ନୂଆଦିଲ୍ଲୀ: ଚଳନ୍ତା ଟ୍ରେନରେ ଧୂପ-ଦୀପ ଲଗାଇ ପୂଜା କରୁଥିବାର ଜଣେ ଯାତ୍ରୀଙ୍କ ଭିଡିଓ ସାମ୍ନାକୁ ଆସିଛି । ଭିଡିଓରେ ଯାତ୍ରା ଜଣଙ୍କ ଟ୍ରେନର ଏସି କୋଚରେ ବସି ଧୂପ ଦୀପ ଲଗାଇ ପୂଜା କରୁଛନ୍ତି । ଯାହାକୁ ଦେଖି ଅନ୍ୟ ଯାତ୍ରୀ ମାନେ ଭୟଭୀତ ହୋଇଯାଉଛନ୍ତି । ଭାଇରାଲ ହେଉଥିବା ଏହି ଭିଡିଓକୁ ଦେଖି ସୋସିଆଲ ମିଡିଆରେ ତୀବ୍ର ପ୍ରତିକ୍ରିୟା ଦେଖିବାକୁ ମିଳିଛି। ।
ଭାଇରାଲ ହେଉଥିବା ଭିଡିଓରେ ଦେଖାଯାଉଛି ଯେ, ବ୍ୟକ୍ତି ଜଣଙ୍କ ଟ୍ରେନର ଏସି କୋଚ୍ ରେ ଉପର ବର୍ଥରେ ବସି ପୂଜାପାଠ କରୁଛନ୍ତି । ତାଙ୍କ ସାମ୍ନାରେ ଏକ ଧୂପକାଠି ଏବଂ ତେଲ ଦୀପ ଜଳୁଛି । ଟ୍ରେନ କ୍ରମାଗତ ଭାବେ ଚାଲୁଥିଲେ ମଧ୍ୟ ସେ ଖୋଲା ନିଆଁ ବ୍ୟବହାର କରି ପୂଜା ପାଠ କରୁଛନ୍ତି । ଏହା ଦେଖି ଅନ୍ୟ ଯାତ୍ରୀ ମାନେ ତାଙ୍କୁ ଏପରି କରିବାରୁ ବାରଣ କରୁଛନ୍ତି ଆଉ ବୁଝଉଛନ୍ତି ଯେ, ଚଳନ୍ତା ଟ୍ରେନରେ ନିଆଁ ଜାଳିବା ଅତ୍ୟନ୍ତ ବିପଜ୍ଜନକ ଏବଂ ଏହା ଦ୍ୱାରା ବଡ଼ ଧରଣର ଦୁର୍ଘଟଣା ଘଟିପାରେ ।
ଏହି ଭିଡିଓ ସାମ୍ନାକୁ ଆସିବା ପରେ ଅଧିକାଂଶ ଲୋକ କମେଣ୍ଟରେ ଲେଖିଛନ୍ତି ଯେ, ଧାର୍ମିକ ଆସ୍ଥାକୁ ସମ୍ମାନ ଦେବା ଉଚିତ, କିନ୍ତୁ ଜନସାଧାରଣଙ୍କ ସୁରକ୍ଷା ସହିତ କୌଣସି ପ୍ରକାରର ସାଲିସ କରାଯାଇପାରିବ ନାହିଁ । ଅନ୍ୟ କିଛି ଲୋକ ଏଭଳି ଯାତ୍ରୀଙ୍କ ଉପରେ ମୋଟା ଅଙ୍କର ଜରିମାନା ଲଗାଇବାକୁ ଦାବି କରିଛନ୍ତି ।
ଭାଇରାଲ ଭିଡିଓକୁ ଗୁରୁତ୍ୱର ସହ ନେଇ ରେଳ ମନ୍ତ୍ରଣାଳୟର ସରକାରୀ ଅଭିଯୋଗ ମଞ୍ଚ ‘ରେଳବାଇ ସେବା’ ପକ୍ଷରୁ ଟ୍ରେନ ନମ୍ବର, ଯାତ୍ରା ତାରିଖ ଏବଂ ପିଏନଆର ଭଳି ତଥ୍ୟ ମଗାଯାଇଛି। ରେଳବାଇ ପକ୍ଷରୁ ଯାତ୍ରୀମାନଙ୍କୁ ‘Rail Madad’ ପୋର୍ଟାଲ ମାଧ୍ୟମରେ ତୁରନ୍ତ ଅଭିଯୋଗ କରିବାକୁ ପରାମର୍ଶ ଦିଆଯାଇଛି, ଯାହାଫଳରେ ତଦନ୍ତ କରି ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇପାରିବ।