ମୁମ୍ବାଇ: ବଲିଉଡ ଅଭିନେତା ଟାଇଗର ଶ୍ରଫ୍ ନିଜର ଫୁଟବଲ୍ ପ୍ରତି ଥିବା ଭଲପାଇବାକୁ ଆଉ ଗୋଟିଏ ପାହାଚ ଆଗକୁ ନେବାକୁ ଯାଉଛନ୍ତି । ମୁମ୍ବାଇ ଏଫସି ଦଳରେ ତାଙ୍କୁ ଆଗାମୀ ପ୍ରତିଷ୍ଠିତ ଡୁରାଣ୍ଡ କପ ପାଇଁ ସାମିଲ କରାଯାଇଛି । ଏହି ଟୁର୍ନାମେଣ୍ଟ ମାଧ୍ୟମରେ ସେ ନିଜର ପ୍ରଫେସନାଲ ଫୁଟବଲ୍ ଡେବ୍ୟୁ କରିପାରନ୍ତି । ମୁମ୍ବାଇ ଏଫସିର ସହମାଲିକ ଜୋହେବ ଅମରାନୀଙ୍କ ଅନୁସାରେ, ଟାଇଗର ଏବେ ଟିମ ସହ ପ୍ରାକ୍ଟିସ୍ କରୁଛନ୍ତି । ପ୍ରଶଂସକଙ୍କ ଭିଡ଼ ଏବଂ ସୁରକ୍ଷାକୁ ଦୃଷ୍ଟିରେ ରଖି ସବୁ ବ୍ୟବସ୍ଥା କରାଯାଉଛି । ସବୁକିଛି ଠିକ୍ ରହିଲେ ସେ ଶିଲଂରେ ହେବାକୁ ଥିବା ଗୋଟିଏ ଗ୍ରୁପ୍-ଷ୍ଟେଜ୍ ମ୍ୟାଚରେ ଖେଳିବେ ।
୨୦୨୩ରେ ଅନୁଷ୍ଠିତ ଏକ ଇନ୍ଫ୍ଲୁଏନ୍ସର୍ସ ଲିଗ୍ ସମୟରେ ଜୋହେବ, ଟାଇଗରଙ୍କ ଫୁଟବଲ୍ ଦକ୍ଷତା ଦେଖିଥିଲେ । ୨୦୨୪ରେ ମୁମ୍ବାଇ ଏଫସି ଗଠନ ହେବା ଦିନଠାରୁ ଟାଇଗର ଏହି କ୍ଲବ୍ ସହ ଯୋଡ଼ିହୋଇ ମୁମ୍ବାଇ ଡିଷ୍ଟ୍ରିକ୍ଟ ଲିଗ୍ରେ ଖେଳିଆସୁଛନ୍ତି । ଟାଇଗରଙ୍କୁ ସଠିକ ପ୍ରକ୍ରିୟା ମାଧ୍ୟମରେ ଦଳରେ ନିୟମିତ ଖେଳାଳି ଭାବେ ରେଜିଷ୍ଟର କରାଯାଇଛି । ମୁମ୍ବାଇ ଏଫସି ନିଜର ଗ୍ରୁପ୍-ଷ୍ଟେଜ୍ର ସମସ୍ତ ମ୍ୟାଚ ଶିଲଂର ଜବାହରଲାଲ ନେହେରୁ ଷ୍ଟାଡିୟମରେ ଖେଳିବ । ଅଗଷ୍ଟ ୩ରେ: ଲାଂସିଂ ଏସସି ବିପକ୍ଷରେ, ୮ରେ ଶିଲଂ ଲାଜୋଙ୍ଗ, ୧୧ରେ ନୋଙ୍ଗକସେହ ଏସଏସ ଏବଂ ସିସି ବିପକ୍ଷରେ ଖେଳିବ ।