ବାରିପଦା: ଗୋଟିଏ ପଟେ ବନ୍ଧୁକର ଗର୍ଜନ ଆଉ ଭୟର ବାତାବରଣ, ଅନ୍ୟପଟେ ନିଜ ସ୍ୱପ୍ନକୁ ସାକାର କରିବାର ଅଦମ୍ୟ ଜିଦ୍। ମୟୂରଭଞ୍ଜ ଜିଲ୍ଲାର ଏକ ଅତି ଦୁର୍ଗମ ତଥା ମାଓ ପ୍ରଭାବିତ ଅଞ୍ଚଳରୁ ଆସିଥିବା ଜଣେ ସାଧାରଣ ଆଦିବାସୀ ଛାତ୍ର ଏବେ ସମଗ୍ର ରାଜ୍ୟ ପାଇଁ ଗର୍ବର କାରଣ ପାଲଟିଛନ୍ତି। ପ୍ରତିକୂଳ ପରିସ୍ଥିତିକୁ ପଛରେ ପକାଇ ସେ ଦେଶର ଅଗ୍ରଣୀ ଶିକ୍ଷାନୁଷ୍ଠାନ ଆଇଆଇଟି ଧାନବାଦରେ ସିଟ୍ ହାତେଇ ନିଜ ସଫଳତାର ଏକ ବିରଳ କାହାଣୀ ଲେଖିଛନ୍ତି।
ସୂଚନା ଅନୁଯାୟୀ, ମୟୂରଭଞ୍ଜର ଉପାନ୍ତ ଚଢ଼େଇପାହାଡ଼ି ଗାଁର ଆଦିବାସୀ ଯୁବକ ସାଗ୍ରାମ ମାରାଣ୍ଡି ଯେଇଇ ଆଡଭାନ୍ସ ପରୀକ୍ଷାରେ କୃତକାର୍ଯ୍ୟ ହୋଇଛନ୍ତି। ଏବେ ସେ ଆଇଆଇଟି ଧାନବାଦରେ ଇଞ୍ଜିନିୟରିଂ ପଢ଼ିବା ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି। ପିଲାଟି ଦିନରୁ ଅଭାବ, ଅନଟନ ଏବଂ ପ୍ରତିବନ୍ଧକ ଭିତରେ ବଡ଼ ହୋଇଥିବା ସାଗ୍ରାମଙ୍କ ପାଇଁ ଏହି ସଫଳତା ଆଦୌ ସହଜ ନଥିଲା। ଯେଉଁ ଅଞ୍ଚଳରେ ଉଚ୍ଚଶିକ୍ଷା ଏବେ ବି ଏକ ଦୂରର ସ୍ୱପ୍ନ, ସେଠାରୁ ଆସି ସର୍ବଭାରତୀୟ ସ୍ତରରେ ନିଜର ଦକ୍ଷତା ପ୍ରମାଣ କରିବା ତାଙ୍କର କଠିନ ପରିଶ୍ରମ ଓ ଦୃଢ଼ ଇଚ୍ଛାଶକ୍ତିର ପରିଚୟ ଦେଉଛି।
ମାଓବାଦୀଙ୍କ ଭୟରେ ଥରୁଥିବା ଏକ ଗାଁରୁ ଆସିଥିବା ସାଗ୍ରାମ ଏବେ ସେହି ଅଞ୍ଚଳର ଅନ୍ୟ ଛାତ୍ରଛାତ୍ରୀମାନଙ୍କ ପାଇଁ ଏକ ବଡ଼ ପ୍ରେରଣା ଉତ୍ସ ପାଲଟିଛନ୍ତି। ତାଙ୍କର ଏହି ବିଶେଷ କୃତିତ୍ୱ ପରେ ପରିବାର ତଥା ସମଗ୍ର ଗାଁରେ ଖୁସିର ଲହରୀ ଖେଳିଯାଇଛି। ଆଗକୁ ସେ ଜଣେ ସଫଳ ଇଞ୍ଜିନିୟର ହୋଇ ନିଜ ଦୁର୍ଗମ ଅଞ୍ଚଳ ତଥା ଦେଶର ବିକାଶରେ ଭାଗିଦାରୀ ହେବାକୁ ଲକ୍ଷ୍ୟ ରଖିଛନ୍ତି। ଯଦି ସ୍ୱପ୍ନ ଦେଖିବାର ସାହସ ଓ ତାକୁ ପୂରଣ କରିବାର ନିଷ୍ଠା ଥାଏ, ତେବେ କୌଣସି ଅଭାବ କିମ୍ବା ବାଧାବିଘ୍ନ ମଣିଷର ରାସ୍ତା ଓଗାଳି ପାରିବ ନାହିଁ ବୋଲି ସେ ଆଜି ପ୍ରମାଣ କରିଦେଇଛନ୍ତି।