Latest Odisha News

BREAKING NEWS

ହକି ଜର୍ସିରୁ ଉଭାନ ‘ନୀଳ’, ଏବେ ମଇଦାନରେ ଖେଳିବ ‘ଗେରୁଆ’: ବିଜେପି ଉପରେ ବର୍ଷିଲେ ନବୀନ

ଭୁବନେଶ୍ୱର: ଭାରତୀୟ ହକି ଦଳର ଜର୍ସି ରଙ୍ଗ ପରିବର୍ତ୍ତନକୁ ନେଇ ଏବେ ସାରା ଦେଶରେ ବିବାଦ ମୁଣ୍ଡ ଟେକିଛି। ଦଶନ୍ଧି ଦଶନ୍ଧି ଧରି ଭାରତୀୟ ଦଳ ପିନ୍ଧି ଆସୁଥିବା ପାରମ୍ପରିକ ‘ନୀଳ’ ରଙ୍ଗର ଜର୍ସି ବଦଳରେ ଆଗାମୀ ବିଶ୍ୱକପ୍‌ରେ ଖେଳାଳିମାନେ ‘ଗେରୁଆ’ ବା କମଳା ରଙ୍ଗର ଜର୍ସି ପିନ୍ଧି ମଇଦାନକୁ ଓହ୍ଲାଇବେ। ହକି ଇଣ୍ଡିଆର ଏହି ନିଷ୍ପତ୍ତିକୁ ନେଇ ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକ ତୀବ୍ର ଅସନ୍ତୋଷ ପ୍ରକାଶ କରିବା ସହ ରାଜ୍ୟର ବିଜେପି ସରକାର ଉପରେ ବର୍ଷିଛନ୍ତି। ଏହାସହ ଜାତୀୟ ଖେଳକୁ ରାଜନୀତିକରଣ କରାଯାଉଥିବା ସେ ଅଭିଯୋଗ କରିଛନ୍ତି।

 

ନିଜର ଏକ୍ସ (X) ହ୍ୟାଣ୍ଡେଲରେ ଏକ ଦୀର୍ଘ ପୋଷ୍ଟ କରି ନବୀନ ପଟ୍ଟନାୟକ କହିଛନ୍ତି ଯେ, ଭାରତୀୟ ହକି ଦଳର ଆଇକନିକ୍ ନୀଳ ରଙ୍ଗ କେବଳ ଏକ ରଙ୍ଗ ନୁହେଁ, ବରଂ ଏହା ସମଗ୍ର ଦେଶର କ୍ରୀଡ଼ା ଐତିହ୍ୟ ଏବଂ ଆବେଗ ସହ ଜଡ଼ିତ। ଅଶୋକ ଚକ୍ରରୁ ଅନୁପ୍ରାଣିତ ଏହି ନୀଳ ରଙ୍ଗ ଜାତୀୟ ଗର୍ବ ଓ ପରିଚୟର ପ୍ରତୀକ। ସେ ଦୁଃଖ ପ୍ରକାଶ କରି କହିଛନ୍ତି, “ଓଡ଼ିଶାରେ ସରକାର ବଦଳିଗଲା ବୋଲି ଆମ ଜାତୀୟ ଦଳର ରଙ୍ଗ ବଦଳାଇ ଦିଆଯିବା ଉଚିତ ନୁହେଁ। ଏହା ସବୁଠାରୁ ଖରାପ ଧରଣର କ୍ଷୁଦ୍ର ରାଜନୀତି।”

 

ସେ ଆହୁରି ମଧ୍ୟ ଅଭିଯୋଗ କରିଛନ୍ତି ଯେ ଓଡ଼ିଶାରେ କ୍ଷମତାସୀନ ବିଜେପି ସରକାରଙ୍କ ଚାପରେ ହକି ଇଣ୍ଡିଆ ଏଭଳି ପଦକ୍ଷେପ ନେଇଛି। ବିଗତ କିଛି ଦିନ ଧରି ରାଜ୍ୟ ସରକାର ସରକାରୀ କୋଠା, ବସ୍ ଏବଂ ବ୍ରିଜ୍‌ଗୁଡ଼ିକର ରଙ୍ଗ ବଦଳାଇବାରେ ବ୍ୟସ୍ତ ଅଛନ୍ତି ଏବଂ ଏବେ ସେମାନେ ଆମ ଜାତୀୟ ଦଳର ରଙ୍ଗ ମଧ୍ୟ ବଦଳାଇ ଦେଇଛନ୍ତି ବୋଲି ନବୀନ କ୍ଷୋଭ ପ୍ରକାଶ କରିଛନ୍ତି। ଆର୍ଜେଣ୍ଟିନା ପାଇଁ ଆଇକନିକ୍ ଷ୍ଟ୍ରାଇପ୍ସ ଏବଂ ବ୍ରାଜିଲ୍ ପାଇଁ ହଳଦିଆ ଜର୍ସି ଯେତିକି ଗୁରୁତ୍ୱ ରଖେ, ଭାରତ ପାଇଁ ନୀଳ ଜର୍ସିର ମହତ୍ତ୍ୱ ସେତିକି ବୋଲି ସେ ଉଲ୍ଲେଖ କରିଛନ୍ତି।

