Latest Odisha News

BREAKING NEWS

ପୁଣି ତାତିବ ଯନ୍ତରମନ୍ତର: ଖାକିର ସମ୍ମାନ ପାଇଁ ଏଥର ରାଜରାସ୍ତାକୁ ଓହ୍ଲାଇବେ ଅବସରପ୍ରାପ୍ତ ପୋଲିସ!

ନୂଆଦିଲ୍ଲୀ: ଗତ ଜୁଲାଇ ୨୦ ତାରିଖରେ ରାଜଧାନୀ ଦିଲ୍ଲୀରେ ହୋଇଥିବା ‘ସଂସଦ ଚଲୋ’ ଆନ୍ଦୋଳନ ସମୟରେ ପୋଲିସ ଉପରେ ହୋଇଥିବା ଆକ୍ରମଣ ଘଟଣା ଏବେ ଏକ ନୂଆ ମୋଡ଼ ନେଇଛି। ଆହତ ପୋଲିସ ଏବଂ ପାରାମିଲିଟାରୀ କର୍ମଚାରୀଙ୍କ ସମ୍ମାନ ତଥା ସମର୍ଥନରେ ଏବେ ରାଜରାସ୍ତାକୁ ଓହ୍ଲାଇବାକୁ ପ୍ରସ୍ତୁତି ଆରମ୍ଭ କରିଛନ୍ତି ଦିଲ୍ଲୀର ଅବସରପ୍ରାପ୍ତ ପୋଲିସ ଅଧିକାରୀ। ଆସନ୍ତା ଜୁଲାଇ ୩୧ ତାରିଖରେ ଯନ୍ତରମନ୍ତର ଠାରେ ଏକ ଶାନ୍ତିପୂର୍ଣ୍ଣ ଧାରଣା ଦେବାକୁ ‘ଦିଲ୍ଲୀ ପୋଲିସ ଅବସରପ୍ରାପ୍ତ ଅଧିକାରୀ ସଂଘ’ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି।

 

ଏହି ଗୋଟିଏ ଦିନିଆ ଧାରଣା ପାଇଁ ଅନୁମତି ମାଗି ସଂଘ ପକ୍ଷରୁ ଦିଲ୍ଲୀ ପୋଲିସ କମିଶନର ଅନୁରାଗ କୁମାରଙ୍କ ନିକଟକୁ ଏକ ଚିଠି ଲେଖାଯାଇଛି। ପାର୍ଲାମେଣ୍ଟ ଷ୍ଟ୍ରିଟ୍ ଥାନାର ପୂର୍ବତନ ଏସିପି ତଥା ସଂଘର ସଭାପତି ବେଦ ଭୂଷଣ ଶର୍ମାଙ୍କ ଦ୍ୱାରା ଦିଆଯାଇଥିବା ଏହି ଆବେଦନ ପତ୍ରରେ ଦର୍ଶାଯାଇଛି ଯେ, ଜୁଲାଇ ୩୧ ତାରିଖ ସକାଳ ୧୧ଟାରୁ ଅପରାହ୍ନ ୫ଟା ପର୍ଯ୍ୟନ୍ତ ଯନ୍ତରମନ୍ତରର ନିର୍ଦ୍ଧାରିତ ସ୍ଥାନରେ ଏହି ବିକ୍ଷୋଭ କରାଯିବ।

 

ଗତ ୨୦ ତାରିଖରେ ନିଟ୍ ବିବାଦକୁ ନେଇ ସିଜେପି ପକ୍ଷରୁ ଡାକରା ଦିଆଯାଇଥିବା ‘ସଂସଦ ଚଲୋ’ ବେଳେ ବ୍ୟାପକ ହିଂସା ଦେଖିବାକୁ ମିଳିଥିଲା। ଏହି ସମୟରେ ଦୁର୍ବୃତ୍ତଙ୍କ ଆକ୍ରମଣରେ ୨୦୦ରୁ ଅଧିକ ପୋଲିସ କର୍ମଚାରୀ ଆହତ ହେବା ସହ ୧୫ରୁ ଅଧିକ ଗାଡ଼ି ଭଙ୍ଗାରୁଜା କରାଯାଇଥିଲା। ତେବେ ଶାନ୍ତିପୂର୍ଣ୍ଣ ଭାବେ ଆନ୍ଦୋଳନ କରୁଥିବା ଛାତ୍ରଛାତ୍ରୀଙ୍କ ବିରୋଧରେ ସଂଘର କୌଣସି ଅଭିଯୋଗ ନାହିଁ ବୋଲି ସ୍ପଷ୍ଟ କରାଯାଇଛି। କିନ୍ତୁ ଭିଡ଼ର ସୁଯୋଗ ନେଇ ଯେଉଁ ଅଭ୍ୟାସଗତ ଅପରାଧୀ, ଅସାମାଜିକ ତତ୍ତ୍ୱ ଏବଂ ଗ୍ୟାଙ୍ଗଷ୍ଟରମାନେ ପୋଲିସ ଉପରକୁ ପଥର ମାଡ଼ କରିଛନ୍ତି ବା ହିଂସା ଘଟାଇଛନ୍ତି, ସେମାନଙ୍କୁ ତୁରନ୍ତ ଚିହ୍ନଟ କରି କଠୋର ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସଂଘ ଦାବି କରିଛି।

 

ଆନ୍ଦୋଳନକୁ ସମ୍ପୂର୍ଣ୍ଣ ଶାନ୍ତିପୂର୍ଣ୍ଣ ରଖିବା ପାଇଁ ଆୟୋଜକମାନେ ପୋଲିସକୁ ପ୍ରତିଶ୍ରୁତି ଦେଇଛନ୍ତି। ଏହି ଧାରଣାରେ ୧,୦୦୦ରୁ କମ୍ ଲୋକ ସାମିଲ ହେବେ। ସଂସଦ ଭବନ କିମ୍ବା ସେଣ୍ଟ୍ରାଲ ଭିଷ୍ଟା ଆଡ଼କୁ କୌଣସି ଶୋଭାଯାତ୍ରା କରାଯିବ ନାହିଁ କିମ୍ବା ରାସ୍ତା ଅବରୋଧ କରାଯିବ ନାହିଁ ବୋଲି ସଂଘ ପକ୍ଷରୁ ସ୍ପଷ୍ଟ କରାଯାଇଛି। ଆଇନଶୃଙ୍ଖଳା ବଜାୟ ରଖିବା ସହ ପୋଲିସର ସମସ୍ତ ନିର୍ଦ୍ଦେଶକୁ ମାନି ଏହି ଗଣତାନ୍ତ୍ରିକ ପ୍ରତିବାଦ କରାଯିବ ବୋଲି ପୂର୍ବତନ ଅଧିକାରୀମାନେ ଜଣାଇଛନ୍ତି।

Leave A Reply

Your email address will not be published.