Latest Odisha News

BREAKING NEWS

ମହାନଦୀରେ ମଧ୍ୟମ ଧରଣର ବନ୍ୟା: ଆଜି ସନ୍ଧ୍ୟାରେ ମୁଣ୍ଡଳୀ ଅତିକ୍ରମ କରିବ ୯.୫ ଲକ୍ଷ କ୍ୟୁସେକ୍ ଜଳ, ଆସନ୍ତା ୨ ଦିନ ଅତି ଗୁରୁତ୍ୱପୂର୍ଣ୍ଣ

ଭୁବନେଶ୍ୱର: ଉପରମୁଣ୍ଡରେ ଲଗାଣ ବର୍ଷା କାରଣରୁ ଏବେ ମହାନଦୀରେ ମଧ୍ୟମ ଧରଣର ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଆଜି ସନ୍ଧ୍ୟା ସୁଦ୍ଧା କଟକର ମୁଣ୍ଡଳୀ ବ୍ୟାରେଜ୍ ଦେଇ ‘ପିକ୍ ଫ୍ଲଡ୍’ ବା ସର୍ବୋଚ୍ଚ ବନ୍ୟା ଜଳ ପ୍ରବାହିତ ହେବାର ଆଶଙ୍କା ରହିଛି। ସନ୍ଧ୍ୟା ବେଳକୁ ମୁଣ୍ଡଳୀ ଦେଇ ପ୍ରାୟ ୯ ଲକ୍ଷ ୫୦ ହଜାର କ୍ୟୁସେକ୍ ବନ୍ୟା ଜଳ ନିଷ୍କାସିତ ହେବ। ତେଣୁ ଆସନ୍ତା ୪୮ ଘଣ୍ଟା ଅର୍ଥାତ୍ ୨ ଦିନ ରାଜ୍ୟ ପାଇଁ ବେଶ୍ ଗୁରୁତ୍ୱପୂର୍ଣ୍ଣ ବୋଲି ଜଳସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ (ଇଆଇସି) ଦିଲ୍ଲୀପ ରାଉତ ସୂଚନା ଦେଇଛନ୍ତି।

 

ଆଜି ଦିନ ୧୨ଟା ସୁଦ୍ଧା ମୁଣ୍ଡଳୀ ଦେଇ ୮ ଲକ୍ଷ ୨୮ ହଜାର କ୍ୟୁସେକ୍ ଜଳ ପ୍ରବାହିତ ହେଉଥିବା ବେଳେ ମହାନଦୀକୁ ୨ ଲକ୍ଷ ୮୦ ହଜାରରୁ ୩ ଲକ୍ଷ କ୍ୟୁସେକ୍ ପର୍ଯ୍ୟନ୍ତ ନୂଆ ଜଳ ପ୍ରବେଶ କରୁଛି। ଏହି ବିପୁଳ ଜଳରାଶି ଯୋଗୁଁ ମହାନଦୀର ଶାଖା ନଦୀଗୁଡ଼ିକ ଫୁଲିବାରେ ଲାଗିଛି। ଲୁଣା, କରଣ୍ଡିଆ, ପାଇକା, ଦେବୀ, କନ୍ଦଳ, କୁଆଖାଇ ଏବଂ ଚିତ୍ରୋତ୍ପଳା ନଦୀର ଜଳସ୍ତର ଦ୍ରୁତ ଗତିରେ ବୃଦ୍ଧି ପାଇବ। ଫଳରେ ତଳିଆ ଅଞ୍ଚଳ ବିଶେଷ କରି ଖୋର୍ଦ୍ଧା, ପୁରୀ, ଜଗତସିଂହପୁର ଏବଂ କେନ୍ଦ୍ରାପଡ଼ା ଜିଲ୍ଲାର ବିଭିନ୍ନ ଗାଁରେ ବନ୍ୟା ଜଳ ପଶିବାର ଆଶଙ୍କା ରହିଛି ଏବଂ ସ୍ଥାନୀୟ ଲୋକେ ପ୍ରଭାବିତ ହେବେ।

 

ହୀରାକୁଦର ଜଳସ୍ତର ୬୨୦ ଫୁଟ୍, କାଲି ଖୋଲିପାରେ ୧୦ଟି ଗେଟ୍ ଅନ୍ୟପକ୍ଷରେ ହୀରାକୁଦ ଜଳଭଣ୍ଡାରର ଜଳସ୍ତର ବର୍ତ୍ତମାନ ୬୨୦ ଫୁଟ୍ ଛୁଇଁଛି। ବର୍ତ୍ତମାନ ସୁଦ୍ଧା କେବଳ ୨ଟି ଗେଟ୍ ଦେଇ ବନ୍ୟା ଜଳ ନିଷ୍କାସନ କରାଯାଉଛି। ଯଦି ଜଳସ୍ତର ଆହୁରି ୨ ଫୁଟ୍ ବୃଦ୍ଧି ପାଏ, ତେବେ ଡ୍ୟାମ୍‌ରୁ ଅଧିକ ଗେଟ୍ ଖୋଲାଯିବ। ତେବେ ତଳମୁଣ୍ଡ ଖଇରମାଲଠାରେ ପାଣିର ପ୍ରବାହ କମିଲେ, ଆସନ୍ତାକାଲି ସକାଳ ସୁଦ୍ଧା ହୀରାକୁଦର ୧୦ଟି ଗେଟ୍ ଖୋଲିବାକୁ ଯୋଜନା ରହିଥିବା ଇଆଇସି ଶ୍ରୀ ରାଉତ ସୂଚନା ଦେଇଛନ୍ତି।

 

ମହାନଦୀ ବ୍ୟତୀତ ରାଜ୍ୟର ଅନ୍ୟାନ୍ୟ ନଦୀଗୁଡ଼ିକର ସ୍ଥିତି ଉପରେ ମଧ୍ୟ ବିଭାଗ ପକ୍ଷରୁ ନଜର ରଖାଯାଇଛି:

 

ବୈତରଣୀ: ଆଖୁଆପଦାଠାରେ ବୈତରଣୀ ନଦୀର ଜଳସ୍ତର ଧୀରେ ଧୀରେ କମିବାରେ ଲାଗିଛି। ତେବେ ପରିସ୍ଥିତି ସମ୍ପୂର୍ଣ୍ଣ ସ୍ୱାଭାବିକ ହେବାକୁ ଆହୁରି କିଛି ସମୟ ଲାଗିବ।

 

ସାଳନ୍ଦୀ: ଏହି ନଦୀର ସ୍ଥିତି ଅପରିବର୍ତ୍ତିତ ରହିଛି ଏବଂ ବିପଦମୁକ୍ତ ଅଛି।

 

ରେଙ୍ଗାଲି ଡ୍ୟାମ୍: ଜଳସ୍ତରକୁ ନିୟନ୍ତ୍ରଣରେ ରଖିବା ପାଇଁ ଆଜି ରେଙ୍ଗାଲି ଡ୍ୟାମ୍‌ର ଗୋଟିଏ ଗେଟ୍ ଖୋଲାଯିବାର ନିଷ୍ପତ୍ତି ନିଆଯାଇଛି।

 

ବନ୍ୟା ମୁକାବିଲା ପାଇଁ ପ୍ରଶାସନ ସମ୍ପୂର୍ଣ୍ଣ ପ୍ରସ୍ତୁତ ଥିବା ବେଳେ ନଦୀକୂଳିଆ ଅଞ୍ଚଳର ଲୋକଙ୍କୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି।

Leave A Reply

Your email address will not be published.