ଓଡ଼ିଶା ପୋଲିସରେ ନେତୃତ୍ୱ ପରିବର୍ତ୍ତନ: ଅଗଷ୍ଟ ୧୬ରେ ଅବସର ନେବେ ଡିଜିପି, ନୂଆ ମୁଖିଆ ରେସ୍ରେ ଆର.ପି. କୋଚେ ଓ ସୁଧାଂଶୁ ଷଡ଼ଙ୍ଗୀ
ଭୁବନେଶ୍ୱର: ରାଜ୍ୟ ପୋଲିସ ବିଭାଗରେ ଖୁବ୍ଶୀଘ୍ର ଏକ ବଡ଼ ଧରଣର ନେତୃତ୍ୱ ପରିବର୍ତ୍ତନ ଦେଖିବାକୁ ମିଳିବ। ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ (ଡିଜିପି) ୱାଇ.ବି. ଖୁରାନିଆଙ୍କ କାର୍ଯ୍ୟକାଳ ଆସନ୍ତା ଅଗଷ୍ଟ ୧୬ ତାରିଖରେ ଶେଷ ହେବାକୁ ଯାଉଛି। ତାଙ୍କର କାର୍ଯ୍ୟକାଳ ଆଉ ବୃଦ୍ଧି ପାଇବାର କୌଣସି ସମ୍ଭାବନା ନଥିବା ବେଳେ, ଗୃହ ବିଭାଗ ପକ୍ଷରୁ ତାଙ୍କୁ ଅବସର ନେବା ପାଇଁ ଆନୁଷ୍ଠାନିକ ଭାବେ ଅନୁମତି ମିଳିସାରିଛି। ଏହା ସହିତ ରାଜ୍ୟର ପରବର୍ତ୍ତୀ ପୋଲିସ ବସ୍ କିଏ ହେବେ, ସେ ନେଇ ପ୍ରଶାସନିକ ସ୍ତରରେ ପ୍ରକ୍ରିୟା ଜୋରଦାର ହୋଇଛି।
ନୂଆ ଡିଜିପି ଚୟନ ପାଇଁ ଆସନ୍ତା ଅଗଷ୍ଟ ୭ ତାରିଖରେ ନୂଆଦିଲ୍ଲୀ ଠାରେ ୟୁପିଏସ୍ସି ଚୟନ କମିଟିର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିବାକୁ ଯାଉଛି। ୟୁପିଏସ୍ସି ଅଧ୍ୟକ୍ଷଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବାକୁ ଥିବା ଏହି ଉଚ୍ଚସ୍ତରୀୟ ବୈଠକରେ ଓଡ଼ିଶାର ମୁଖ୍ୟ ଶାସନ ସଚିବ ମଧ୍ୟ ଯୋଗଦେବେ। ନିୟମ ଅନୁଯାୟୀ, ନୂଆ ଡିଜିପି ନିଯୁକ୍ତି ପାଇଁ ରାଜ୍ୟ ସରକାର ପୂର୍ବରୁ ବରିଷ୍ଠତା ଭିତ୍ତିରେ ୧୧ ଜଣ ଆଇପିଏସ୍ ଅଫିସରଙ୍କ ନାମ ୟୁପିଏସ୍ସି ନିକଟକୁ ପଠାଇସାରିଛନ୍ତି।
ଆସନ୍ତା ୭ ତାରିଖ ବୈଠକରେ ଏହି ୧୧ ଜଣଙ୍କ ନାମ ଉପରେ ବିସ୍ତୃତ ତର୍ଜମା କରାଯିବ। ସେମାନଙ୍କ ଟ୍ରାକ୍ ରେକର୍ଡ ଓ ଅଭିଜ୍ଞତାକୁ ଆଧାର କରି ୟୁପିଏସ୍ସି ପକ୍ଷରୁ ୩ ଜଣିଆ ଅନ୍ତିମ ତାଲିକା ପ୍ରସ୍ତୁତ କରାଯାଇ ରାଜ୍ୟ ସରକାରଙ୍କ ନିକଟକୁ ପଠାଯିବ। ନିୟମ ଅନୁସାରେ, ଏହି ତିନି ଜଣ ବରିଷ୍ଠ ଅଧିକାରୀଙ୍କ ମଧ୍ୟରୁ ରାଜ୍ୟ ସରକାର ନିଜ ପସନ୍ଦ ତଥା ଯୋଗ୍ୟତା ଭିତ୍ତିରେ ଜଣଙ୍କୁ ଓଡ଼ିଶା ପୋଲିସର ସର୍ବୋଚ୍ଚ ପଦବୀରେ ନିଯୁକ୍ତି ଦେବେ।
ନୂଆ ଡିଜିପି ରେସ୍ରେ ଏବେ ଏକାଧିକ ବରିଷ୍ଠ ଅଧିକାରୀଙ୍କ ନାମ ଚର୍ଚ୍ଚାରେ ରହିଛି। ତେବେ ମିଳିଥିବା ବିଶେଷ ସୂଚନା ଅନୁଯାୟୀ, ବରିଷ୍ଠ ଆଇପିଏସ୍ ଅଧିକାରୀ ଆର.ପି. କୋଚେ ଏହି ଦୌଡ଼ରେ ସବୁଠାରୁ ଆଗରେ ରହିଛନ୍ତି। ସେହିପରି ଅନ୍ୟତମ ବରିଷ୍ଠ ତଥା ଦକ୍ଷ ଆଇପିଏସ୍ ଅଧିକାରୀ ସୁଧାଂଶୁ ଷଡ଼ଙ୍ଗୀଙ୍କ ନାମ ମଧ୍ୟ ପରବର୍ତ୍ତୀ ଡିଜିପି ଭାବେ ଜୋରଦାର ଚର୍ଚ୍ଚା ହେଉଛି। ୟୁପିଏସ୍ସି ତାଲିକା ରାଜ୍ୟକୁ ଆସିବା ପରେ ହିଁ ସ୍ପଷ୍ଟ ହେବ ଯେ ଓଡ଼ିଶା ପୋଲିସର ମଙ୍ଗ କିଏ ଧରିବେ। ବର୍ତ୍ତମାନ ସମସ୍ତଙ୍କ ନଜର ଦିଲ୍ଲୀରେ ହେବାକୁ ଥିବା ଅଗଷ୍ଟ ୭ ତାରିଖର ନିର୍ଣ୍ଣାୟକ ବୈଠକ ଉପରେ ଟିକି ରହିଛି।