ଭୁବନେଶ୍ୱର: ଲଘୁଚାପ ପ୍ରଭାବରେ ଓଡ଼ିଶାର ବିଭିନ୍ନ ସ୍ଥାନରେ ବର୍ଷା ଜାରି ରହିଛି। ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ଅନୁଯାୟୀ ଆଗାମୀ ଦୁଇ ଦିନ ପର୍ଯ୍ୟନ୍ତ ବର୍ଷା ଲାଗି ରହିବ। ଯାହା ଫଳରେ ଅନେକ ଜିଲ୍ଲା ପାଇଁ ପାଣିପାଗ ସତର୍କତା ଜାରି କରାଯାଇଛି।
ଆଇଏମଡି ପକ୍ଷରୁ ବୁଧବାର ଦିନ ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ବରଗଡ଼ ଏବଂ ନୂଆପଡ଼ା ଜିଲ୍ଲା ପାଇଁ ଏକ ଅରେଞ୍ଜ ସତର୍କତା ଜାରି କରାଯାଇଛି। ଯେଉଁଠାରେ କିଛି କିଛି ସ୍ଥାନଗୁଡ଼ିକରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ଅଛି। ଏହି ଜିଲ୍ଲାଗୁଡ଼ିକରେ ବଜ୍ରପାତ ସହିତ ଝଡବର୍ଷା ହେବାର ମଧ୍ୟ ସମ୍ଭାବନା ଅଛି।
ସେହିପରି ଦେବଗଡ଼, ସୋନପୁର, ବଲାଙ୍ଗୀର, ବୌଦ୍ଧ, ଅନୁଗୁଳ, ଢେଙ୍କାନାଳ, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଯାଜପୁର, କଟକ, କେନ୍ଦ୍ରାପଡ଼ା, ଜଗତସିଂହପୁର, କନ୍ଧମାଳ, କଳାହାଣ୍ଡି ଏବଂ ନବରଙ୍ଗପୁର ପାଇଁ ଏକ ୟେଲୋ ସତର୍କତା ଜାରି କରାଯାଇଛି। ଏହି ଜିଲ୍ଲାଗୁଡ଼ିକର କିଛିକିଛି ସ୍ଥାନଗୁଡ଼ିକରେ ବଜ୍ରପାତ ଏବଂ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି।
ଅପରପକ୍ଷରେ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଭିତରକୁ ନଯିବାକୁ ପରାମର୍ଶ ଦିଆଯାଇଥିବା ବେଳେ ଲୋକମାନଙ୍କୁ ବଜ୍ରପାତ ସମୟରେ ସୁରକ୍ଷିତ ସ୍ଥାନରେ ରହିବା, ଅନାବଶ୍ୟକ ଯାତ୍ରା ଏଡ଼ାଇବା ଏବଂ ପ୍ରଶାସନର ସତର୍କ ସୂଚନାକୁ ପାଳନ କରିବାକୁ ଅନୁରୋଧ କରାଯାଇଛି ।