ଭୁବନେଶ୍ୱର: ରାଜ୍ୟରେ ଚାଲିଥିବା ସ୍ୱତନ୍ତ୍ର ସଂକ୍ଷିପ୍ତ ଭୋଟର ତାଲିକା ସଂଶୋଧନ ବା ଏସଆଇଆର ପ୍ରକ୍ରିୟା ଏବେ ଜୋରଦାର ହୋଇଛି। ତ୍ରୁଟିଶୂନ୍ୟ ଭୋଟର ତାଲିକା ପ୍ରସ୍ତୁତ କରିବା ଲକ୍ଷ୍ୟରେ ନିର୍ବାଚନ କମିଶନଙ୍କ ପକ୍ଷରୁ ଓଡ଼ିଶାର ପ୍ରାୟ ୫୮ ଲକ୍ଷ ଭୋଟରଙ୍କୁ ନୋଟିସ ପଠାଯାଇଥିବା ଜଣାପଡ଼ିଛି। ଆସନ୍ତା ସେପ୍ଟେମ୍ବର ୬ ତାରିଖରେ ରାଜ୍ୟର ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ ପାଇବାକୁ ଥିବା ବେଳେ ଏବେ ଏହି ଯାଞ୍ଚ ଏବଂ ନୋଟିସ ପ୍ରକ୍ରିୟାକୁ ନେଇ ରାଜନୈତିକ ତଥା ସାଧାରଣ ମହଲରେ ଉତ୍କଣ୍ଠା ଦେଖାଦେଇଛି।
ସୂଚନା ଅନୁଯାୟୀ ଗତ ଜୁଲାଇ ୫ ତାରିଖରେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ପକ୍ଷରୁ ଚିଠା ଭୋଟର ତାଲିକା ପ୍ରକାଶ ପାଇଥିଲା। ଏହି ଚିଠା ତାଲିକାରୁ ରେକର୍ଡ ସଂଖ୍ୟକ ୨୦ ଲକ୍ଷ ୧୪ ହଜାର ଭୋଟରଙ୍କ ନାଁ କାଟି ଦିଆଯାଇଛି। ବାଦ ପଡ଼ିଥିବା ଭୋଟରଙ୍କ ମଧ୍ୟରେ ୮ ଲକ୍ଷ ୩୨ ହଜାର ମୃତ ବ୍ୟକ୍ତି ଥିବାବେଳେ ୧୦ ଲକ୍ଷ ୭ ହଜାର ସ୍ଥାନାନ୍ତରିତ ବା ଅନୁପସ୍ଥିତ ଭୋଟର ଏବଂ ୧ ଲକ୍ଷ ୫୮ ହଜାର ଦ୍ୱୈତ ବା ନକଲି ଭୋଟର ରହିଛନ୍ତି। ଏହାବ୍ୟତୀତ ଅନ୍ୟାନ୍ୟ କାରଣରୁ ପ୍ରାୟ ୧୪ ହଜାର ନାଁକୁ ମଧ୍ୟ ବାଦ ଦିଆଯାଇଛି।
ପୂର୍ବରୁ ରାଜ୍ୟରେ ମୋଟ ୩ କୋଟି ୩୩ ଲକ୍ଷ ୯୯ ହଜାର ୫୯୧ ଭୋଟର ଥିବାବେଳେ ଯାଞ୍ଚ ପ୍ରକ୍ରିୟାରେ ୩ କୋଟି ୧୩ ଲକ୍ଷରୁ ଅଧିକ ଲୋକ ନିଜର ଫର୍ମ ଦାଖଲ କରିଥିଲେ। ସଦ୍ୟ ପ୍ରକାଶିତ ଚିଠା ତାଲିକା ଅନୁଯାୟୀ ବର୍ତ୍ତମାନ ରାଜ୍ୟରେ ମୋଟ ୩ କୋଟି ୧୩ ଲକ୍ଷ ୮୭ ହଜାର ୩୪ ଜଣ ଭୋଟର ଅଛନ୍ତି। ସେଥିମଧ୍ୟରେ ୧ କୋଟି ୬୦ ଲକ୍ଷ ୧୯ ହଜାର ୧୭୬ ପୁରୁଷ ଥିବାବେଳେ ୧ କୋଟି ୫୩ ଲକ୍ଷ ୬୫ ହଜାର ୮୩ ମହିଳା ଏବଂ ୨୭୭୫ ଜଣ ତୃତୀୟ ଲିଙ୍ଗୀ ଭୋଟର ରହିଛନ୍ତି। ତେବେ ତ୍ରୁଟି ଓ ସନ୍ଦେହଜନକ ତଥ୍ୟକୁ ଆଧାର କରି ୫୮ ଲକ୍ଷ ଭୋଟରଙ୍କୁ ସ୍ପଷ୍ଟୀକରଣ ବା ଶୁଣାଣି ପାଇଁ ନୋଟିସ ଜାରି କରାଯିବା ଘଟଣା ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛି।
ନିର୍ବାଚନ କମିଶନଙ୍କ ସ୍ପଷ୍ଟ ନିର୍ଦ୍ଦେଶ ରହିଛି ଯେ କୌଣସି ଯୋଗ୍ୟ ଭୋଟର ଯେପରି ତାଲିକାରୁ ବାଦ ନପଡ଼ନ୍ତି ଏବଂ କୌଣସି ଅଯୋଗ୍ୟ ବ୍ୟକ୍ତି ଯେପରି ସାମିଲ ନରହନ୍ତି। ଯଦି କାହାର ନାଁ ଭୁଲବଶତଃ କଟିଯାଇଥାଏ କିମ୍ବା ଚିଠା ତାଲିକାକୁ ନେଇ କିଛି ଆପତ୍ତି ଅଭିଯୋଗ ଥାଏ ତେବେ ସେମାନେ ଆସନ୍ତା ଅଗଷ୍ଟ ୪ ତାରିଖ ସୁଦ୍ଧା ଆବେଦନ କରିପାରିବେ। ଆବଶ୍ୟକୀୟ ଶୁଣାଣି ଓ ଯାଞ୍ଚ ପ୍ରକ୍ରିୟା ଶେଷ ହେବା ପରେ ସେପ୍ଟେମ୍ବର ୬ରେ ଅନ୍ତିମ ଭୋଟର ତାଲିକା ପ୍ରକାଶ ପାଇବ।