Latest Odisha News

BREAKING NEWS

ରାଜଧାନୀରେ ପରକୀୟା ପ୍ରେମର କରୁଣ ପରିଣତି: ସ୍ତ୍ରୀକୁ ବିଷ ଇଞ୍ଜେକସନ୍ ଦେଇ ହତ୍ୟା କରିଥିବା ସ୍ୱାମୀ ଓ ପ୍ରେମିକାଙ୍କୁ ଆଜୀବନ ଜେଲ୍

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ଚାଞ୍ଚଲ୍ୟ ସୃଷ୍ଟି କରିଥିବା ବହୁ ଚର୍ଚ୍ଚିତ ଶୁଭଶ୍ରୀ ହତ୍ୟାକାଣ୍ଡର ଆଜି ରାୟ ପ୍ରକାଶ ପାଇଛି। ପରକୀୟା ପ୍ରେମର ରାସ୍ତାରୁ କଣ୍ଟା ହଟାଇବାକୁ ଯାଇ ନିଜ ସ୍ତ୍ରୀକୁ ବିଷ ଇଞ୍ଜେକସନ୍ ଦେଇ ହତ୍ୟା କରିବା ଘଟଣାରେ ସ୍ୱାମୀ ପ୍ରଦ୍ୟୁମ୍ନ ଏବଂ ତାର ପ୍ରେମିକା ରୋଜିକୁ କୋର୍ଟ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ଭୁବନେଶ୍ୱରର ଏଡିଜେ-୨ (ADJ-2) କୋର୍ଟ ଏହି ମାମଲାର ଶୁଣାଣି କରି ଉଭୟଙ୍କୁ ଦୋଷୀ ସାବ୍ୟସ୍ତ କରିବା ସହ ଏହି କଠୋର ସଜ୍ଜା ଶୁଣାଇଛନ୍ତି।

 

ପ୍ରାପ୍ତ ସୂଚନା ଅନୁଯାୟୀ, ଅଭିଯୁକ୍ତ ସ୍ୱାମୀ ପ୍ରଦ୍ୟୁମ୍ନ ଏବଂ ରୋଜି ମଧ୍ୟରେ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା। ପ୍ରଦ୍ୟୁମ୍ନ ନିଜ ପ୍ରେମିକାକୁ ଦ୍ୱିତୀୟ ବିବାହ କରିବାକୁ ଚାହୁଁଥିଲା। ତେବେ ଏହି ବାଟରେ ସ୍ତ୍ରୀ ଶୁଭଶ୍ରୀ ପ୍ରତିବନ୍ଧକ ସାଜିବାରୁ ତାଙ୍କୁ ସବୁଦିନ ପାଇଁ ରାସ୍ତାରୁ ହଟାଇ ଦେବାକୁ ଉଭୟ ମିଶି ଏକ ଭୟଙ୍କର ଷଡ଼ଯନ୍ତ୍ର ରଚିଥିଲେ। ଗତ ୨୦୨୪ ମସିହା ଅକ୍ଟୋବର ୨୮ ତାରିଖରେ ଭରତପୁର ଥାନା ଅଞ୍ଚଳରେ ଏହି ଲୋମହର୍ଷକ ହତ୍ୟାକାଣ୍ଡ ଘଟିଥିଲା। ଯୋଜନା ମୁତାବକ ପ୍ରଦ୍ୟୁମ୍ନ ନିଜ ପ୍ରେମିକାର ସହଯୋଗରେ ସ୍ତ୍ରୀ ଶୁଭଶ୍ରୀଙ୍କ ଦେହରେ ଏକ ବିଷ ଇଞ୍ଜେକସନ୍ ଫୋଡ଼ି ଦେଇଥିଲା।

 

ପତ୍ନୀଙ୍କୁ ହତ୍ୟା କରିବା ପରେ ପୋଲିସ ଆଖିରେ ଧୂଳି ଦେବାକୁ ଯାଇ ପ୍ରଦ୍ୟୁମ୍ନ ଘଟଣାକୁ ଆତ୍ମହତ୍ୟାର ରୂପ ଦେବା ପାଇଁ ଉଦ୍ୟମ କରିଥିଲା। ସେ ଶୁଭଶ୍ରୀଙ୍କୁ ଅଚେତ ଅବସ୍ଥାରେ ଏକ ଅଟୋରେ ବସାଇ ମେଡିକାଲକୁ ଆଣିଥିଲା। ସେଠାରେ ପାରିବାରିକ କଳହ କାରଣରୁ ସ୍ତ୍ରୀ ନିଜେ ବିଷ ପିଇ ଆତ୍ମହତ୍ୟା କରିଥିବା ନେଇ ଡାକ୍ତରଖାନା କର୍ତ୍ତୃପକ୍ଷଙ୍କୁ ସଫେଇ ଦେଇଥିଲା।

 

ମେଡିକାଲରୁ ସୂଚନା ପାଇବା ପରେ ପୋଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲା। ତେବେ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ପ୍ରଦ୍ୟୁମ୍ନର ମିଛ ଧରାପଡ଼ିଥିଲା। ରିପୋର୍ଟରୁ ସ୍ପଷ୍ଟ ହୋଇଥିଲା ଯେ ଶୁଭଶ୍ରୀ ଆତ୍ମହତ୍ୟା କରିନଥିଲେ, ବରଂ ତାଙ୍କୁ ଇଞ୍ଜେକସନ୍ ମାଧ୍ୟମରେ ବିଷ ଦେଇ ଯୋଜନାବଦ୍ଧ ଭାବେ ହତ୍ୟା କରାଯାଇଛି।

 

ପୋଲିସ ଏହି ରିପୋର୍ଟ ଓ ପାରିପାର୍ଶ୍ୱିକ ସାକ୍ଷ୍ୟ ପ୍ରମାଣକୁ ଭିତ୍ତି କରି ତଦନ୍ତକୁ ଜୋରଦାର କରିବା ସହ ଉଭୟଙ୍କୁ ଗିରଫ କରିଥିଲା। ଆଜି କୋର୍ଟ ସମସ୍ତ ପ୍ରମାଣ ଓ ସାକ୍ଷୀମାନଙ୍କ ବୟାନକୁ ଆଧାର କରି ଏହି ଜଘନ୍ୟ ହତ୍ୟାକାଣ୍ଡ ପାଇଁ ଉଭୟ ସ୍ୱାମୀ ଓ ତାଙ୍କ ପ୍ରେମିକାଙ୍କୁ ଆଜୀବନ ସଜ୍ଜା ଶୁଣାଇଛନ୍ତି।

Leave A Reply

Your email address will not be published.