Latest Odisha News

BREAKING NEWS

ବିଜେପି ଛାଡ଼ିଲେ କି ଶେହଜାଦ୍ ପୁନାୱାଲା? ଏକ୍ସ (X) ବାୟୋରୁ ହଟିଲା ଦଳର ନାଁ, ବଢ଼ିଲା ରାଜନୈତିକ ସସ୍‌ପେନ୍ସ

ନୂଆଦିଲ୍ଲୀ: ଭାରତୀୟ ଜନତା ପାର୍ଟିର ରାଷ୍ଟ୍ରୀୟ ମୁଖପାତ୍ର ଶେହଜାଦ୍ ପୁନାୱାଲା ରାଜନୀତିରୁ ସନ୍ନ୍ୟାସ ନେବା ନେଇ ଏବେ ଜୋରଦାର ଚର୍ଚ୍ଚା ଆରମ୍ଭ ହୋଇଛି। ଶୁକ୍ରବାର ଦିନ ସେ ନିଜର ଏକ୍ସ ପ୍ରୋଫାଇଲ୍‌ରୁ ‘ବିଜେପି’ର ନାମ ହଟାଇ ଦେବା ପରେ ଏହି ସନ୍ଦେହ ଆହୁରି ଘନୀଭୂତ ହୋଇଛି। ବିଭିନ୍ନ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ବ୍ୟକ୍ତିଗତ କାରଣ ଦର୍ଶାଇ ଶେହଜାଦ୍ ଦଳରୁ ଇସ୍ତଫା ଦେଇଛନ୍ତି, ଯଦିଓ ଏ ନେଇ ବିଜେପି କିମ୍ବା ଶେହଜାଦଙ୍କ ପକ୍ଷରୁ କୌଣସି ଆନୁଷ୍ଠାନିକ ଘୋଷଣା କରାଯାଇ ନାହିଁ।

 

ଶେହଜାଦଙ୍କ ନୂଆ ବାୟୋ ଅନୁଯାୟୀ ସେ ନିଜକୁ “ଧର୍ମରେ ଇସଲାମ, ସଂସ୍କୃତିରେ ହିନ୍ଦୁ, ଆଦର୍ଶରେ ଭାରତୀୟ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆଜୀବନ ଅନୁଗାମୀ” ବୋଲି ବର୍ଣ୍ଣନା କରିଛନ୍ତି। କେବଳ ସେତିକି ନୁହେଁ, ସେ ନିଜ ନୂଆ ପ୍ରୋଫାଇଲ୍‌ର ଏକ ସ୍କ୍ରିନ୍‌ସଟ୍ ମଧ୍ୟ ସେୟାର କରିଛନ୍ତି। ଉଲ୍ଲେଖଯୋଗ୍ୟ ଯେ, ଗତ କିଛି ଦିନ ହେବ ସେ ସକ୍ରିୟ ରାଜନୀତିରୁ ଦୂରେଇ ଯିବାକୁ ଚାହୁଁଥିବା ନେଇ ଇସାରା ଦେଇ ଆସୁଥିଲେ।

 

ନିକଟରେ ସେ ନିଜର ଏକ ପୁରୁଣା ସାକ୍ଷାତକାରର ଭିଡିଓ ରି-ପୋଷ୍ଟ କରିଥିଲେ, ଯେଉଁଥିରେ ସେ ୨୦୨୪ ଲୋକସଭା ନିର୍ବାଚନ ପରେ ରାଜନୀତିରୁ ଅବସର ନେବା କଥା କହୁଥିବାର ଶୁଣିବାକୁ ମିଳିଥିଲା। ଭିଡିଓ ସେୟାର କରି ସେ ଲେଖିଥିଲେ ଯେ, “ମୁଁ ଏହି ନିଷ୍ପତ୍ତି ନେବାରେ ଇତିମଧ୍ୟରେ ଦୁଇ ବର୍ଷ ବିଳମ୍ବ କରିସାରିଲିଣି।” ୨୦୧୭ ମସିହାରେ କଂଗ୍ରେସରୁ ବିଦାୟ ନେଇ ବିଜେପିରେ ସାମିଲ ହୋଇଥିବା ଶେହଜାଦ୍ ଟିଭି ବିତର୍କରେ ବିଜେପିର ଏକ ପ୍ରମୁଖ ଚେହେରା ଥିଲେ। ବିଶେଷକରି କଂଗ୍ରେସ ଏବଂ ରାହୁଲ ଗାନ୍ଧୀଙ୍କ ଉପରେ କଡ଼ା ପ୍ରହାର କରିବା ପାଇଁ ସେ ବେଶ୍ ଜଣାଶୁଣା ଥିଲେ।

 

ଏହି ଘଟଣାକ୍ରମ ଏପରି ଏକ ସମୟରେ ଘଟିଛି ଯେତେବେଳେ ତାଙ୍କ ଭାଇ ତଥା ରାଜନୈତିକ ସମୀକ୍ଷକ ତେହସିନ୍ ପୁନାୱାଲା ମଧ୍ୟ କେନ୍ଦ୍ର ସରକାରଙ୍କ ବିଭିନ୍ନ ନୀତି, ଯେପରିକି ଜନ୍ତରମନ୍ତରରେ ଛାତ୍ର ଆନ୍ଦୋଳନ ପରିଚାଳନା ଏବଂ ସୋନମ ୱାଙ୍ଗଚୁକ୍‌ଙ୍କ ପ୍ରସଙ୍ଗରେ କଡ଼ା ସମାଲୋଚନା କରିଛନ୍ତି। ତେବେ ବିଜେପିରୁ ପ୍ରକୃତରେ ଶେହଜାଦ୍ ଇସ୍ତଫା ଦେଇଛନ୍ତି ନା କେବଳ ନିଜ ସୋସିଆଲ୍ ମିଡିଆ ପ୍ରୋଫାଇଲ୍ ବଦଳାଇଛନ୍ତି, ତାହା କୌଣସି ଆନୁଷ୍ଠାନିକ ଘୋଷଣା ପରେ ହିଁ ସ୍ପଷ୍ଟ ହେବ।

Leave A Reply

Your email address will not be published.