ନୂଆଦିଲ୍ଲୀ: ସେପ୍ଟମ୍ବର-ଅକ୍ଟୋବରରେ ଭାରତ-ୱେଷ୍ଟଇଣ୍ଡିଜ ମଧ୍ୟରେ ୩ ମ୍ୟାଚ ବିଶିଷ୍ଟ ଦିନିକିଆ କ୍ରିକେଟ ସିରିଜ ଖେଳାଯିବ । ଏହି ସିରିଜରେ ଟିମ ଇଣ୍ଡିଆର ୮ଜଣ ଖେଳାଳି ଖେଳିପାରିବେ ନାହିଁ । ସେହି ସମୟରେ ଏସିଆନ ଗେମ୍ସ ଖେଳାଯିବାକୁ ଥିବାରୁ ଏହି ପଦକ୍ଷେପ ଗ୍ରହଣ କରାଯାଇଛି । ଏସିଆନ ଗେମ୍ସରେ ପୁରୁଷ କ୍ରିକେଟ ପ୍ରତିଯୋଗିତା ୧୪ ସେପ୍ଟମ୍ବରରୁ ୧ ଅକ୍ଟୋବର ପର୍ଯ୍ୟନ୍ତ ଖେଳାଯିବ । ଏସିଆନ ଗେମ୍ସ ପାଇଁ ଚୟନ କରାଯାଇଥିବା ଭାରତୀୟ ଟି୨୦ ଟିମର ୮ଜଣ ଖେଳାଳି ଦିନିକିଆ ସିରିଜରେ ସ୍ଥାନ ପାଇବେ ନାହିଁ । ଶ୍ରେୟାଶ ଆୟାର, ଯଶପ୍ରୀତ ବୁମରାହ, ଈଶାନ କିଶାନ, ଅକ୍ଷର ପଟେଲ, ୱାଶିଂଟନ ସୁନ୍ଦର, ଅର୍ଶଦୀପ ସିଂ, ହର୍ଷିତ ରାଣା ଓ ନୀତିଶ କୁମାର ରେଡ୍ଡୀ ସାମିଲ ।
ଶ୍ରେୟାଶ, ବୁମରାହ, ଈଶାନ, ଅକ୍ଷର, ୱାଶିଂଟନ ଓ ଅର୍ଶଦୀପ ଇଂଲଣ୍ଡ ବିପକ୍ଷ ସିରିଜରେ ଭାରତୀୟ ଟିମରେ ସ୍ଥାନ ପାଇଥିଲେ । ଯଶସ୍ୱୀ ଜୈସୱାଲ, ରିତୁରାଜ ଗାଏକ୍ୱାଡ, ରବୀନ୍ଦ୍ର ଜାଡେଜା, ମହମ୍ମଦ ସିରାଜ, ହର୍ଷ ଦୁବେ, ପ୍ରିନ୍ସ ଯାଦବ, ଗୁରନୂର ବରାର ଓ ଆୟୂଷ ବଦୋନୀଙ୍କୁ ସୁଯୋଗ ମିଳିପାରେ । ଏସିଆନ ଗେମ୍ସରେ ଶ୍ରେୟାଶ ଭାରତୀୟ ଦଳର ନେତୃତ୍ୱ ନେବେ । ଏସିଆନ ଗେମ୍ସରେ ସ୍ୱର୍ଣ୍ଣ ପଦକ ଓ ୱେଷ୍ଟଇଣ୍ଡିଜ ବିପକ୍ଷରେ ଭାରତ କିପରି ସିରିଜ ହାତେଇବ ତାହାକୁ ଆଖି ଆଗରେ ରଖି ଭାରତୀୟ ଦଳ ଚୟନ କରାଯିବ । କେତେକ ଯୁବ ଖେଳାଳିଙ୍କ ପାଇଁ ଏହା ସୁବର୍ଣ୍ଣ ସୁଯୋଗ ସୃଷ୍ଟି କରିବ ବୋଲି ଆଶା କରାଯାଉଛି ।