Latest Odisha News

BREAKING NEWS

Midday Meals: ମଧ୍ୟାହ୍ନ ଭୋଜନରେ ମିଳିବ ଚିକେନ୍ ବିରିୟାନି!

ଚେନ୍ନାଇ: ସ୍କୁଲରେ ପିଲା ଖାଇବେ ବିରିୟାନି!

ମିଡ୍-ଡେ ମିଲ୍‌ ମେନ୍ୟୁରେ ଚିକେନ୍ ବିରିୟାନି!

ବଡ ଘୋଷଣା କରିବାକୁ ଯାଉଛନ୍ତି ମୁଖ୍ୟମନ୍ତ୍ରୀ!

ସରକାରୀ ସ୍କୁଲର ପିଲାମାନଙ୍କ ପାଇଁ ମିଡ୍-ଡେ ମିଲ୍ ଯୋଜନାରେ ବଡ଼ ପରିବର୍ତ୍ତନ ଆଣିବାକୁ ବିଚାର କରୁଛନ୍ତି ତାମିଲନାଡୁ ସରକାର। ସ୍କୁଲ ଶିକ୍ଷାମନ୍ତ୍ରୀ ଏ. ରାଜମୋହନ ମୁଖ୍ୟମନ୍ତ୍ରୀ ସି. ଜୋସେଫ ବିଜୟଙ୍କ ନିକଟରେ ପ୍ରସ୍ତାବ ରଖିଛନ୍ତି ଯେ, ସରକାରୀ ସ୍କୁଲର ଛାତ୍ରଛାତ୍ରୀଙ୍କୁ ସପ୍ତାହରେ ଗୋଟିଏ ଦିନ ଚିକେନ୍ ବିରିୟାନି ପରିବେଷଣ କରାଯାଉ। ତେବେ ଏହି ପ୍ରସ୍ତାବ ଏବେ ବିଚାରାଧୀନ ରହିଛି ଏବଂ ଶେଷ ନିଷ୍ପତ୍ତି ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ ପରେ ହେବ।

ଏହି ପ୍ରସ୍ତାବ ଆଗାମୀ ଅଗଷ୍ଟ ୫ରେ ଉପସ୍ଥାପିତ ହେବାକୁ ଥିବା ରାଜ୍ୟ ବଜେଟ୍ ପୂର୍ବରୁ ଆୟୋଜିତ ଏକ ପରାମର୍ଶ ବୈଠକରେ ୮୦ରୁ ଅଧିକ ଶିକ୍ଷକ ସଂଗଠନ ପକ୍ଷରୁ ଉଠାଯାଇଥିଲା। ଶିକ୍ଷକ ସଂଘଗୁଡ଼ିକ ମିଡ୍-ଡେ ମିଲ୍‌ରେ ଭଲ ମାନର ଚାଉଳ ବ୍ୟବହାର, ସପ୍ତାହକୁ ଥରେ ଚିକେନ୍ ବିରିୟାନି, ମୁଖ୍ୟମନ୍ତ୍ରୀ ବ୍ରେକଫାଷ୍ଟ ଯୋଜନାକୁ ମଧ୍ୟାହ୍ନ ଭୋଜନ କର୍ମଚାରୀଙ୍କ ମାଧ୍ୟମରେ କାର୍ଯ୍ୟକାରୀ କରିବା ଏବଂ ସେମାନଙ୍କ ଚାକିରିକୁ ନିୟମିତ କରିବା ଦାବି କରିଥିଲେ।

ଶିକ୍ଷାମନ୍ତ୍ରୀ ରାଜମୋହନ କହିଛନ୍ତି, ତାମିଲନାଡୁରେ ପ୍ରତ୍ୟେକ ସରକାର ସ୍କୁଲ ପୋଷଣ ଯୋଜନାକୁ ଆହୁରି ଉନ୍ନତ କରିବାକୁ ପଦକ୍ଷେପ ନେଇଛନ୍ତି। ବର୍ତ୍ତମାନ ସପ୍ତାହକୁ ଗୋଟିଏ ଦିନ ଚିକେନ୍ ବିରିୟାନି ଦେବା ପ୍ରସ୍ତାବ ଉପରେ ବିଜୟ ସରକାର ବିଚାର କରୁଛନ୍ତି।

ତେବେ ତାମିଲନାଡୁରେ ଅଭିନେତାରୁ ମୁଖ୍ୟମନ୍ତ୍ରୀ ହୋଇଥିବା ସି. ଜୋସେଫ ବିଜୟଙ୍କ ସରକାର ଗଢେହେବା ପରେ, ସେ ଏମିତି ଅନେକ କିଛି ନିଷ୍ପତ୍ତି ନେଇଛନ୍ତି ଯାହା ସାରା ଦେଶରେ ଚର୍ଚ୍ଚାର ବିଷୟ ପାଲଟିଛି । ରାଜ୍ୟରୁ ସମସ୍ତ ଦଳର ପୋଷ୍ଟର ହଟାଇବା, ଶିକ୍ଷାକୁ ଅଧିକ ପ୍ରାଧାନ୍ୟ ଦେବା, ମହିଳା ସୁରକ୍ଷା ଟାସ୍କ ଫୋର୍ସ ଓ ଆଣ୍ଟି-ଡ୍ରଗ୍ ଟାସ୍କ ଫୋର୍ସ ଭଳି ଅନେକ କିଛି ନୀତି ରହିଛି ।

ତାମିଲନାଡୁ ୧୯୫୦ ଦଶକରୁ ମିଡ୍-ଡେ ମିଲ୍ ଯୋଜନାରେ ଦେଶର ଅଗ୍ରଣୀ ରାଜ୍ୟ। ଏହି ଯୋଜନାର ଲକ୍ଷ୍ୟ ହେଉଛି ଶିଶୁଙ୍କ କୁପୋଷଣ ହ୍ରାସ, ସ୍କୁଲରେ ଉପସ୍ଥାନ ବଢ଼ାଇବା ଏବଂ ପାଠପଢ଼ା ଅଧାରୁ ଛାଡ଼ିଦେବା ପ୍ରବଣତାକୁ କମାଇବା। ଏବେ ଚିକେନ୍ ବିରିୟାନି ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀଙ୍କ ସବୁଜ ସଙ୍କେତ ମିଳିବ କି ନାହିଁ, ତାହା ଉପରେ ସମସ୍ତଙ୍କ ନଜର ରହିଛି।

Leave A Reply

Your email address will not be published.