଡି-ୱର୍ଣ୍ଣ କ୍ୟାମେରା, ହ୍ୟାଣ୍ଡହେଲ୍ଡ ଏବଂ ଡୋର୍ ଫ୍ରେମ୍ ମେଟାଲ ଡିଟେକ୍ଟର, ଡିପ୍ ସର୍ଚ୍ଚ ମେଟାଲ ଡିଟେକ୍ଟର ଓ ଅନ୍ୟାନ୍ୟ ଆଧୁନିକ ଉପକରଣ ବ୍ୟବହାର ଉପରେ ଗୁରୁତ୍ୱ ଦିଆଯାଇଛି । ଜେଲର ପାଚେରୀର ଉଚ୍ଚତା ବୃଦ୍ଧି ସହ ତାର ଲଗାଇବା ଏବଂ ନିୟମିତ ସୁରକ୍ଷା ଯାଞ୍ଚ କରିବାକୁ ମଧ୍ୟ ନିଷ୍ପତ୍ତି ହୋଇଛି ।

ଏହାସହ କାରାଗାରରେ ଗୁଇନ୍ଦା ୟୁନିଟ୍‍ ଗଠନ ଏବଂ କର୍ତ୍ତବ୍ୟରେ ଅବହେଳା କ୍ଷେତ୍ରରେ କଠୋର ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଉପରେ ଗୁରୁତ୍ୱ ଦିଆଯାଇଥିଲା । ଅନ୍ତେବାସୀଙ୍କ ଜୀବନଧାରଣ ମାନର ଉନ୍ନତି ଏବଂ ମୁକ୍ତି ପରେ ସେମାନଙ୍କୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ ପାଇଁ ନିଆଯାଉଥିବା
ବିଭିନ୍ନ ପଦକ୍ଷେପ ଉପରେ ମଧ୍ୟ ଆଲୋଚନା ହୋଇଥିଲା ।

କଏଦୀଙ୍କ ପୁନର୍ବାସ ଓ କଲ୍ୟାଣକୁ ଗୁରୁତ୍ୱ ଦେଇ ରାଜ୍ୟର ୭୪ଟି ଜେଲରେ ୧୧୮ ଜଣ ଯୋଗ ପ୍ରଶିକ୍ଷକ ଏବଂ ୩୬ଟି ଜେଲରେ ୬୧ ଜଣ ମାନସିକ ସ୍ୱାସ୍ଥ୍ୟ ପରାମର୍ଶଦାତା ନିଯୁକ୍ତ କରାଯାଇଛି । ଏହାସହ ୯୬ଟି କ୍ଷୁଦ୍ର ଶିଳ୍ପ ସ୍ଥାପନ କରାଯାଇଥିବାବେଳେ ୨୦୨୫ ମସିହାରେ ୧,୬୩୬ ଜଣ କଏଦୀଙ୍କୁ ବୃତ୍ତିଗତ ଓ ଦକ୍ଷତା ବିକାଶ ପ୍ରଶିକ୍ଷଣ ଦିଆଯାଇଛି। ଜାମୁଝରି ମୁକ୍ତାକାଶ କାରାଗାରରେ ଔଷଧୀୟ ବୃକ୍ଷରୋପଣ ପ୍ରକଳ୍ପ ଆରମ୍ଭ ହୋଇଥିବାବେଳେ କାରାଗାରରେ ପ୍ରସ୍ତୁତ ସାମଗ୍ରୀର ବ୍ରାଣ୍ଡିଂ ଓ ମାନକୀକରଣ ଉପରେ ମଧ୍ୟ ପଦକ୍ଷେପ ନିଆଯାଇଛି ।

ସେହିପରି ଉଚ୍ଚ ନ୍ୟାୟାଳୟରେ ୨,୪୧୮ଟି ଓ ସର୍ବୋଚ୍ଚ ନ୍ୟାୟାଳୟରେ ୨୫୬ଟି ଆବେଦନ ଦାଖଲ କରାଯାଇଛି । ବୈଠକରେ ଭୁବନେଶ୍ୱର, ଯାଜପୁର ଓ ଭଦ୍ରକରେ ନୂତନ ମଡେଲ ଜେଲ ନିର୍ମାଣ, କଏଦୀଙ୍କ ଖାଦ୍ୟ, ପାନୀୟ ଜଳ, ମଜୁରି, ନିଶାମୁକ୍ତି କେନ୍ଦ୍ରର ସୁବିଧା ବୃଦ୍ଧି, କଟକ ଚୌଦ୍ୱାର ଜେଲରେ ମାନସିକ ସ୍ୱାସ୍ଥ୍ୟ ପ୍ରତିଷ୍ଠାନ ସ୍ଥାପନ ଏବଂ ଅଧିକ ମୁକ୍ତ କାରାଗାର ଖୋଲିବା ପ୍ରସ୍ତାବ ଉପରେ ଆଲୋଚନା ହୋଇଥିଲା । କାରାଗାରକୁ କେବଳ ଦଣ୍ଡର ସ୍ଥାନ ନୁହେଁ, ବରଂ ସଂସ୍କାର ଓ ପୁନର୍ବାସର କେନ୍ଦ୍ରରେ ପରିଣତ କରିବା ଦିଗରେ ରାଜ୍ୟ ସରକାରଙ୍କ ଉଦ୍ୟମକୁ ବୈଠକରେ ଗୁରୁତ୍ୱ ଦିଆଯାଇଛି ।

Leave A Reply

Your email address will not be published.