Latest Odisha News

BREAKING NEWS

ଦାରିଦ୍ର୍ୟ ଆଉ ପୋଲିଓକୁ ଦେଲେ ମାତ୍: ଗ୍ଲାସଗୋରେ ଇତିହାସ ରଚି ଭାରତର ଖାତା ଖୋଲିଲେ ଇ-ରିକ୍ସା ଚାଳକ ଝଣ୍ଡୁ କୁମାର

ନୂଆଦିଲ୍ଲୀ: ଯେତେବେଳେ ଇଚ୍ଛାଶକ୍ତି ଦୃଢ଼ ଥାଏ, ସେତେବେଳେ ଶାରୀରିକ ଅକ୍ଷମତା କିମ୍ବା ଆର୍ଥିକ ଅନାଟନ କେବେବି ବାଧକ ସାଜିପାରେ ନାହିଁ। ଏହି କଥାକୁ ଅକ୍ଷରେ ଅକ୍ଷରେ ପ୍ରମାଣିତ କରି ଦେଖାଇଛନ୍ତି ବିହାରର ୨୮ ବର୍ଷୀୟ ଯୁବକ ଝଣ୍ଡୁ କୁମାର। ଗ୍ଲାସଗୋଠାରେ ଚାଲିଥିବା ୨୦୨୬ କମନୱେଲଥ୍ ଗେମ୍ସ (ରାଜ୍ୟଗୋଷ୍ଠୀ କ୍ରୀଡ଼ା)ରେ ସେ କେବଳ ପଦକ ଜିତି ନାହାନ୍ତି, ବରଂ ନିଜ ସଂଘର୍ଷପୂର୍ଣ୍ଣ ଜୀବନକାହାଣୀ ମାଧ୍ୟମରେ କୋଟି କୋଟି ଦେଶବାସୀଙ୍କ ପାଇଁ ଏକ ବଡ଼ ପ୍ରେରଣା ପାଲଟିଛନ୍ତି। ପାରା ପାୱାରଲିଫ୍ଟିଂ ଇଭେଣ୍ଟରେ ବ୍ରୋଞ୍ଜ ପଦକ ହାସଲ କରି ସେ ଚଳିତ ଗେମ୍ସରେ ଭାରତର ପଦକ ଖାତା ଖୋଲିଛନ୍ତି। କ୍ରମାଗତ ନିରାଶା ପରେ ତାଙ୍କର ଏହି ବିଜୟ ଭାରତୀୟ ଶିବିରରେ ଉତ୍ସାହ ଖେଳାଇ ଦେଇଛି।

ପାରା ପାୱାରଲିଫ୍ଟିଂର ହେଭିୱେଟ୍ ବର୍ଗରେ ଝଣ୍ଡୁ ନିଜର ଦମଦାର ପ୍ରଦର୍ଶନ ଦେଖାଇଥିଲେ। ପ୍ରଥମ ପ୍ରୟାସରେ ସେ ୧୮୧ କିଲୋଗ୍ରାମ ଓଜନ ଉଠାଇ ୧୨୪.୭ ପଏଣ୍ଟ ହାସଲ କରିଥିଲେ। ଦ୍ୱିତୀୟ ପ୍ରୟାସରେ ଏହାକୁ ଆହୁରି ଉନ୍ନତ କରି ୧୯୦ କିଲୋଗ୍ରାମ ଓଜନ ଉଠାଇବା ସହ ନିଜ ସ୍କୋରକୁ ୧୩୦.୯ ପଏଣ୍ଟରେ ପହଞ୍ଚାଇଥିଲେ ଏବଂ ଦୀର୍ଘ ସମୟ ପର୍ଯ୍ୟନ୍ତ ଶୀର୍ଷ ସ୍ଥାନରେ ବଜାୟ ରହିଥିଲେ। ତୃତୀୟ ଥର ପାଇଁ ସେ ୧୯୬ କିଲୋଗ୍ରାମ ଉଠାଇବାକୁ ଚେଷ୍ଟା କରିଥିଲେ ସୁଦ୍ଧା ସାମାନ୍ୟ ତ୍ରୁଟି ଯୋଗୁଁ ସଫଳ ହୋଇପାରି ନଥିଲେ। ତଥାପି ନିଜର ୧୩୦.୯ ପଏଣ୍ଟ ସହ ସେ ତୃତୀୟ ସ୍ଥାନ ଅଧିକାର କରି ବ୍ରୋଞ୍ଜ ପଦକ ନିଜ ନାମରେ କରିଛନ୍ତି।

