ନୂଆଦିଲ୍ଲୀ: ନିଟ୍ ପ୍ରଶ୍ନପତ୍ର ଲିକ୍ ମାମଲାରେ ବଡ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି କେନ୍ଦ୍ର ସରକାର । NTAରୁ ୪୭ ଜଣ ଅଧିକାରୀଙ୍କୁ ବିଦା କରାଯାଇଛି । ମୋଟାମୋଟି କହିବାକୁ ଗଲେ ସେମାନଙ୍କୁ ଚାକିରିରୁ ବହିଷ୍କାର କରିଛନ୍ତି ସରକାର । ଏପରିକି କିଛି ଅଧିକାରୀଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ହେବ ବୋଲି କୁହାଯାଇଛି । ଆଇନଗତ ଓ ଅପରାଧିକ କାର୍ଯ୍ୟାନୁଷ୍ଠାନ ହେବ ବୋଲି ସୂଚନା ମିଳିଛି ।
ସୂତ୍ରରୁ ଜଣାପଡ଼ିଛି ଯେ, ଅଧିକାରୀମାନେ କହୁଛନ୍ତି ଯେ NTA ସମ୍ପୂର୍ଣ୍ଣ ପୁନଃନିର୍ମାଣ କରାଯିବ ଏବଂ ପରବର୍ତ୍ତୀ ସଂସ୍କାର ପଦକ୍ଷେପ କାର୍ଯ୍ୟକାରୀ କରାଯିବ । ଫଳସ୍ୱରୂପ, ଏହା ବିଶ୍ୱାସ କରାଯାଉଛି ଯେ, ଆଗକୁ ଏଜେନ୍ସି କାର୍ଯ୍ୟରେ ବଡ଼ ପରିବର୍ତ୍ତନ ଦେଖାଯାଇପାରେ ।
ନିଟ୍ ପ୍ରଶ୍ନ ପତ୍ର ଲିକ୍ ହେବାରୁ ଅନେକ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଅନ୍ଧକାରକୁ ଚାଲିଗଲା । ଦେଶବ୍ୟାପି ଛାତ୍ରଛାତ୍ରୀମଧ୍ୟ ଆନ୍ଦୋଳନକୁ ଓହ୍ଲାଇଥିଲେ । ଏହାପରେ କେନ୍ଦ୍ର ସରକାର ବଡ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ।
ସରକାରଙ୍କ ମୂଳ ଲକ୍ଷ୍ୟ ଏକ ସମ୍ପୂର୍ଣ୍ଣ ଲିକ୍-ପ୍ରୁଫ୍ ପରୀକ୍ଷା ବ୍ୟବସ୍ଥା ତିଆରି କରିବା, ଯାହାଦ୍ୱାରା ପ୍ରଶ୍ନପତ୍ର ଲିକ୍ ଭଳି ଅଘଟଣ ସମ୍ପୂର୍ଣ୍ଣ ରୂପେ ବନ୍ଦ ହୋଇପାରିବ ଏବଂ ଜାତୀୟ ସ୍ତରର ପରୀକ୍ଷାଗୁଡ଼ିକର ସ୍ୱଚ୍ଛତା ଓ ବିଶ୍ୱସନୀୟତା ମଜବୁତ ହୋଇପାରିବ ।
ଗୁରୁବାର ବିଳମ୍ବିତ ରାତିରେ ପ୍ରକାଶିତ ଏକ ସରକାରୀ ବିଜ୍ଞପ୍ତି ଅନୁଯାୟୀ, ଉଚ୍ଚଶିକ୍ଷା ବିଭାଗର ସଚିବ ଭିନୀତ ଯୋଶୀଙ୍କୁ ତାଙ୍କ ପଦରୁ ହଟାଇ ଦିଆଯାଇଥିବା ବେଳେ ତାଙ୍କ ସ୍ଥାନରେ ନରେଶ ପାଲ ଗଙ୍ଗୱାରଙ୍କୁ ନିଯୁକ୍ତ କରାଯାଇଛି ।