ସରକାରୀ କାର୍ଯ୍ୟରେ AIର ହେବ ବ୍ୟବହାର, ଚିଠି ଲେଖିଲା ଗ୍ରାମ୍ୟ ଉନ୍ନୟନ ବିଭାଗ
ChatGPT Plus, Google AI Pro କିଣିବାକୁ ଗ୍ରାମ୍ୟ ଉନ୍ନୟନ ବିଭାଗର ପ୍ରସ୍ତାବ
ଭୁବନେଶ୍ୱର: ଓଡ଼ିଶା ସରକାରଙ୍କ ବିଭିନ୍ନ ବିଭାଗରେ କୃତ୍ରିମ ବୁଦ୍ଧିମତ୍ତା (AI)ର ବ୍ୟବହାରକୁ ପ୍ରୋତ୍ସାହନ ଦେବା ଦିଗରେ ଆଉ ଏକ ପଦକ୍ଷେପ ନିଆଯାଉଛି।
ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନା (PMGSY)ର ପ୍ରକଳ୍ପ ପରିଚାଳନା, ଅନଲାଇନ୍ ସମୀକ୍ଷା ଏବଂ ଦୈନନ୍ଦିନ ପ୍ରଶାସନିକ କାର୍ଯ୍ୟକୁ ଅଧିକ ଦ୍ରୁତ, ଆଧୁନିକ ଓ ତଥ୍ୟଭିତ୍ତିକ କରିବା ପାଇଁ ChatGPT Plus, Google AI Pro ଏବଂ Google One ଭଳି ପ୍ରିମିୟମ୍ ଡିଜିଟାଲ ସେବା କ୍ରୟ କରିବାକୁ ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ପ୍ରସ୍ତାବ ଦିଆଯାଇଛି। ଏନେଇ ଇଞ୍ଜିନିୟର-ଇନ୍-ଚିଫ୍ (ଗ୍ରାମ୍ୟ କାର୍ଯ୍ୟ) କାର୍ଯ୍ୟାଳୟରୁ ଗ୍ରାମ୍ୟ ଉନ୍ନୟନ ବିଭାଗର ପ୍ରମୁଖ ସଚିବଙ୍କ ନିକଟକୁ ପତ୍ର ଲେଖି ଆବଶ୍ୟକ ପ୍ରଶାସନିକ ଅନୁମୋଦନ ଓ ଆର୍ଥିକ ମଞ୍ଜୁରି ପ୍ରଦାନ କରିବାକୁ ଅନୁରୋଧ କରାଯାଇଛି।
ସୂଚନାନୁସାରେ, PMGSY ଅଧୀନରେ ରାଜ୍ୟରେ ସଡ଼କ ନିର୍ମାଣ ଓ ରକ୍ଷଣାବେକ୍ଷଣ କାର୍ଯ୍ୟକୁ ସମ୍ପୂର୍ଣ୍ଣ ଡିଜିଟାଲ ବ୍ୟବସ୍ଥା ସହ ଯୋଡ଼ାଯାଉଛି। ପ୍ରକଳ୍ପଗୁଡ଼ିକର ରିଅଲ୍-ଟାଇମ୍ ମନିଟରିଂ, ତଥ୍ୟ ବିଶ୍ଳେଷଣ ଓ ଦ୍ରୁତ ନିଷ୍ପତ୍ତି ଗ୍ରହଣ ଉପରେ ବର୍ତ୍ତମାନ ଅଧିକ ଗୁରୁତ୍ୱ ଦିଆଯାଉଛି। ଏହା ସହିତ ପ୍ରତିଦିନ ବହୁ ପରିମାଣର ଡିଜିଟାଲ ତଥ୍ୟ ସୃଷ୍ଟି ହେଉଛି। ଉଚ୍ଚମାନର ସଡ଼କ ଆଲାଇନ୍ମେଣ୍ଟ ମାନଚିତ୍ର, ବିସ୍ତୃତ ପ୍ରକଳ୍ପ ରିପୋର୍ଟ (DPR), ନିର୍ମାଣ କାର୍ଯ୍ୟର ଫଟୋ, ଜିଓ-ଟ୍ୟାଗ୍ ରେକର୍ଡ ଓ ଆର୍ଥିକ ତଥ୍ୟର ପରିମାଣ ଦିନକୁ ଦିନ ବଢ଼ୁଥିବାରୁ ବର୍ତ୍ତମାନର ମାଗଣା ଡିଜିଟାଲ ସୁବିଧା ଆଉ ପର୍ଯ୍ୟାପ୍ତ ହେଉନାହିଁ।
