ନୂଆଦିଲ୍ଲୀ: ସଂସଦର ମୌସୁମୀ ଅଧିବେଶନରେ ଆଣ୍ଟି-ପେପର ଲିକ୍ ବିଲ୍ ଏବଂ ପରୀକ୍ଷା ସଂସ୍କାରକୁ ନେଇ କ୍ଷମତାସୀନ ଏନଡିଏ ଏବଂ ବିରୋଧୀ ଦଳ ମଧ୍ୟରେ ଜୋରଦାର ବାକ୍ଯୁଦ୍ଧ ଦେଖିବାକୁ ମିଳିଛି। ଲୋକସଭାରେ ବିତର୍କ ସମୟରେ ବିଜେପି ସାଂସଦ ତେଜସ୍ୱୀ ସୂର୍ଯ୍ୟ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ଏବଂ ବିରୋଧୀଙ୍କ ଉପରେ ତୀବ୍ର ବର୍ଷିଛନ୍ତି। ବିରୋଧୀ ଦଳ ଏହି ସମ୍ବେଦନଶୀଳ ପ୍ରସଙ୍ଗକୁ ନେଇ କେବଳ ରାଜନୀତି କରୁଛନ୍ତି ବୋଲି ସେ ଅଭିଯୋଗ କରିଛନ୍ତି।
ତେଜସ୍ୱୀ ସୂର୍ଯ୍ୟ ଲୋକସଭାରେ ପ୍ରଶ୍ନ ଉଠାଇଛନ୍ତି ଯେ, କେବଳ ଲାଇମଲାଇଟ୍ ବା ଚର୍ଚ୍ଚାରେ ରହିବା ପାଇଁ ରାହୁଲ ଗାନ୍ଧୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବାସଭବନ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ସେ ସିଧାସଳଖ ରାହୁଲଙ୍କୁ ଟାର୍ଗେଟ୍ କରି କହିଛନ୍ତି ଯେ, ରାଜସ୍ଥାନରେ କଂଗ୍ରେସ ସରକାର ଥିବା ବେଳେ ଯେତେବେଳେ ରିଟ୍ (REET) ପରୀକ୍ଷାର ପ୍ରଶ୍ନପତ୍ର ଲିକ୍ ହୋଇଥିଲା, ସେତେବେଳେ ସେ କେଉଁଠି ଥିଲେ? ସେତେବେଳେ କାହିଁକି ଆନ୍ଦୋଳନ ହୋଇନଥିଲା ବୋଲି ସେ ପ୍ରଶ୍ନ କରିଛନ୍ତି।
ବିଜେପି ସାଂସଦ ଦୃଢ଼ତାର ସହ କହିଛନ୍ତି ଯେ, ଦେଶର କୋଟି କୋଟି ଛାତ୍ରଛାତ୍ରୀ ଏବଂ ସେମାନଙ୍କ ପରିବାର ନିଜର ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ପ୍ରତିଯୋଗିତାମୂଳକ ପରୀକ୍ଷା ଉପରେ ନିର୍ଭର କରନ୍ତି। ତେଣୁ ଏହି ପ୍ରସଙ୍ଗକୁ ନେଇ ରାଜନୀତି କରିବା ବଦଳରେ ସମାଧାନର ବାଟ ବାହାର କରିବା ଉଚିତ। ତାଙ୍କ ମତରେ ଛାତ୍ରଛାତ୍ରୀମାନେ ରାଜନୀତି ଚାହାଁନ୍ତି ନାହିଁ, ସେମାନେ ଏକ ଏପରି ସ୍ୱଚ୍ଛ ବ୍ୟବସ୍ଥା ଚାହାଁନ୍ତି ଯାହା ସେମାନଙ୍କ ଭବିଷ୍ୟତକୁ ସୁରକ୍ଷିତ ରଖିପାରିବ।
ନିଟ୍ ପ୍ରସଙ୍ଗରେ କେନ୍ଦ୍ର ସରକାର ତୁରନ୍ତ ଏବଂ କଡ଼ା ପଦକ୍ଷେପ ନେଇଥିବା ତେଜସ୍ୱୀ ସ୍ପଷ୍ଟ କରିଛନ୍ତି। ତାଙ୍କ କହିବା ମୁତାବକ ମୋଦୀ ସରକାର ‘ନ୍ୟାୟ, ସୁରକ୍ଷା ଏବଂ ସଂସ୍କାର’ – ଏହି ତିନୋଟି ମୂଳମନ୍ତ୍ର ଆଧାରରେ ସମସ୍ୟାର ମୂଳୋତ୍ପାଟନ ପାଇଁ କାର୍ଯ୍ୟ କରୁଛନ୍ତି।
ଘଟଣାର ସିବିଆଇ ତଦନ୍ତ ଚାଲିବା ସହ ଅପରାଧୀଙ୍କ ନାମରେ ଏଫଆଇଆର ରୁଜୁ ହୋଇ ଗିରଫଦାରୀ ପ୍ରକ୍ରିୟା ଜାରି ରହିଛି। କୌଣସି ଛାତ୍ରଙ୍କର ଯେପରି ଗୋଟିଏ ବି ଏକାଡେମିକ୍ ବର୍ଷ ନଷ୍ଟ ନହୁଏ, ସେଥିପାଇଁ ରେକର୍ଡ ସମୟ ମଧ୍ୟରେ ‘ରି-ନିଟ୍’ ପରୀକ୍ଷା କରାଯାଇ ସୁରକ୍ଷା ପ୍ରଦାନ କରାଯାଇଛି।
ଆଗାମୀ ଦିନରେ ବ୍ୟାପକ ସଂସ୍କାର ଆଣିବା ଉଦ୍ଦେଶ୍ୟରେ ଏକ ଉଚ୍ଚସ୍ତରୀୟ କମିଟି ଗଠନ କରାଯାଇଛି ଏବଂ ସରକାର କମ୍ପ୍ୟୁଟର ଭିତ୍ତିକ ପରୀକ୍ଷା ମଡେଲ୍ ଆଡ଼କୁ ଅଗ୍ରସର ହେଉଛନ୍ତି।
ସରକାର ଛାତ୍ରଙ୍କ ସ୍ୱାର୍ଥ ରକ୍ଷା ପାଇଁ ପ୍ରତିଶ୍ରୁତିବଦ୍ଧ ଏବଂ ଏହି ଦିଗରେ ଦୃଢ଼ ଆଇନଗତ ବ୍ୟବସ୍ଥା ଲାଗୁ କରିବାକୁ ଯାଉଛନ୍ତି ବୋଲି ତେଜସ୍ୱୀ ସୂର୍ଯ୍ୟ ଗୃହକୁ ଆଶ୍ୱାସନା ଦେଇଛନ୍ତି।