ଏହି ପ୍ରତିଯୋଗିତାରେ ନାଇଜେରିଆର ରିଲୁୱାନ୍ ଇଦ୍ରିସ୍ ୨୦୮ କିଲୋଗ୍ରାମ ଓଜନ ଉଠାଇ ୧୩୨.୮ ପଏଣ୍ଟ ସହ ସ୍ୱର୍ଣ୍ଣ ପଦକ ହାତେଇଥିବା ବେଳେ ଇଂଲଣ୍ଡର ମାଥ୍ୟୁ ହାର୍ଡିଂ (୧୯୯ କିଲୋଗ୍ରାମ, ୧୩୧ ପଏଣ୍ଟ) ରୌପ୍ୟ ପଦକ ଜିତିଥିଲେ। ଝଣ୍ଡୁ ଯଦି ନିଜର ଶେଷ ପ୍ରୟାସରେ ସଫଳ ହୋଇଥାନ୍ତେ, ତେବେ ପଦକର ରଙ୍ଗ ହୁଏତ ରୌପ୍ୟ କିମ୍ବା ସ୍ୱର୍ଣ୍ଣ ହୋଇପାରିଥାନ୍ତା କାରଣ ପଏଣ୍ଟ ବ୍ୟବଧାନ ଖୁବ୍ କମ୍ ଥିଲା। କିନ୍ତୁ ତାଙ୍କର ଏହି ବ୍ରୋଞ୍ଜ ପଦକ କୌଣସି ସ୍ୱର୍ଣ୍ଣ ଠାରୁ କମ୍ ନୁହେଁ।

କାରଣ ଏହି ସଫଳତା ପଛରେ ରହିଛି ଲୁହ ଏବଂ ଲହୁର ଏକ ଲମ୍ବା କାହାଣୀ। ବିହାରର ହରନୌତ ଅଞ୍ଚଳରେ ଜନ୍ମିତ ଝଣ୍ଡୁଙ୍କୁ ମାତ୍ର ୫ ବର୍ଷ ବୟସରେ ପୋଲିଓ ଆକ୍ରାନ୍ତ କରିଥିଲା। ଏହି କାରଣରୁ ସେ ଆଜୀବନ ନିଜର ଦୁଇ ଗୋଡ଼ର ଶକ୍ତି ହରାଇ ବସିଥିଲେ। ଗୋଟିଏ ପଟେ ଦିବ୍ୟାଙ୍ଗର ଯନ୍ତ୍ରଣା ଆଉ ଅନ୍ୟପଟେ ଦାରିଦ୍ର୍ୟର କଷାଘାତ; ତଥାପି ସେ କେବେ ଭାଙ୍ଗି ପଡ଼ିନଥିଲେ। ପରିବାରର ଗୁଜୁରାଣ ମେଣ୍ଟାଇବା ପାଇଁ ତାଙ୍କୁ ରାସ୍ତା କଡ଼ରେ ପନିପରିବା ବିକିବାକୁ ପଡ଼ିଥିଲା। ପରେ ଆୟ ବଢ଼ାଇବା ଆଶାରେ ସେ ଇ-ରିକ୍ସା ମଧ୍ୟ ଚଳାଇଥିଲେ।

କଠିନ ଶାରୀରିକ ପରିଶ୍ରମ ଓ ନିୟମିତ ବ୍ୟାୟାମ ଯୋଗୁଁ ତାଙ୍କ ଶରୀରର ଉପର ଭାଗ ବେଶ୍ ମଜବୁତ ହୋଇଯାଇଥିଲା। ଏହା ଦେଖି ବିହାରର ଜଣେ କ୍ରୀଡ଼ା ଅଧିକାରୀ ତାଙ୍କୁ ପାୱାରଲିଫ୍ଟିଂ କ୍ଷେତ୍ରରେ ପାଦ ଦେବାକୁ ପରାମର୍ଶ ଦେଇଥିଲେ। ଆଉ ଏହି ଗୋଟିଏ ପରାମର୍ଶ ତାଙ୍କ ଜୀବନର ମୋଡ଼ ବଦଳାଇ ଦେଇଥିଲା। ଅର୍ଥାଭାବ ଏତେ ଥିଲା ଯେ ଜାତୀୟ କ୍ରୀଡ଼ାରେ ଭାଗ ନେବା ପାଇଁ ତାଙ୍କୁ ନିଜର ରୋଜଗାରର ଏକମାତ୍ର ପନ୍ଥା ସେହି ଇ-ରିକ୍ସାକୁ ମଧ୍ୟ ବିକ୍ରି କରିବାକୁ ପଡ଼ିଥିଲା। ଆଜି ସେହି ସର୍ବୋଚ୍ଚ ତ୍ୟାଗ ଓ ଝାଳବୁହା ପରିଶ୍ରମର ଫଳସ୍ୱରୂପ ଗ୍ଲାସଗୋ ମାଟିରେ ବିଶ୍ୱସ୍ତରୀୟ ମଞ୍ଚ ଉପରେ ତ୍ରିରଙ୍ଗା ଉଡ଼ିବା ସହ ଝଣ୍ଡୁ ଦେଶର ଟେକ ରଖିଛନ୍ତି।

Leave A Reply

Your email address will not be published.