Anahat Singh: ଇତିହାସ ରଚିଲେ ଅନାହତ ସିଂହ, ବିଶ୍ୱ ଜୁନିୟର ସ୍କ୍ୱାସ୍ ଚାମ୍ପିଅନଶିପ୍ ଜିତିବାରେ ହେଲେ ପ୍ରଥମ ଭାରତୀୟ
ନୂଆଦିଲ୍ଲୀ: ଭାରତୀୟ ସ୍କ୍ୱାସ୍ ଇତିହାସରେ ଏକ ନୂଆ ଅଧ୍ୟାୟ ଯୋଡ଼ିଛନ୍ତି ୧୮ ବର୍ଷୀୟା ଷ୍ଟାର ଖେଳାଳି ଅନାହତ ସିଂହ। କାନାଡାର ନିଆଗ୍ରା-ଅନ-ଦ-ଲେକ୍ (Niagara-on-the-Lake) ଠାରେ ଆୟୋଜିତ ବିଶ୍ୱ ଜୁନିୟର ସ୍କ୍ୱାସ୍ ଚାମ୍ପିଅନଶିପର ମହିଳା ସିଙ୍ଗଲ୍ସ ଫାଇନାଲରେ ଇଜିପ୍ଟର ରୁକାୟା ସାଲେମଙ୍କୁ ସିଧାସଳଖ ଗେମ୍ରେ ପରାସ୍ତ କରି ସେ ଚାମ୍ପିଅନ ହୋଇଛନ୍ତି। ଏହା ସହିତ ସେ ବିଶ୍ୱ ଜୁନିୟର ସ୍କ୍ୱାସ୍ ଚାମ୍ପିଅନଶିପ୍ ଜିତିବାରେ ପ୍ରଥମ ଭାରତୀୟ ଖେଳାଳି ଭାବେ ଇତିହାସ ସୃଷ୍ଟି କରିଛନ୍ତି।
ଟପ୍ ସିଡ୍ ଭାବେ ଟୁର୍ଣ୍ଣାମେଣ୍ଟ ଖେଳୁଥିବା ଅନାହତ ଫାଇନାଲରେ ଦ୍ୱିତୀୟ ସିଡ୍ ଇଜିପ୍ଟର ରୁକାୟା ସାଲେମ୍ଙ୍କୁ ୧୧-୩, ୧୧-୭, ୧୧-୯ ଗେମ୍ରେ ପରାସ୍ତ କରି କ୍ୟାରିୟରର ସବୁଠାରୁ ବଡ଼ ଟାଇଟଲ ଜିତିଛନ୍ତି। ସମଗ୍ର ଫାଇନାଲରେ ସେ ଗୋଟିଏ ମଧ୍ୟ ଗେମ୍ ହାରିନଥିଲେ।
ଅନାହତଙ୍କ ଏହି ବିଜୟ କେବଳ ଭାରତ ପାଇଁ ନୁହେଁ, ବିଶ୍ୱ ସ୍କ୍ୱାସ୍ ପାଇଁ ମଧ୍ୟ ଐତିହାସିକ। ୨୦୧୦ରେ ଆମେରିକାର ଅମାଣ୍ଡା ସୋଭି ଟାଇଟଲ ଜିତିବା ପରେ ପ୍ରଥମ ଥର ପାଇଁ କୌଣସି ଅଣ-ଇଜିପ୍ଟୀୟ ଖେଳାଳି ଏହି ଚାମ୍ପିଅନଶିପ୍ ଜିତିଛନ୍ତି। ଏହା ସହ ଇଜିପ୍ଟର ଲଗାତାର ୧୫ ବର୍ଷର ଦବଦବା ମଧ୍ୟ ଶେଷ ହୋଇଛି। ଭାରତ ପାଇଁ ଏହି ସଫଳତା ଆହୁରି ସ୍ୱତନ୍ତ୍ର। ୨୦୦୫ରେ ଜୋଶନା ଚିନାପ୍ପା ବିଶ୍ୱ ଜୁନିୟର ଚାମ୍ପିଅନଶିପ୍ରେ ରନର୍ସଅପ୍ ହୋଇଥିଲେ। କିନ୍ତୁ ଏହାପରେ କୌଣସି ଭାରତୀୟ ଫାଇନାଲ ଜିତିପାରିନଥିଲେ। ଏବେ ଅନାହତ ସେଥିରେ ପୂର୍ଣ୍ଣଚ୍ଛେଦ ପକାଇଛନ୍ତି।
