ଭୁବନେଶ୍ୱର: ଲଗାଣ ବର୍ଷା ଯୋଗୁଁ ରାଜ୍ୟରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ଏହି ପ୍ରତିକୂଳ ପରିସ୍ଥିତିରେ ଆଦୌ ବିଚଳିତ ନହେବାକୁ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଅପିଲ୍ କରିଛନ୍ତି । ରାଜ୍ୟର ପ୍ରତ୍ୟେକ ନାଗରିକଙ୍କ ଜୀବନ ଓ ସୁରକ୍ଷା ଆମ ପାଇଁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ । ଲଗାଣ ବର୍ଷା ଓ କେତେକ ନଦୀରେ ସୃଷ୍ଟ ବନ୍ୟା ପରିସ୍ଥିତି ଉପରେ ମୁଁ ଏବଂ ମୋ ସରକାର ପ୍ରତିଟି ମୁହୂର୍ତ୍ତରେ ସିଧାସଳଖ ନଜର ରଖିଛୁ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।
ମୁଖ୍ୟମନ୍ତ୍ରୀ ଆହୁରି କହିଛନ୍ତି ଯେ, ବନ୍ୟା ପରିସ୍ଥିତି ଓ ଏହାର ମୁକାବିଲା ସମ୍ପର୍କରେ ମୁଁ ମୁଖ୍ୟ ଶାସନ ସଚିବ ଓ ସ୍ୱତନ୍ତ୍ର ରିଲଫ୍ କମିଶନରଙ୍କ ସହିତ ଆଲୋଚନା କରିଛି । ପ୍ରଭାବିତ ଅଞ୍ଚଳରେ ଜନସାଧାରଣଙ୍କୁ ସୁରକ୍ଷିତ ରଖିବା ପାଇଁ ସମଗ୍ର ପ୍ରଶାସନକୁ ମୁଁ ନିର୍ଦ୍ଦେଶ ଦେଇଛି ।
ମୋର ଆପଣମାନଙ୍କୁ ନିବେଦନ, ଆଦୌ ବିଚଳିତ କିମ୍ବା ଭୟଭୀତ ହୁଅନ୍ତୁ ନାହିଁ; ଆମେ ପ୍ରତିଟି ପଦକ୍ଷେପରେ ଆପଣଙ୍କ ସହିତ ଛିଡ଼ା ହୋଇଛୁ । ପ୍ରଶାସନର ସୂଚନାକୁ ପାଳନ କରନ୍ତୁ ଏବଂ ସୁରକ୍ଷିତ ରୁହନ୍ତୁ ।
ବାଲେଶ୍ୱର, ଭଦ୍ରକ ଓ ଯାଜପୁର ଜିଲ୍ଲାରେ ବନ୍ୟା ପରିଚାଳନା, ସ୍ଥାନାନ୍ତରଣ ଓ ରିଲିଫ୍ କାର୍ଯ୍ୟକୁ ସ୍ୱୟଂ ତଦାରଖ କରିବା ପାଇଁ ୩ ଜଣ ବରିଷ୍ଠ ଆଇଏଏସ୍ (IAS) ଅଧିକାରୀଙ୍କୁ ସ୍ୱତନ୍ତ୍ର ଦାୟିତ୍ୱ ଦିଆଯାଇଛି ।
ଜଳସ୍ତର ଓ ପରିସ୍ଥିତି ଉପରେ ସାକ୍ଷାତ ନଜର ରଖିବା ପାଇଁ ଏସଆରସି (SRC) କାର୍ଯ୍ୟାଳୟ ଓ ରାଜ୍ୟ ଜରୁରୀକାଳୀନ ନିୟନ୍ତ୍ରଣ କକ୍ଷକୁ ୨୪×୭ ଖୋଲା ରଖିବାପାଇଁ ନିର୍ଦ୍ଦେଶ ଦିଆଯାଇଛି ।
ତଳିଆ ଅଞ୍ଚଳରୁ ସୁରକ୍ଷିତ ସ୍ଥାନକୁ ଲୋକଙ୍କୁ ସ୍ଥାନାନ୍ତର କରିବା ପାଇଁ NDRF, ODRAF, ଅଗ୍ନିଶମ ଓ ପୋଲିସ ବାହିନୀ ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିଛନ୍ତି।
ସମସ୍ତ ଆଶ୍ରୟସ୍ଥଳୀରେ ବିଶୁଦ୍ଧ ପାନୀୟ ଜଳ, ରନ୍ଧାଖାଦ୍ୟ, ଜରୁରୀ ସ୍ୱାସ୍ଥ୍ୟସେବା, ସର୍ପାଘାତ ପ୍ରତିଷେଧକ ଔଷଧ ଏବଂ ଗୃହପାଳିତ ପଶୁଙ୍କ ପାଇଁ ପର୍ଯ୍ୟାପ୍ତ ଗୋଖାଦ୍ୟ ଯୋଗାଇ ଦିଆଯାଉଛି ।
ଆଶ୍ରୟସ୍ଥଳୀକୁ ଆସୁଥିବା ନାଗରିକଙ୍କ ବାସଗୃହ ଓ ଧନସମ୍ପତ୍ତିର ସୁରକ୍ଷା ନିଶ୍ଚିତ କରିବା ପାଇଁ ପୋଲିସ ପକ୍ଷରୁ ରାତ୍ରିକାଳୀନ ପେଟ୍ରୋଲିଂ କଡ଼ାକଡ଼ି କରାଯାଇଛି ।
ବନ୍ୟା ଦ୍ୱାରା କ୍ଷତିଗ୍ରସ୍ତ ହୋଇଥିବା ବାସଗୃହ ଓ ଚାଷଜମି ପାଇଁ ପ୍ରଭାବିତ ଜନସାଧାରଣଙ୍କୁ ତ୍ୱରିତ କ୍ଷତିପୂରଣ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।