Latest Odisha News

BREAKING NEWS

puri suna besha 2026: ମହଣ ମହଣ ସୁନାରେ ସଜେଇ ହେଲେ ମହାପ୍ରଭୁ; ଭକ୍ତ ଆତ୍ମବିଭୋର

ପୁରୀ: ପବିତ୍ର ହରିଶୟନ ଏକାଦଶୀ ତିଥିରେ ଆଜି ରଥ ଉପରେ ବିଜେ ଶ୍ରୀଜିଉଙ୍କ ସୁନାବେଶ । ମହାପ୍ରଭୁଙ୍କ ରଥ ଉପରେ ଦୁର୍ଲଭ ସୁନାବେଶକୁ ଭକ୍ତମାନେ ଦର୍ଶନ କରିବା ପାଇଁ ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଛି। ଏଥିପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି। ମହଣ ମହଣ ସୁବର୍ଣ୍ଣ ଆଭୂଷଣରେ ବିଭୂଷିତ ହୋଇ ତିନି ରଥ ଉପରେ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେଉଛନ୍ତି ଜଗତର ନାଥ ଶ୍ରୀଜଗନ୍ନାଥ, ପ୍ରଭୁ ବଳଭଦ୍ର ଓ ଦେବୀ ସୁଭଦ୍ରା।

ତିନିଠାକୁର ହସ୍ତ, ପାଦ ସହିତ କଣ୍ଠମାଳା, ଶ୍ରୀଭୁଜ, ଶ୍ରୀପୟର, ରତ୍ନପଦକ, ରତ୍ନକିରୀଟ, କରପଲ୍ଲବ, ମୁଦି, କଣ୍ଠମାଳ, ବଳା, ବାହୁଟି, କାନ୍ତ ଓ କଟି ମେଖଳା ଆଦି ବହୁବିଧ ରତ୍ନ ଅଳଙ୍କାରରେ ସଜେଇ ହୋଇଛନ୍ତି।

ସୁନାବେଶ ସ୍ବତନ୍ତ୍ର ନୀତି ନିର୍ଘଣ୍ଟ ଅନୁଯାୟୀ, ସନ୍ଧ୍ୟା ୫ଟାରୁ ସୁନାବେଶ ଆରମ୍ଭ ହେଇଥିବା ବେଳେ ଏହା ରାତି ୧୧ଟା ପର୍ଯ୍ୟନ୍ତ ଜାରି ରହିବ। ଏହା ପରେ ବେଶ ଓଲାଗି (ଖୋଲା ହେବ) ହେବ।

ଶ୍ରୀଜଗନ୍ନାଥଙ୍କ ଅଳଙ୍କାର-କିରୀଟ, ଶ୍ରୀଭୁଜ, ଶ୍ରୀପୟର, ଓଡ଼ିଆଣି, ଚନ୍ଦ୍ରସୂର୍ଯ୍ୟ, ଆଡ଼କାନି, ଘାଗଡ଼ା ମାଳି, କଦମ୍ବ ମାଳି, ତିଳକ, ଚନ୍ଦ୍ରିକା, ଅଳକା, ଝୋବାକଣ୍ଠି, ସ୍ବର୍ଣ୍ଣ ଚକ୍ର, ରୌପ୍ୟ ଶଙ୍ଖ, ହରିଡ଼ା, ବାହାଡ଼ା ମାଳି, ତାବିଜ ମାଳି, ସେବତୀ ମାଳି ଓ ତ୍ରିଖଣ୍ଡିକା କମରପଟି

ଶ୍ରୀବଳଭଦ୍ରଙ୍କ ଅଳଙ୍କାର-ଶ୍ରୀପୟର, ଶ୍ରୀଭୁଜ, କିରୀଟ, ଓଡ଼ିଆଣି, କୁଣ୍ଡଳ, ତ୍ରିଖଣ୍ଡିକା କମରପଟି, ଚନ୍ଦ୍ରସୂର୍ଯ୍ୟ, ସେବତୀ ମାଳି, ଆଡ଼କାନି, ବାଘନଖ ମାଳି, ଘାଗଡ଼ା ମାଳି, ବାହାଡ଼ା ମାଳି, କଦମ୍ବ ମାଳି, ତିଳକ, ଚନ୍ଦ୍ରିକା, ଅଳକା, ଝୋବା କଣ୍ଠି, ହଳ ଓ ମୂଷଳ

ଦେବୀ ସୁଭଦ୍ରାଙ୍କ ଅଳଙ୍କାର-କିରୀଟ, ଓଡ଼ିଆଣି, କାନ, ଚନ୍ଦ୍ରସୂର୍ଯ୍ୟ, ଘାଗଡ଼ା ମାଳି, କଦମ୍ବ ମାଳି, ୨ଟି ତଗଡ଼ି, ସେବତୀ ମାଳି

ଭକ୍ତମାନଙ୍କର ଶୃଙ୍ଖଳିତ ଦର୍ଶନ ତଥା ଭିଡ଼ ନିୟନ୍ତ୍ରଣ ପାଇଁ ପ୍ରତିବର୍ଷ ଭଳି ମାର୍କେଟ୍‌ ଛକରୁ ବଡ଼ଦାଣ୍ଡରେ ବାରିକେଡ୍‌ ବ୍ୟବସ୍ଥା କରାଯାଇଛି। ଭକ୍ତ ବଡ଼ଦାଣ୍ଡରେ ବାମପାର୍ଶ୍ବରୁ ଦର୍ଶନ ପାଇଁ ପ୍ରବେଶ କରୁଛନ୍ତି। ରଥ ଆଗ ଦେଇ ଦର୍ଶନ ସାରିବା ପରେ ଡାହାଣ ପାର୍ଶ୍ବରେ ପ୍ରସ୍ଥାନ କରୁଛନ୍ତି।

ବାହୁଡ଼ା ଯାତ୍ରା ପରେ ଆଷାଢ଼ ଶୁକ୍ଳ ଏକାଦଶୀରେ ସିଂହଦ୍ୱାର ସମ୍ମୁଖରେ ରଥ ଉପରେ ମହାପ୍ରଭୁ ଶ୍ରୀଜଗନ୍ନାଥ, ଶ୍ରୀବଳଭଦ୍ର ଓ ଦେବୀ ସୁଭଦ୍ରା ସୁନାବେଶରେ ଭକ୍ତମାନଙ୍କୁ ଦିବ୍ୟ ଦର୍ଶନ ଦେଇଥାନ୍ତି ।

ଆସନ୍ତାକାଲି ଅଧରନୀତି ଓ ଶ୍ରୀଗରୁଡ଼ ଶୟନ ନୀତି ଓ ୨୭ରେ ତ୍ରୟୋଦଶୀରେ ନୀଳାଦ୍ରି ବିଜେ ପର୍ବ ଅନୁଷ୍ଠିତ ହେବ ।

Leave A Reply

Your email address will not be published.