ନୂଆଦିଲ୍ଲୀ: ଜିମ୍ବାୱେ ବିପକ୍ଷରେ ଭାରତ ୩ଟି ଟି୨୦ ମ୍ୟାଚ ଖେଳିବ । ଏହି ସିରିଜ ଭାରତର ବିସ୍ଫୋରକ ବ୍ୟାଟ୍ସମ୍ୟାନ ରିଙ୍କୁ ସିଂଙ୍କ କ୍ୟାରିୟର ପାଇଁ ବେଶ ଗୁରୁତ୍ୱପୂର୍ଣ୍ଣ । ଚୂଡାନ୍ତ ଏକାଦଶରେ ସ୍ଥାନ ପାଇବା ପରେ ରିଙ୍କୁ ଭଲ ପ୍ରଦର୍ଶନ କରି ନିଜ ସ୍ଥାନ ସୁରକ୍ଷିତ ରଖିବାକୁ ଚାହିଁବେ । ଟି୨୦ ବିଶ୍ୱକପ ପରେ ରିଙ୍କୁ ଦଳର ନିୟମିତ ସଦସ୍ୟ ହୋଇପାରୁ ନାହାନ୍ତି । ଆଇପିଏଲ ୨୦୨୬ରେ ମଧ୍ୟ ତାଙ୍କ ପ୍ରଦର୍ଶନ ସନ୍ତୋଷଜନକ ରହି ନ ଥିଲା । ରିଙ୍କୁ ଏହା ପରେ କେକେଆରର ହେଡ କୋଚ ଅଭିଷେକ ନାୟାରଙ୍କ ସହ ବ୍ୟାଟିଂ ଅଭ୍ୟାସ କରିଥିଲେ । ଟ୍ରିଗର ମୁଭମେଂଟରେ ସାମାନ୍ୟ ଶୈଳୀ ବଦଳାଇବା ତାଙ୍କୁ ଫାଇଦାରେ ରଖିଥିଲେ ।
ଏହାର ପ୍ରଭାବ ମଧ୍ୟ ଦେଖିବାକୁ ମିଳିଥିଲା । ଆଇପିଏଲର ଶେଷ ଭାଗରେ ସେ ୪ଟି ମ୍ୟାଚରେ ଆଉଟ ନ ହୋଇ ୨୦୭ ରନ କରିଥିଲେ । ପୂନର୍ବାର ଫିନିଶର ଭାବେ ତାଙ୍କ ନାମ ଉଠିଥିଲା । ଜିମ୍ବାୱେ ବିପକ୍ଷରେ ସେ ଯଦି ଡେଥ ଓଭରରେ ଭଲ ପ୍ରଦର୍ଶନ କରିବେ ନିଶ୍ଚିତ ଭାବେ ନିଜ ସ୍ଥାନ ସୁରକ୍ଷିତ କରିପାରିବେ । ଅନ୍ୟ ଅର୍ଥରେ ଜିମ୍ବାୱେ ବିପକ୍ଷ ସିରିଜ ତାଙ୍କ ପାଇଁ କର ବା ମର ସଦୃୃଶ । ଅଧିନାୟକ ଶ୍ରେୟାଶ ଆୟାର ଏବଂ ରିଙ୍କୁଙ୍କ ପାଇଁ ଏହା କଡା ଚ୍ୟାଲେଞ୍ଜ ନେଇ ଆସିଛି ।