ପୁରୀ: ଜନ୍ମବେଦୀରେ ନବଦିନାତ୍ମକ ଲୀଳାଖେଳା ସାରି ରତ୍ନବେଦୀକୁ ବାହୁଡ଼ିବେ ମହାବାହୁ। ରଥାରୂଢ଼ ହୋଇ ନିଜ ମୂଳ ଆସ୍ଥାନ ଶ୍ରୀମନ୍ଦିର ଅଭିମୁଖେ ଯାତ୍ରା କରିବେ ଚତୁର୍ଦ୍ଧାମୂରତି। ପବିତ୍ର ବାହୁଡ଼ା ଯାତ୍ରା ଉପଲକ୍ଷେ ଶ୍ରୀକ୍ଷେତ୍ରରେ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିବା ବେଳେ ଆଜି ‘ହରିବୋଲ’, ‘ଜୟ ଜଗନ୍ନାଥ’ ଧ୍ୱନି, ହୁଳହୁଳି ଏବଂ ଘଣ୍ଟଘଣ୍ଟା ନାଦରେ ପ୍ରକମ୍ପିତ ହୋଇଉଠିଛି ପୂରା ବଡ଼ଦାଣ୍ଡ। ବର୍ଷକର ପ୍ରତୀକ୍ଷା ପରେ ରଥ ଉପରେ ବିରାଜମାନ ନିଜ ଆରାଧ୍ୟ ଦେବତାଙ୍କୁ ଟିକିଏ ପାଖରୁ ଦର୍ଶନ କରିବା ପାଇଁ ବଡ଼ଦାଣ୍ଡରେ ଭକ୍ତିର ସୁଅ ଛୁଟିଛି।
ନୀତିନିର୍ଘଣ୍ଟ ଅନୁଯାୟୀ, ଆଜି ଭୋରରୁ ଶ୍ରୀଗୁଣ୍ଡିଚା ମନ୍ଦିର (ଆଡ଼ପ ମଣ୍ଡପ)ରେ ମହାପ୍ରଭୁଙ୍କ ମଙ୍ଗଳ ଆଳତି, ମଇଲମ, ତଡ଼ପ ଲାଗି, ରୋଷ ହୋମ ଏବଂ ଅବକାଶ ଆଦି ଦୈନନ୍ଦିନ ନୀତିକାନ୍ତି ସମ୍ପନ୍ନ ହୋଇଛି। ସେନାପଟା ଲାଗି ପରେ ନିର୍ଦ୍ଧାରିତ ସମୟରେ ଆରମ୍ଭ ହେବ ବାହୁଡ଼ା ପହଣ୍ଡି ବା ଧାଡ଼ି ପହଣ୍ଡି। ଟାହିଆ ହଲାଇ ଝୁଲି ଝୁଲି ରଥକୁ ଆସିବେ ମହାପ୍ରଭୁ।
ଶ୍ରୀଜୀଉମାନେ ନିଜ ନିଜ ରଥରେ ଆସୀନ ହେବା ପରେ ଗଜପତି ମହାରାଜା ଦିବ୍ୟସିଂହ ଦେବ ନିଜ ରାଜପ୍ରାସାଦରୁ ତାମଯାନରେ ଆସି ପାରମ୍ପରିକ ‘ଛେରାପହଁରା’ ନୀତି ସମ୍ପନ୍ନ ହେବ। ଗଜପତି ସୁନା ଖଡ଼ିକାରେ ତିନି ରଥକୁ ତୋଟାପହଁରା କରିବା ପରେ ଦଉଡ଼ି ଲଗାଯାଇ ରଥଟଣା ପ୍ରକ୍ରିୟା ଆରମ୍ଭ ହେବ। ପ୍ରଥମେ ବଳଭଦ୍ରଙ୍କ ‘ତାଳଧ୍ୱଜ’, ପରେ ଦେବୀ ସୁଭଦ୍ରାଙ୍କ ‘ଦର୍ପଦଳନ’ ଏବଂ ଶେଷରେ ମହାପ୍ରଭୁ ଜଗନ୍ନାଥଙ୍କ ‘ନନ୍ଦିଘୋଷ’ ରଥକୁ ଶ୍ରଦ୍ଧାଳୁମାନେ ଆନନ୍ଦ ଉଲ୍ଲାସର ସହ ଟାଣିବେ।