ଭୁବନେଶ୍ୱର: କେନ୍ଦ୍ର ଶିକ୍ଷା ମନ୍ତ୍ରୀ ପଦରୁ ଧର୍ମେନ୍ଦ୍ର ପ୍ରଧାନ ଇସ୍ତଫା ଦେବାର କିଛି ସମୟ ପରେ ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବରିଷ୍ଠ ବିଜେପି ନେତାଙ୍କୁ “ଜନସେବା ପ୍ରତି ଅଟଳ ସମର୍ପଣ” ପାଇଁ ପ୍ରଶଂସା କରିଛନ୍ତି।
କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଭାବେ ଧର୍ମେନ୍ଦ୍ର ପ୍ରଧାନ ‘ଜାତୀୟ ଶିକ୍ଷା ନୀତି (NEP 2020)’ ଭଳି ଐତିହାସିକ ନୀତିକୁ କାର୍ଯ୍ୟକାରୀ କରିବା ସହ ଦେଶର କୋଟି କୋଟି ଛାତ୍ରଛାତ୍ରୀଙ୍କ ଭବିଷ୍ୟତକୁ ସୁଦୃଢ଼ କରିବା ପାଇଁ ଶିକ୍ଷାରେ ଅନେକ ଗୁରୁତ୍ୱପୂର୍ଣ୍ଣ ସଂସ୍କାର ଆଣିଛନ୍ତି। ବୃହତ୍ତର ସାମାଜିକ ହିତ ଓ ନୈତିକ ମୂଲ୍ୟବୋଧକୁ ପ୍ରାଥମିକତା ଦେଇ ପଦବୀରୁ ଇସ୍ତଫା ଦେବା ପାଇଁ ସେ ଗ୍ରହଣ କରିଥିବା ନିଷ୍ପତ୍ତି ତାଙ୍କ ଉଚ୍ଚ ନୀତି ଆଦର୍ଶର ପରିଚାୟକ ବୋଲି ମୁଖ୍ୟମନ୍ତ୍ରୀ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ସୂଚନା ଦେଇଛନ୍ତି।
ଆହୁରି ମଧ୍ୟ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଆଶୀର୍ବାଦରୁ ଆଗାମୀ ଦିନରେ ତାଙ୍କର ଏହି କର୍ମମୟ ଯାତ୍ରା ଆହୁରି ଅଧିକ ସଫଳତା ଓ ପ୍ରତିଷ୍ଠା ଆଣିଦେବ ବୋଲି ଆମେ ଦୃଢ଼ ବିଶ୍ୱାସୀ ବୋଲି ସେ ପ୍ରକାଶ କରିଛନ୍ତି।
ଉଲ୍ଲେଖଯୋଗ୍ୟ, ଦେଶରେ ପେପର ଲିକ୍ ନେଇ ଚାଲିଥିବା ଅସନ୍ତୋଷ ମଧ୍ୟରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି ଧର୍ମେନ୍ଦ୍ର ପ୍ରଧାନ । ସିଜେପି ଚାପ ଏବଂ ଜନ୍ତରମନ୍ତରରେ ଛାତ୍ରଛାତ୍ରୀଙ୍କ ଆନ୍ଦୋଳନ ଭିତରେ ଶନିବାର ନିଜ ପଦରୁ ଇସ୍ତଫା ଦେଇଛନ୍ତି ଧର୍ମେନ୍ଦ୍ର ପ୍ରଧାନ ।
ଧର୍ମେନ୍ଦ୍ର ପ୍ରଧାନ ତାଙ୍କ ଇସ୍ତଫାପତ୍ର ସୋସିଆଲ ମିଡିଆରେ ପୋଷ୍ଟ କରି ଇସ୍ତଫାର କାରଣ ମଧ୍ୟ ବାଖ୍ୟା କରିଛନ୍ତି। ଏକ ଲମ୍ବା ଚଉଡା ଚିଠିରେ ସେ ଲେଖିଛନ୍ତି ଯେ, ପ୍ରାୟ ଚାରି ଦଶନ୍ଧିରୁ ଅଧିକ ସମୟ ଧରି ସେ ଛାତ୍ର, ଶିକ୍ଷକ ଏବଂ ଶିକ୍ଷା ସଂସ୍କାର ପାଇଁ କାର୍ଯ୍ୟ କରିଛନ୍ତି। ସେ ସର୍ବଦା ବିଶ୍ୱାସ କରିଛନ୍ତି ଯେ ଏକ ଦୃଢ଼, ଅନ୍ତର୍ଭୁକ୍ତ ଏବଂ ଦୂରଦୃଷ୍ଟିସମ୍ପନ୍ନ ଶିକ୍ଷା ବ୍ୟବସ୍ଥା ଯେକୌଣସି ଦେଶର ବିକାଶର ମୂଳଦୁଆ। ମୁଁ ଦେଶର ଯୁବପିଢ଼ିଙ୍କ ଆକାଂକ୍ଷା, ଭାବନା ଏବଂ ନ୍ୟାୟପୂର୍ଣ୍ଣ ଆଶାକୁ ଗଭୀର ଭାବରେ ସମ୍ମାନ କରେ। ଭାରତର ଯୁବପିଢ଼ିଙ୍କ ସ୍ୱପ୍ନ ପୂରଣ କରିବା ଆମ ରାଜନୈତିକ ଏବଂ ସାମାଜିକ ଜୀବନରେ ଏକ ନୈତିକ ପ୍ରତିବଦ୍ଧତା ହୋଇଛି। ପ୍ରଧାନମନ୍ତ୍ରୀଙ୍କ ଦୂରଦୃଷ୍ଟିସମ୍ପନ୍ନ ନେତୃତ୍ୱରେ ଦେଶ ସେବା କରିବାର ସୁଯୋଗ ପାଇଁ ମୁଁ ତାଙ୍କ ପ୍ରତି କୃତଜ୍ଞତା ପ୍ରକାଶ କରୁଛି।”