Latest Odisha News

BREAKING NEWS

ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ପରେ ନୂଆ ଦାୟିତ୍ୱ ନେଲେ ପ୍ରହଲ୍ଲାଦ ଯୋଶୀ

ନୂଆଦିଲ୍ଲୀ: ବହୁଚର୍ଚ୍ଚିତ ‘ନିଟ୍’ ପ୍ରଶ୍ନପତ୍ର ଲିକ୍ ମାମଲା ଏବଂ ଦେଶବ୍ୟାପୀ ତୀବ୍ର ଛାତ୍ର ଅସନ୍ତୋଷ ଶେଷରେ କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟରେ ଆଣିଛି ଏକ ବଡ଼ ଧରଣର ପରିବର୍ତ୍ତନ। ଦୀର୍ଘ ଦିନ ଧରି ଲାଗି ରହିଥିବା ବିକ୍ଷୋଭ ଏବଂ ବିରୋଧୀଙ୍କ ଲଗାତାର ଚାପ ଆଗରେ ମୁଣ୍ଡ ନୁଆଁଇ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି ଓଡ଼ିଶାର ହେଭିୱେଟ୍ ନେତା ଧର୍ମେନ୍ଦ୍ର ପ୍ରଧାନ। ତାଙ୍କ ଇସ୍ତଫା ପରେ ଖାଲି ପଡ଼ିଥିବା ଏହି ଗୁରୁତ୍ୱପୂର୍ଣ୍ଣ ବିଭାଗର ମଙ୍ଗ ଏବେ ବରିଷ୍ଠ ବିଜେପି ନେତା ତଥା କେନ୍ଦ୍ର ମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀଙ୍କ ହାତରେ ଅର୍ପଣ କରାଯାଇଛି। ରବିବାର ଦିନ ଯୋଶୀ ନୂଆ ଶିକ୍ଷା ମନ୍ତ୍ରୀ ଭାବେ ଆନୁଷ୍ଠାନିକ ଭାବେ କାର୍ଯ୍ୟଭାର ଗ୍ରହଣ କରିଛନ୍ତି।

 

ସମ୍ବିଧାନର ଧାରା ୭୫(୨) ଅନୁଯାୟୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପରାମର୍ଶ କ୍ରମେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଶନିବାର ସନ୍ଧ୍ୟାରେ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫାପତ୍ରକୁ ଗ୍ରହଣ କରିଥିଲେ। ଏହା ସହିତ ପ୍ରହଲ୍ଲାଦ ଯୋଶୀଙ୍କୁ ଶିକ୍ଷା ମନ୍ତ୍ରଣାଳୟର ଅତିରିକ୍ତ ଦାୟିତ୍ୱ ପ୍ରଦାନ କରାଯାଇଥିବା ନେଇ ରାଷ୍ଟ୍ରପତି ଭବନ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ସୂଚନାଯୋଗ୍ୟ ଯେ, ପ୍ରହ୍ଲାଦ ଯୋଶୀ ବର୍ତ୍ତମାନ କେନ୍ଦ୍ର ଖାଉଟି ବ୍ୟାପାର, ଖାଦ୍ୟ ଓ ସାଧାରଣ ବଣ୍ଟନ ଏବଂ ନବୀକରଣଯୋଗ୍ୟ ଶକ୍ତି ବିଭାଗର ମନ୍ତ୍ରୀ ଭାବେ ସଫଳତାର ସହ କାର୍ଯ୍ୟ କରୁଛନ୍ତି। ଏହି ସବୁ ଦାୟିତ୍ୱ ସହ ସେ ଏବେ ଶିକ୍ଷା ବିଭାଗ ଭଳି ଏକ ଚ୍ୟାଲେଞ୍ଜିଂ ମନ୍ତ୍ରଣାଳୟକୁ ମଧ୍ୟ ତୁଲାଇବେ।

 