ଚଳିତ ସପ୍ତାହରେ ଅନାହତ ଫାଇନାଲକୁ ପହଞ୍ଚି ୨୧ ବର୍ଷର ଅପେକ୍ଷା ଶେଷ କରିଥିଲେ। ପରେ ଫାଇନାଲରେ ବିଜୟୀ ହୋଇ ନୂଆ ଇତିହାସ ଲେଖିଛନ୍ତି। ସମଗ୍ର ଟୁର୍ଣ୍ଣାମେଣ୍ଟରେ ତାଙ୍କର ଦମଦାର ପ୍ରଦର୍ଶନ ଦେଖିବାକୁ ମିଳିଥିଲା । ଟୁର୍ଣ୍ଣାମେଣ୍ଟରେ ଅନାହତ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ଆଧିପତ୍ୟ ବିସ୍ତାର କରିଥିଲେ। କ୍ୱାର୍ଟର ଫାଇନାଲରେ ସେ ଇଜିପ୍ଟର ହବିବା ରିଜ୍କଙ୍କୁ ପରାସ୍ତ କରିଥିଲେ। ସେମିଫାଇନାଲରେ ଆଉ ଜଣେ ଇଜିପ୍ଟୀୟ ଖେଳାଳି ବାର୍ବ ସାମେହଙ୍କୁ ୩-୧ ଗେମ୍ରେ ହରାଇ ଫାଇନାଲରେ ପ୍ରବେଶ କରିଥିଲେ। ଫାଇନାଲରେ ରୁକାୟା ସାଲେମ୍ଙ୍କୁ ମଧ୍ୟ ସିଧାସଳଖ ଗେମ୍ରେ ପରାସ୍ତ କରି ଚାମ୍ପିଅନ ହୋଇଥିଲେ।
ଫାଇନାଲ ମ୍ୟାଚ୍ରେ ଅନାହତ ଅସାଧାରଣ ଧୈର୍ଯ୍ୟ, ରଣନୀତି ଓ ଆତ୍ମବିଶ୍ୱାସର ପ୍ରଦର୍ଶନ କରିଥିଲେ। ପ୍ରଥମ ଗେମ୍କୁ ୧୧-୩ରେ ସହଜରେ ଜିତିବା ପରେ ଦ୍ୱିତୀୟ ଗେମ୍ରେ ୧୧-୭ରେ ନିୟନ୍ତ୍ରଣ ବଜାୟ ରଖିଥିଲେ। ତୃତୀୟ ଗେମ୍ରେ କଡ଼ା ମୁକାବିଲା ସତ୍ତ୍ୱେ ୧୧-୯ରେ ବିଜୟୀ ହୋଇ ମ୍ୟାଚ୍ ଶେଷ କରିଥିଲେ।
ଅନାହତ ସିଂହଙ୍କ ପାଇଁ ୨୦୨୬ ବର୍ଷଟି ଅତ୍ୟନ୍ତ ସଫଳ ରହିଛି। ସେ ଏବେ ବିଶ୍ୱର ଶ୍ରେଷ୍ଠ ୨୦ ରାଙ୍କିଙ୍ଗ ମଧ୍ୟରେ ସ୍ଥାନ ପାଇଛନ୍ତି। ଏହାସହ ଏକାଧିକ PSA ଟାଇଟଲ ଜିତିବା ସହ ଏସୀୟ କ୍ରୀଡ଼ାରେ ପଦକ ହାସଲ କରିସାରିଛନ୍ତି। ବରିଷ୍ଠ ସ୍ତରରେ ମଧ୍ୟ ତାଙ୍କ ପ୍ରଦର୍ଶନ କ୍ରମାଗତ ଭାବେ ଉନ୍ନତ ହେଉଛି।
ଏହି ଐତିହାସିକ ବିଜୟ ସହ ଅନାହତ ସିଂହ କେବଳ ଭାରତୀୟ ସ୍କ୍ୱାସ୍ର ଇତିହାସକୁ ବଦଳାଇନାହାନ୍ତି, ବରଂ ବିଶ୍ୱ ସ୍କ୍ୱାସ୍ର ଅନ୍ୟତମ ଉଦୀୟମାନ ତାରକା ଭାବେ ନିଜକୁ ପ୍ରତିଷ୍ଠିତ କରିଛନ୍ତି। ୨୦୨୮ ଲସ୍ ଏଞ୍ଜେଲସ୍ ଅଲିମ୍ପିକ୍ସରେ ପ୍ରଥମ ଥର ପାଇଁ ସ୍କ୍ୱାସ୍ ସାମିଲ ହେବାକୁ ଥିବାରୁ, ଅନାହତଙ୍କ ଏହି ସଫଳତା ଭାରତ ପାଇଁ ପଦକ ଆଶାକୁ ଆହୁରି ବଳବତ୍ତର କରିଛି।