ଚିଠିରେ ସ୍ପଷ୍ଟ କରାଯାଇଛି ଯେ, ବର୍ତ୍ତମାନ ମାଗଣା କ୍ଲାଉଡ୍ ସେବା ଓ ସୀମିତ ସୁବିଧା ଥିବା ଅନଲାଇନ୍ ପ୍ଲାଟଫର୍ମ ବ୍ୟବହାର କରାଯାଉଥିବାରୁ କାର୍ଯ୍ୟ ପରିଚାଳନାରେ ବାଧା ସୃଷ୍ଟି ହେଉଛି। ବିଶେଷକରି ଇଞ୍ଜିନିୟର-ଇନ୍-ଚିଫ୍ ଏବଂ ମୁଖ୍ୟ ଯନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ହେଉଥିବା ନିୟମିତ ଭିଡିଓ କନଫରେନ୍ସ ସମୟରେ ମାଗଣାରେ ବ୍ୟବହାର ହେଉଥିବା ସଫ୍ଟୱେୟାର୍ ଗୁଡ଼ିକରେ ନିର୍ଦ୍ଧିଷ୍ଟ ସମୟସୀମା ଏବଂ ଅଂଶଗ୍ରହଣକାରୀଙ୍କ ସଂଖ୍ୟା ମଧ୍ୟ ସୀମିତ ରହୁଛି। ଫଳରେ ସମୀକ୍ଷା ବୈଠକ ପ୍ରଭାବିତ ହେଉଛି। ସେହିପରି ୧୫ ଜିବି ମାଗଣା କ୍ଲାଉଡ୍ ଷ୍ଟୋରେଜ୍ ସୀମା ବହୁ ପୂର୍ବରୁ ଶେଷ ହୋଇଯାଇଥିବାରୁ ବିପୁଳ ଡିଜିଟାଲ ତଥ୍ୟର ସଂରକ୍ଷଣ ଓ ପରିଚାଳନାରେ ସମସ୍ୟା ଦେଖାଦେଇଛି।
ଏହି ପରିସ୍ଥିତିରେ ବିଭାଗ ପକ୍ଷରୁ ପ୍ରିମିୟମ୍ କ୍ଲାଉଡ୍ ଷ୍ଟୋରେଜ୍, ଉନ୍ନତ ଭିଡିଓ କନଫରେନ୍ସିଂ ସୁବିଧା ଓ AI ଆଧାରିତ କାର୍ଯ୍ୟ ସହାୟକ ସେବାକୁ ଅନ୍ତର୍ଭୁକ୍ତ କରିବାର ପ୍ରସ୍ତାବ ଦିଆଯାଇଛି। ବିଭାଗର ମତରେ, ChatGPT Plus ମାଧ୍ୟମରେ ବିଭିନ୍ନ ସରକାରୀ ପତ୍ର, ରିପୋର୍ଟ, ଟିପ୍ପଣୀ ଓ ପ୍ରେଜେଣ୍ଟେସନ୍ ପ୍ରସ୍ତୁତି ଭଳି ଦୈନନ୍ଦିନ କାର୍ଯ୍ୟକୁ ଅଧିକ ଦ୍ରୁତ ଓ ଦକ୍ଷତାର ସହ ସମ୍ପନ୍ନ କରାଯାଇପାରିବ। ସେହିପରି Google AI Pro ଓ Google One ସେବା ମାଧ୍ୟମରେ ଅଧିକ କ୍ଲାଉଡ୍ ଷ୍ଟୋରେଜ୍, ଡାଟା ପରିଚାଳନା ଓ ଉନ୍ନତ ଅନଲାଇନ୍ ସହଯୋଗ ବ୍ୟବସ୍ଥା ଉପଲବ୍ଧ ହେବ।
ସେହିପରି ଏହି ପ୍ରିମିୟମ୍ ଡିଜିଟାଲ ସେବାଗୁଡ଼ିକ ଉପଲବ୍ଧ ହେଲେ ପ୍ରକଳ୍ପ ମନିଟରିଂରେ ଗତି ଆସିବା ସହ ଫିଲ୍ଡ ଅଧିକାରୀ ଓ ମୁଖ୍ୟାଳୟ ମଧ୍ୟରେ ସମନ୍ୱୟ ବୃଦ୍ଧି ପାଇବ। ଏହା ସହିତ ଦୈନନ୍ଦିନ ଅଫିସ କାର୍ଯ୍ୟପ୍ରବାହକୁ ସରଳ କରିବା, ତଥ୍ୟ ସଂରକ୍ଷଣକୁ ସୁରକ୍ଷିତ କରିବା ଏବଂ କୃତ୍ରିମ ବୁଦ୍ଧିମତ୍ତାର ସହାୟତାରେ ପ୍ରଶାସନିକ ଦକ୍ଷତା ବଢ଼ାଇବା ସମ୍ଭବ ହେବ ବୋଲି କୁହାଯାଇଛି।