ପ୍ରଶ୍ନପତ୍ର ଫାସ ଓ ନ୍ୟାସନାଲ ଟେଷ୍ଟିଂ ଏଜେନ୍ସିର ପରିଚାଳନାଗତ ତ୍ରୁଟିକୁ ନେଇ ଦିଲ୍ଲୀର ଯନ୍ତରମନ୍ତରଠାରେ ଛାତ୍ର ସଂଗଠନଗୁଡ଼ିକ ୩୫ ଦିନରୁ ଊର୍ଦ୍ଧ୍ୱ ସମୟ ଧରି ବିକ୍ଷୋଭ ପ୍ରଦର୍ଶନ କରୁଥିଲେ। ଦେଶର ଲକ୍ଷ ଲକ୍ଷ ଛାତ୍ରଛାତ୍ରୀଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ଏବଂ ଦେଶବିରୋଧୀ ଶକ୍ତିମାନେ ଏହି ସମ୍ବେଦନଶୀଳ ସ୍ଥିତିର ଫାଇଦା ଯେପରି ନଉଠାନ୍ତି, ତାହାକୁ ଏଡ଼ାଇବା ପାଇଁ ଧର୍ମେନ୍ଦ୍ର ପ୍ରଧାନ ନୈତିକତା ଦୃଷ୍ଟିରୁ ନିଜ ପଦରୁ ଇସ୍ତଫା ଦେଇଥିବା ସ୍ପଷ୍ଟ କରିଥିଲେ।

 

ନୂଆ ଦାୟିତ୍ୱ ଗ୍ରହଣ କରିବା ପରେ ପ୍ରହଲ୍ଲାଦ ଯୋଶୀ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ କୃତଜ୍ଞତା ଜଣାଇଛନ୍ତି। ସେ କହିଛନ୍ତି ଯେ, ଏକ ବଡ଼ ଦାୟିତ୍ୱବୋଧ ଏବଂ ନମ୍ରତାର ସହ ସେ ଏହି ପଦବୀକୁ ଗ୍ରହଣ କରୁଛନ୍ତି। ଗତ କିଛି ବର୍ଷ ଧରି ଧର୍ମେନ୍ଦ୍ର ପ୍ରଧାନ ଜାତୀୟ ଶିକ୍ଷା ନୀତିର ସଫଳ ରୂପାୟନ ଏବଂ ଅନ୍ୟାନ୍ୟ ପ୍ରକଳ୍ପ ପାଇଁ ଯେଉଁ ମୂଳଦୁଆ ପକାଇଛନ୍ତି, ତାହାକୁ ସେ ପ୍ରଧାନମନ୍ତ୍ରୀଙ୍କ ମାର୍ଗଦର୍ଶନରେ ନିଷ୍ଠାର ସହ ଆଗକୁ ନେବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି।

 

ତେବେ ଶିକ୍ଷା କ୍ଷେତ୍ରରେ ଚାଲିଥିବା ଘଡ଼ିସନ୍ଧି ମୁହୂର୍ତ୍ତରେ ନୂଆ ମନ୍ତ୍ରୀଙ୍କ ପାଇଁ ବାଟ ଆଦୌ ସହଜ ହେବ ନାହିଁ। ବର୍ତ୍ତମାନ ସମୟରେ NTAରେ ବ୍ୟାପକ ସଂସ୍କାର ଆଣିବା, ପରୀକ୍ଷା ବ୍ୟବସ୍ଥାକୁ ସମ୍ପୂର୍ଣ୍ଣ ସ୍ୱଚ୍ଛ ଓ ନିଖୁଣ କରିବା, ନୂଆ ପରୀକ୍ଷା ଢାଞ୍ଚା ପ୍ରସ୍ତୁତ କରିବା ଏବଂ ଚାଲିଥିବା ସଂସଦ ଅଧିବେଶନରେ ବିରୋଧୀଙ୍କ ତୀକ୍ଷ୍ଣ ପ୍ରଶ୍ନର ସାମ୍ନା କରିବା ପ୍ରହଲ୍ଲାଦ ଯୋଶୀଙ୍କ ପାଇଁ ସବୁଠାରୁ ବଡ଼ ଆହ୍ୱାନ ହେବ।

Leave A Reply

Your email address will not be published.