କେନ୍ଦ୍ରାପଡ଼ା: ଦୀର୍ଘ ତିନି ମାସର ପ୍ରତୀକ୍ଷା ପରେ ପୁଣି ଥରେ ପର୍ଯ୍ୟଟକଙ୍କ କୋଳାହଳରେ କମ୍ପିବ ପ୍ରସିଦ୍ଧ ଭିତରକନିକା ଜାତୀୟ ଉଦ୍ୟାନ। ବୌଳା କୁମ୍ଭୀରଙ୍କ ପ୍ରଜନନ ଋତୁ ଶେଷ ହୋଇଥିବାରୁ, ଆସନ୍ତା ଅଗଷ୍ଟ ୧ ତାରିଖରୁ ଦେଶବିଦେଶର ପ୍ରକୃତିପ୍ରେମୀଙ୍କ ପାଇଁ ଏହି ଅଭୟାରଣ୍ୟର ଦ୍ୱାର ଖୋଲିବାକୁ ଯାଉଛି। ପର୍ଯ୍ୟଟକମାନଙ୍କ ସୁବିଧା ଏବଂ ସୁରକ୍ଷାକୁ ଦୃଷ୍ଟିରେ ରଖି ବନ ବିଭାଗ ପକ୍ଷରୁ ସମସ୍ତ ପ୍ରସ୍ତୁତି ଏବେ ଶେଷ ପର୍ଯ୍ୟାୟରେ ପହଞ୍ଚିଛି।
ପ୍ରତିବର୍ଷ ମେ’ ୧ ତାରିଖରୁ ଜୁଲାଇ ୩୧ ତାରିଖ ପର୍ଯ୍ୟନ୍ତ ତିନି ମାସ ପାଇଁ ଭିତରକନିକା ଜାତୀୟ ଉଦ୍ୟାନକୁ ସାଧାରଣ ପର୍ଯ୍ୟଟକଙ୍କ ପ୍ରବେଶ ନିମନ୍ତେ ସମ୍ପୂର୍ଣ୍ଣ ବନ୍ଦ ରଖାଯାଇଥାଏ। ଏହି ସମୟଟି ହେଉଛି ବିରଳ ବୌଳା କୁମ୍ଭୀରମାନଙ୍କର ମିଳନ ଓ ଅଣ୍ଡାଦାନ ପ୍ରକ୍ରିୟାର ମୁଖ୍ୟ ସମୟ। ପ୍ରଜନନ ଋତୁରେ କୁମ୍ଭୀରମାନେ ସାଧାରଣତଃ ଅତ୍ୟନ୍ତ ହିଂସ୍ର ସ୍ୱଭାବର ହୋଇଯାଆନ୍ତି। ତେଣୁ ସେମାନଙ୍କର ଏହି ପ୍ରାକୃତିକ ପ୍ରକ୍ରିୟାରେ ଯେପରି କୌଣସି ମାନବୀୟ ବାଧାବିଘ୍ନ ସୃଷ୍ଟି ନହୁଏ, ସେଥିପାଇଁ ରାଜନଗର ବନଖଣ୍ଡ ଅଧିକାରୀଙ୍କ ନିର୍ଦ୍ଦେଶକ୍ରମେ ଏହି କଟକଣା ଲାଗୁ କରାଯାଇଥାଏ। ଏବେ ଅଣ୍ଡାରୁ ଛୁଆ ଫୁଟିବା ପ୍ରକ୍ରିୟା ଶେଷ ହୋଇଥିବାରୁ, ପାର୍କକୁ ପୁନର୍ବାର ଖୋଲିବାକୁ ନିଷ୍ପତ୍ତି ନିଆଯାଇଛି।
ଅଗଷ୍ଟ ପହିଲାରୁ ଖୋଲିବାକୁ ଥିବା ଭିତରକନିକାରେ ପର୍ଯ୍ୟଟକମାନଙ୍କୁ ସ୍ୱାଗତ କରିବା ପାଇଁ ପ୍ରଶାସନ ବେଶ୍ ତତ୍ପର ହୋଇପଡ଼ିଛି। ଡଙ୍ଗା ଚଳାଚଳ ଠାରୁ ଆରମ୍ଭ କରି ଇକୋ-ଟୁରିଜିମ୍ କମ୍ପ୍ଲେକ୍ସ ଏବଂ ଅତିଥି ଭବନଗୁଡ଼ିକୁ ସଜଡ଼ା ଯାଉଛି। ଡାଙ୍ଗମାଳ, ଗୁପ୍ତି, ଖୋଳା ଏବଂ ଚାନ୍ଦବାଲି ଦେଇ ପର୍ଯ୍ୟଟକମାନେ ସହଜରେ ଜାତୀୟ ଉଦ୍ୟାନରେ ପ୍ରବେଶ କରି ନୌକା ବିହାରର ମଜା ନେଇପାରିବେ।
ଭାରତର ଦ୍ୱିତୀୟ ବୃହତ୍ତମ ହେନ୍ତାଳ ବନ ଭାବେ ପରିଚିତ ଭିତରକନିକା ଏହାର ଅପରୂପ ଜୈବବିବିଧତା ପାଇଁ ସାରା ବିଶ୍ୱରେ ପ୍ରସିଦ୍ଧ। ଶାନ୍ତ ନଦୀବକ୍ଷରେ ବୋଟିଂ କରିବାର ରୋମାଞ୍ଚ ସାଙ୍ଗକୁ ଖରା ପୋହାଉଥିବା ବିରାଟକାୟ କୁମ୍ଭୀର, ବିଭିନ୍ନ ପ୍ରଜାତିର ଦେଶୀ ଓ ବିଦେଶୀ ପକ୍ଷୀ, ଚିତ୍ରା ହରିଣ ଏବଂ ଅନ୍ୟାନ୍ୟ ବନ୍ୟଜନ୍ତୁଙ୍କୁ ଅତି ପାଖରୁ ଦେଖିବାର ସୁଯୋଗ ଏଠାରେ ମିଳିଥାଏ।
ଲଗାତାର ୩ ମାସ ଧରି ବ୍ୟବସାୟ ବନ୍ଦ ରହିବା ପରେ, ଗୁରୁବାରଠାରୁ ପୁଣି ଥରେ ଟୁରିଷ୍ଟ ଗାଇଡ୍, ବୋଟ୍ ଚାଳକ ଏବଂ ସ୍ଥାନୀୟ ବ୍ୟବସାୟୀଙ୍କ ମୁହଁରେ ହସ ଫୁଟିବ ବୋଲି ଆଶା କରାଯାଉଛି।