Latest Odisha News

BREAKING NEWS

ଟେକ୍ନିକାଲ୍ ତ୍ରୁଟି ଦେଖାଇ ଇନସ୍ୟୁରାନ୍ସ କମ୍ପାନୀ କରୁଥିଲା ଠକେଇ: ଗ୍ରାହକଙ୍କୁ ୭ ଲକ୍ଷ ଟଙ୍କା ଫେରାଇବାକୁ କୋର୍ଟଙ୍କ କଡ଼ା ନିର୍ଦ୍ଦେଶ

କୋରାପୁଟ: ଗାଡ଼ିର ମାଲିକାନା ବଦଳିବାରେ ବିଳମ୍ବ ହେଲା ବୋଲି ଇନସ୍ୟୁରାନ୍ସ କମ୍ପାନୀ କ୍ଲେମ୍ ଦେବାକୁ ରୋକ୍‌ଠୋକ୍ ମନା କରିଦେଲା। ଅନ୍ୟପଟେ ନିଲାମରେ ଗାଡ଼ି ବିକିଥିବା ଫାଇନାନ୍ସ କମ୍ପାନୀ ମଧ୍ୟ ନିଜ ଆଡ଼ୁ କୌଣସି ସହଯୋଗ କଲା ନାହିଁ। କିନ୍ତୁ ଶେଷରେ ଜଣେ ସାଧାରଣ ଗ୍ରାହକଙ୍କ ସଂଘର୍ଷ ଆଗରେ ମୁଣ୍ଡ ନୁଆଁଇଛନ୍ତି ଏହି ଦୁଇ ବଡ଼ କମ୍ପାନୀ। ଟେକ୍ନିକାଲ୍ କାରଣ ଦର୍ଶାଇ ବୀମା ଟଙ୍କା ହଡ଼ପ କରିବାକୁ ବସିଥିବା ଏକ ଘରୋଇ ଫାଇନାନ୍ସ ଏବଂ ବୀମା କମ୍ପାନୀକୁ କୋରାପୁଟ ଜିଲ୍ଲା ଖାଉଟି ବିବାଦ ସମାଧାନ କମିଶନ କଡ଼ା ଝଟକା ଦେଇଛନ୍ତି। ପୀଡ଼ିତ ଗ୍ରାହକଙ୍କୁ ମୋଟ୍ ୭ ଲକ୍ଷ ଟଙ୍କାରୁ ଊର୍ଦ୍ଧ୍ୱ କ୍ଷତିପୂରଣ ପ୍ରଦାନ କରିବାକୁ କୋର୍ଟ ଉଭୟ ସଂସ୍ଥାକୁ କଡ଼ା ନିର୍ଦ୍ଦେଶ ଦେଇଛନ୍ତି।

 

ସୂଚନା ଅନୁଯାୟୀ, କୋଟପାଡ଼ ଅଞ୍ଚଳର ମନୀଷ କୁମାର ଗୁପ୍ତା ଏକ ଘରୋଇ ଏନବିଏଫସି (NBFC) ଫାଇନାନ୍ସ କମ୍ପାନୀ ପକ୍ଷରୁ କରାଯାଇଥିବା ନିଲାମ ପ୍ରକ୍ରିୟାରେ ଭାଗ ନେଇଥିଲେ। ପୂର୍ବ ମାଲିକ ଲୋନ୍ ନଶୁଝିବାରୁ ସିଜ୍ ହୋଇଥିବା ଏକ ପିକ୍‌ଅପ୍ ଭ୍ୟାନ୍‌କୁ ସେ ୧୦.୯୫ ଲକ୍ଷ ଟଙ୍କା ଦେଇ କିଣିଥିଲେ। ସମ୍ପୂର୍ଣ୍ଣ ଅର୍ଥ ପୈଠ କରିବା ସତ୍ତ୍ୱେ ଫାଇନାନ୍ସ କମ୍ପାନୀ ତାଙ୍କୁ ତୁରନ୍ତ ଏନ୍‌ଓସି (NOC) ଦେଇନଥିଲା କିମ୍ବା ରେଜିଷ୍ଟ୍ରେସନ୍ ଓ ବୀମା ନାମ ପରିବର୍ତ୍ତନ କରିନଥିଲା। ଏହି ଔପଚାରିକତା ଶେଷ ହେବା ପୂର୍ବରୁ, ଗତ ବର୍ଷ ଜୁଲାଇ ୧୪ ତାରିଖରେ ମନୀଷଙ୍କ ଘର ବାହାରେ ଛିଡ଼ା ହୋଇଥିବା ଉକ୍ତ ପିକ୍‌ଅପ୍ ଭ୍ୟାନ୍‌କୁ ଏକ ଟ୍ରକ୍ ଶକ୍ତ ଧକ୍କା ଦେଇଥିଲା। ଫଳରେ ଗାଡ଼ିଟି ସମ୍ପୂର୍ଣ୍ଣ ଭାଙ୍ଗିରୁଜି ଯାଇଥିଲା।