 

ହକି ଇଣ୍ଡିଆ ପକ୍ଷରୁ ଏହି ବିବାଦ ଉପରେ ସ୍ପଷ୍ଟୀକରଣ ଦିଆଯାଇଛି। ସଂସ୍ଥାର କହିବା ଅନୁଯାୟୀ, ଜର୍ସିର ରଙ୍ଗ ପରିବର୍ତ୍ତନ ପଛରେ କୌଣସି ରାଜନୈତିକ ଉଦ୍ଦେଶ୍ୟ ନାହିଁ, ବରଂ ଏହା ସମ୍ପୂର୍ଣ୍ଣ ଭାବେ ବୈଷୟିକ ଏବଂ ଦୃଶ୍ୟମାନ ସମସ୍ୟାକୁ ଦୃଷ୍ଟିରେ ରଖି ନିଆଯାଇଛି। ନୀଳ ରଙ୍ଗର ଟର୍ଫ ଉପରେ ଖେଳାଳିମାନେ ନୀଳ ଜର୍ସି ପିନ୍ଧି ଖେଳିଲେ ଦର୍ଶକ ଏବଂ ବ୍ରଡକାଷ୍ଟରମାନଙ୍କୁ ଦେଖିବାରେ ଅସୁବିଧା ହେଉଥିଲା। ଖେଳାଳି ଏବଂ ବିଶେଷଜ୍ଞଙ୍କ ସହ ଆଲୋଚନା ପରେ ହିଁ ଏହି ନିଷ୍ପତ୍ତି ନିଆଯାଇଥିବା ହକି ଇଣ୍ଡିଆର ସଭାପତି ଦିଲୀପ ତିର୍କୀ ସୂଚନା ଦେଇଛନ୍ତି। ସେ ମଧ୍ୟ ମନେ ପକାଇ ଦେଇଛନ୍ତି ଯେ ଏହା ପ୍ରଥମ ଥର ନୁହେଁ ଯେ ଭାରତୀୟ ଦଳର ଜର୍ସି ରଙ୍ଗ ବଦଳିଛି; ପୂର୍ବରୁ ୨୦୧୪ ବିଶ୍ୱକପ୍‌ରେ ହଳଦିଆ ଏବଂ ୨୦୧୮ରେ ସ୍କାଏ ବ୍ଲୁ ରଙ୍ଗର ଜର୍ସି ଖେଳାଳିମାନେ ପିନ୍ଧିଥିଲେ।

 

ପୂର୍ବତନ ଅଧିନାୟକ ବିରେନ ରାସ୍କୁଇହ୍ନା ମଧ୍ୟ ଏହି ନିଷ୍ପତ୍ତିକୁ ନାପସନ୍ଦ କରିଛନ୍ତି। ସେ କହିଛନ୍ତି, “ହକି ଇଣ୍ଡିଆ ଦେଶ ପାଇଁ ଅନେକ ଭଲ କାମ କରିଛି, କିନ୍ତୁ ଏହି ନିଷ୍ପତ୍ତି ଲଜ୍ଜାଜନକ। ଭାରତୀୟ ଦଳର ଐତିହ୍ୟ ଏବଂ ପରିଚୟ ସର୍ବଦା ନୀଳ ରଙ୍ଗ ସହିତ ଜଡ଼ିତ ରହିଛି।” ସେ ଆହୁରି ମଧ୍ୟ କହିଛନ୍ତି ଯେ ପ୍ରଶଂସକମାନେ ନିଜ ଦଳକୁ ନୀଳ ଜର୍ସିରେ ହିଁ ଦେଖିବାକୁ ଚାହାଁନ୍ତି।

 

ଆସନ୍ତା ମାସରେ ବେଲଜିୟମ ଏବଂ ନେଦରଲାଣ୍ଡସରେ ଏଫଆଇଏଚ୍ ହକି ବିଶ୍ୱକପ୍ ୨୦୨୬ ଖେଳାଯିବ। ପ୍ରାୟ ୫୦ ବର୍ଷ ପରେ ପୁଣି ଥରେ ବିଶ୍ୱ ଚାମ୍ପିୟନ ହେବାର ସ୍ୱପ୍ନ ନେଇ ଭାରତୀୟ ଦଳ ମଇଦାନକୁ ଓହ୍ଲାଇବାକୁ ପ୍ରସ୍ତୁତ ହେଉଛି।

Leave A Reply

Your email address will not be published.