Tej Pratap Yadav : ବଢିଲା ଲାଲୁଙ୍କ ପୁଅଙ୍କ ଅଡୁଆ, ନିଟ୍ ପେପର ଲିକ୍ ପ୍ରତିବାଦ ମାମଲାରେ ୧୪ ଦିନିଆ ନ୍ୟାୟିକ ହେପାଜତକୁ ଗଲେ ତେଜ ପ୍ରତାପ ଯାଦବ
ପାଟନା: ନିଟ୍ (NEET) ପ୍ରଶ୍ନପତ୍ର ଲିକ୍ ଘଟଣାକୁ ନେଇ ବିହାର ବନ୍ଦ ସମୟରେ ଛାତ୍ର ଆନ୍ଦୋଳନକୁ ସମର୍ଥନ କରିବା ପରେ ଗିରଫ ହୋଇଥିବା ଲାଲୁ ପ୍ରସାଦ ଯାଦବଙ୍କ ବଡ ପୁଅ ତଥା ଜନ ଶକ୍ତି ଜନତା ଦଳ (JSJD)ର ମୁଖ୍ୟ ତେଜ ପ୍ରତାପ ଯାଦବଙ୍କୁ ୧୪ ଦିନ ପାଇଁ ନ୍ୟାୟିକ ହାଜତକୁ ପଠାଇଛନ୍ତି ଅଦାଲତ। ଶନିବାର ବିଳମ୍ବିତ ରାତିରେ ତାଙ୍କୁ ଅଦାଲତରେ ହାଜର କରାଯାଇଥିଲା। ଏହାପରେ ବିଚାରପତି ତାଙ୍କୁ ଜୁଲାଇ ୧୪ ଦିନିଆ ନ୍ୟାୟିକ ହାଜତକୁ ପଠାଇବାକୁ ନିର୍ଦ୍ଦେଶ ଦେଇଥିଲେ। ପରେ ତାଙ୍କୁ ପାଟନାର ବେଉର କେନ୍ଦ୍ରୀୟ କାରାଗାରକୁ ପଠାଯାଇଛି।
ଶନିବାର ନିଟ୍ ପେପର ଲିକ୍ ବିବାଦ ଏବଂ ଛାତ୍ର ଆନ୍ଦୋଳନକାରୀଙ୍କ ବିରୋଧରେ ପୋଲିସ କାର୍ଯ୍ୟାନୁଷ୍ଠାନକୁ ବିରୋଧ କରି ବିହାରର ବିଭିନ୍ନ ବିରୋଧୀ ଦଳ ଓ ସାମାଜିକ ସଂଗଠନ ‘ବିହାର ବନ୍ଦ’ ଡାକରା ଦେଇଥିଲେ। ଏହି ସମୟରେ ପାଟନାରେ ପୋଲିସ ଓ ଆନ୍ଦୋଳନକାରୀଙ୍କ ମଧ୍ୟରେ ହିଂସାତ୍ମକ ସଂଘର୍ଷ ହୋଇଥିଲା। ପ୍ରତିବାଦକାରୀମାନେ ପୋଲିସ ଗାଡ଼ି ଭଙ୍ଗାରୁଜା କରିବା ସହ କେତେକ ଗାଡ଼ିକୁ ଓଲଟାଇ ଦେଇଥିଲେ। ଏହାପରେ ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା।
ଆନ୍ଦୋଳନ ସମୟରେ ଲାଲୁ ପ୍ରସାଦ ଯାଦବଙ୍କ ବଡ଼ ପୁଅ ତେଜ ପ୍ରତାପ ଯାଦବ ପାଟନାର ରାମ ଗୁଲାମ ଚକରେ ପହଞ୍ଚି ଛାତ୍ରଙ୍କ ସହ ଯୋଗ ଦେଇଥିଲେ। ସେଠାରେ ଛାତ୍ରଙ୍କ ଦାବିକୁ ସମର୍ଥନ ଜଣାଇବା ପରେ ପୋଲିସ ତାଙ୍କୁ ଅଟକ ରଖିଥିଲା। ପରେ ଗାନ୍ଧୀ ମଇଦାନ ଥାନାରେ ତାଙ୍କ ବିରୋଧରେ ଏଫଆଇଆର୍ ରୁଜୁ କରାଯାଇଥିଲା। ସେହିଦିନ ସନ୍ଧ୍ୟାରେ ଡାକ ବଙ୍ଗଲୋ ଛକ ନିକଟ ଏକ ମଲ୍ରୁ ପାଟନା ପୋଲିସ ତାଙ୍କୁ ଗିରଫ କରି ଦୀଘା ଥାନାକୁ ନେଇଥିଲା।
ଗିରଫ ପୂର୍ବରୁ ତେଜ ପ୍ରତାପ ଯାଦବ କହିଥିଲେ, “ଛାତ୍ରଛାତ୍ରୀଙ୍କ ଦାବି ସମ୍ପୂର୍ଣ୍ଣ ଯଥାର୍ଥ। ସରକାର ସେମାନଙ୍କ ଦାବି ପୂରଣ କରିବା ଉଚିତ। ଆମେ ଛାତ୍ର ଓ ଯୁବବର୍ଗଙ୍କ ସହ ଦୃଢ଼ ଭାବେ ଛିଡ଼ା ହୋଇଛୁ। ଆବଶ୍ୟକ ପଡ଼ିଲେ ଛାତ୍ରଙ୍କ ପାଇଁ ଜୀବନ ଦେବାକୁ ମଧ୍ୟ ପ୍ରସ୍ତୁତ।”
ତେଜ ପ୍ରତାପ ଯାଦବଙ୍କ ଓକିଲ ଜଗନ୍ନାଥ ସିଂହ କହିଛନ୍ତି ଯେ, ତାଙ୍କ ମୁକ୍ତ କରିବା ପାଇଁ ସୋମବାର ଜାମିନ ଆବେଦନ କରାଯିବ।
ଗିରଫ ପରେ ତେଜ ପ୍ରତାପଙ୍କ ସମର୍ଥକମାନେ ପାଟନା ପୋଲିସ ଉପରେ ଅସନ୍ତୋଷ ପ୍ରକାଶ କରିଥିଲେ। ସେମାନଙ୍କ ଅଭିଯୋଗ, ପୋଲିସ ତେଜ ପ୍ରତାପଙ୍କୁ କେଉଁଠି ରଖାଯାଇଛି କିମ୍ବା କେଉଁ ଅଭିଯୋଗରେ ଗିରଫ କରାଯାଇଛି, ସେନେଇ ସ୍ପଷ୍ଟ ସୂଚନା ଦେଇନଥିଲା।
ଏହି ଘଟଣା ପରେ ବିହାରରେ ନିଟ୍ ପେପର ଲିକ୍କୁ ନେଇ ରାଜନୈତିକ ଉଷ୍ମତା ଆହୁରି ବଢ଼ିଛି ଏବଂ ବିରୋଧୀ ଦଳମାନେ ସରକାର ଉପରେ ଚାପ ବଢ଼ାଇବା ଜାରି ରଖିଛନ୍ତି।