 

ଏହାପରେ ମନୀଷ ଇନସ୍ୟୁରାନ୍ସ କ୍ଲେମ୍ ପାଇଁ ଆବେଦନ କରିଥିଲେ। କିନ୍ତୁ ଗାଡ଼ି ତାଙ୍କ ନାମରେ ଏଯାଏଁ ପଞ୍ଜୀକୃତ ହୋଇନଥିବା କାରଣ ଦର୍ଶାଇ ବୀମା କମ୍ପାନୀ ଟଙ୍କା ଦେବାକୁ ଅସ୍ୱୀକାର କରିଥିଲା। ଏହା ବିରୋଧରେ ସେ କୋରାପୁଟ ଖାଉଟି ଅଦାଲତଙ୍କ ଦ୍ୱାରସ୍ଥ ହୋଇଥିଲେ। ଅଦାଲତର ସଭାପତି ପ୍ରଫୁଲ୍ଲ କୁମାର ପଣ୍ଡା ଏବଂ ସଦସ୍ୟା ସଲମା ବାନୁ ମାମଲାର ଶୁଣାଣି କରି ସ୍ପଷ୍ଟ କରିଥିଲେ ଯେ, କାଗଜପତ୍ର କାମରେ ହୋଇଥିବା ବିଳମ୍ବ ପାଇଁ ଫାଇନାନ୍ସ କମ୍ପାନୀ ଦାୟୀ, ଗ୍ରାହକ ନୁହନ୍ତି। ଗ୍ରାହକ ନିଲାମର ସମ୍ପୂର୍ଣ୍ଣ ଟଙ୍କା ଦେଇ ଗାଡ଼ି ନେଇସାରିଥିବାରୁ, କେବଳ ବୈଷୟିକ ତ୍ରୁଟି ଦେଖାଇ ଏକ ଉଚିତ୍ ବୀମା ରାଶିକୁ ଖାରଜ କରାଯାଇପାରିବ ନାହିଁ। ସୁପ୍ରିମକୋର୍ଟଙ୍କ ବିଭିନ୍ନ ରାୟକୁ ଆଧାର କରି କମିଶନ ଏହି ଐତିହାସିକ ରାୟ ଶୁଣାଇଥିଲେ।

 

କମିଶନଙ୍କ ନିର୍ଦ୍ଦେଶ ମୁତାବକ, ବୀମା କମ୍ପାନୀକୁ ୫.୮୨ ଲକ୍ଷ ଟଙ୍କା (ବାର୍ଷିକ ୬ ପ୍ରତିଶତ ସୁଧ ସହିତ) ଦେବାକୁ ପଡ଼ିବ। ସେହିପରି ଗ୍ରାହକଙ୍କୁ ହଇରାଣ ତଥା ମାନସିକ ନିର୍ଯାତନା ଦେଇଥିବାରୁ ଫାଇନାନ୍ସ କମ୍ପାନୀକୁ ୧ ଲକ୍ଷ ଟଙ୍କା ଏବଂ ମାମଲା ଖର୍ଚ୍ଚ ବାବଦକୁ ଆହୁରି ୨୫ ହଜାର ଟଙ୍କା କ୍ଷତିପୂରଣ ଦେବାକୁ ଆଦେଶ ହୋଇଛି। ଆଗାମୀ ୩୦ ଦିନ ଭିତରେ ଏହି ସମସ୍ତ ଅର୍ଥ ପ୍ରଦାନ ନକଲେ ୧୨ ପ୍ରତିଶତ ହାରରେ ସୁଧ ଲାଗୁ ହେବ ବୋଲି ଖାଉଟି ଅଦାଲତ ଚେତାବନୀ ଦେଇଛନ୍ତି।

Leave A Reply

Your email address will not be published.