ପୁରୀ:୧୨ ଦିନର ଲୀଳାଖେଳା ଶେଷ ପରେ ଚତୁର୍ଦ୍ଧାମୂର୍ତ୍ତି ନୀଳାଦ୍ରି ବିଜେ କରିଛନ୍ତି । ଆଜିଠୁ ରତ୍ନ ସିଂହାସନରେ ଭକ୍ତ ମାନଙ୍କୁ ଦର୍ଶନ ଦେବେ । ଗୋଟି ପହଣ୍ଡିରେ ପ୍ରଥମେ ସୁଦର୍ଶନ, ପରେ ବଡ଼ଠାକୁର, ଦେବୀ ସୁଭଦ୍ରା ଓ ଶେଷରେ କାଳିଆ ସାଆନ୍ତ ରତ୍ନବେଦୀକୁ ବିଜେ କରିଛନ୍ତି । ଘଣ୍ଟ, ଘଣ୍ଟା, କାହାଳୀ ଓ ଶଙ୍ଖଧ୍ୱନି ସହ ‘ଜୟ ଜଗନ୍ନାଥ’ ଓ ‘ହରିବୋଲ’ ଧ୍ୱନିରେ ପ୍ରକମ୍ପିତ ହୋଇଥିଲା ଶ୍ରୀମନ୍ଦିର ପରିସର ।
ପୁରୀରେ ପ୍ରବଳ ବର୍ଷା ଯୋଗୁଁ ଶ୍ରୀଜିଉ ମାନଙ୍କ ପହଣ୍ଡି ନୀତିରେ ବିଳମ୍ବ ହୋଇଥିଲା । ପ୍ରଥମେ ପ୍ରଭୁ ସୁଦର୍ଶନଙ୍କ ପହଣ୍ଡି ରାତି ୯ଟାରେ ଆରମ୍ଭ ହୋଇଥିଲା । ବଡ଼ଠାକୁରଙ୍କ ପହଣ୍ଡି ରାତି ପ୍ରାୟ ସାଢେ ୯ଟାରେ ହୋଇଥିଲା । ରାତି ୧୧ଟା ୧୫ରେ ମା’ ସୁଭଦ୍ରାଙ୍କ ପହଣ୍ଡି ଆରମ୍ଭ ହୋଇ ରତ୍ନବେଦୀରେ ସାଢେ ୧୧ଟାରେ ପହଞ୍ଚିଥିଲେ। ଶେଷରେ ବିଶ୍ବନିୟନ୍ତା କାଳିଆ ସାଆନ୍ତଙ୍କ ପହଣ୍ଡି ହୋଇଥିଲା ।
ନୀଳାଦ୍ରି ବିଜେର ସବୁଠୁ ରୋଚକ ପରମ୍ପରା ହେଉଛି ଲକ୍ଷ୍ମୀ-ନାରାୟଣ ବଚନିକା । ମହାପ୍ରଭୁ ତାଙ୍କୁ ସାଙ୍ଗରେ ନନେଇ ଗୁଣ୍ଡିଚା ଯାତ୍ରା କରିଥିବାରୁ ଅଭିମାନ କରିଥାନ୍ତି ମା’ ଲକ୍ଷ୍ମୀ । ମହାପ୍ରଭୁଙ୍କ ପାଇଁ ସିଂହଦ୍ୱାର ବନ୍ଦ ହୁଏ । ସେବାୟତଙ୍କ ମାଧ୍ୟମରେ ଚାଲେ ମାନ-ଅଭିମାନର ରୋଚକ ବଚନିକା । ଶେଷରେ ମା’ ଲକ୍ଷ୍ମୀଙ୍କ ମାନଭଞ୍ଜନ ପାଇଁ ମହାପ୍ରଭୁଙ୍କ ପକ୍ଷରୁ ଅର୍ପଣ କରାଯାଏ ରସଗୋଲା । ମା’ଙ୍କ ଅଭିମାନ ଭାଙ୍ଗିବା ପରେ ମହାପ୍ରଭୁଙ୍କ ଶ୍ରୀମନ୍ଦିର ପ୍ରବେଶର ବାଟ ଫିଟେ । ପ୍ରାୟ ସାଢେ ଗୋଟାଏ ବେଳକୁ ଶ୍ରୀମନ୍ଦିରରେ ପ୍ରବେଶ କରିଥିଲେ ।
ଆଜିଠୁ ନୀଳାଚଳ ଅବଢ଼ା ମିଳିବ। ସ୍ନାନପୂର୍ଣ୍ଣିମାଠାରୁ ଆଜି ପର୍ଯ୍ୟନ୍ତ ବନ୍ଦ ଥିଲା ନୀଳାଚଳ ଅବଢ଼ା । ମାସେ ପରେ ଆଜି ଶ୍ରୀମନ୍ଦିରରେ ମହାପ୍ରସାଦ ବାହାରୁ ଥିବାରୁ ଭକ୍ତମାନେ କଣିକାଟିଏ ପାଇବା ପାଇଁ ଆତୁର ହୋଇ ରହିଛନ୍ତି ।