ଶ୍ରୀନଗର: ଜମ୍ମୁ-କଶ୍ମୀରର କୁଲଗାମ୍ ଜିଲ୍ଲାର କିଲମ୍ ଅଞ୍ଚଳରେ ଏକ ଆତଙ୍କବାଦୀ ଆକ୍ରମଣ ଘଟିଛି । ଆତଙ୍କବାଦୀମାନେ ଅଣ-ସ୍ଥାନୀୟ ବାହାର ରାଜ୍ୟର ଦୁଇଜଣ ବ୍ୟକ୍ତିଙ୍କୁ ଟାର୍ଗେଟ୍ କରି ଗୁଳି ଚଳାଇଥିଲେ; ସେମାନଙ୍କ ମଧ୍ୟରୁ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଅନ୍ୟ ଜଣେ ଚିକିତ୍ସିତ ହେଉଛନ୍ତି। ସୁରକ୍ଷା ବାହିନୀ ସମ୍ପୃକ୍ତ ଅଞ୍ଚଳକୁ ଘେରାଉ କରିଛି ଏବଂ ଆତଙ୍କବାଦୀମାନଙ୍କୁ ଖୋଜିବା ପାଇଁ ଅଭିଯାନ ଜାରି ରହିଛି। ଜମ୍ମୁ-କାଶ୍ମୀର ପୋଲିସ୍ ସୂଚନା ଦେଇଛି ଯେ ସୁରକ୍ଷା ବାହିନୀ ସେହି ଅଞ୍ଚଳକୁ ଘେରି ରହିବା ସହ ଆକ୍ରମଣକାରୀଙ୍କୁ ଠାବ କରିବା ପାଇଁ ଏକ ସନ୍ଧାନ ଅଭିଯାନ ଆରମ୍ଭ କରିଛି।
ରିପୋର୍ଟ ଅନୁଯାୟୀ, କୁଲଗାମ୍ ଜିଲ୍ଲାର କିଲମ୍ ଅଞ୍ଚଳରେ ଦୁଇଜଣ ଅଣ-କାଶ୍ମୀରୀ ଶ୍ରମିକଙ୍କ ଉପରେ ଆକ୍ରମଣ କରାଯାଇଛି। ହଠାତ୍ ଗୁଳିଚାଳନା କରାଯାଇଥିଲା ଏବଂ ତା’ପରେ ଆତଙ୍କବାଦୀମାନେ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ। ଗୁଳି ଶବ୍ଦ ଶୁଣି ଲୋକମାନେ ଘଟଣାସ୍ଥଳକୁ ଦୌଡ଼ି ଆସିଥିଲେ ଏବଂ ପୋଲିସକୁ ଖବର ଦେଇଥିଲେ। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉଭୟ ବ୍ୟକ୍ତିଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନା ନେଇଥିଲା; ତେବେ ଚିକିତ୍ସା ସମୟରେ ଡାକ୍ତର ସେମାନଙ୍କ ମଧ୍ୟରୁ ଜଣଙ୍କୁ ମୃତ ଘୋଷଣା କରିଥିଲେ।
ମୃତ ବ୍ୟକ୍ତି ଜଣକ ଛତିଶଗଡ଼ର ଦୀପକ ବୋଲି ଚିହ୍ନଟ କରାଯାଇଥିବାବେଳେ, ଅନ୍ୟ ଜଣେ ବ୍ୟକ୍ତି ଭୂପେନ୍ଦ୍ର କୁମାର ଚିକିତ୍ସିତ ହେଉଛନ୍ତି। ଉଭୟ ଶ୍ରମିକ ଥିଲେ। ଆତଙ୍କବାଦୀ ସଂଗଠନ ‘ଲସ୍କର-ଏ-ତୈୟବା’ ଏହି ଆତଙ୍କବାଦୀ ଆକ୍ରମଣ ପାଇଁ ନିଜକୁ ଦାୟୀ କରିଛି ।
ଡିଜିପି ନଳିନ ପ୍ରଭାତ ଏହି ଆକ୍ରମଣ ସମ୍ପର୍କରେ ଉପ-ରାଜ୍ୟପାଳ ମନୋଜ ସିହ୍ନାଙ୍କୁ ଅବଗତ କରାଇଥିଲେ। ଉପ-ରାଜ୍ୟପାଳ ନିର୍ଦ୍ଦେଶ ଦେଇଛନ୍ତି ଯେ, ଏହି ଆକ୍ରମଣ ପାଇଁ ଦାୟୀ ଆତଙ୍କବାଦୀମାନଙ୍କୁ ଯଥାଶୀଘ୍ର ନିପାତ କରାଯାଉ। ଅନ୍ୟପକ୍ଷରେ, ଅଧିକାରୀମାନେ ଜଣାଇଛନ୍ତି ଯେ ଆହତ ଶ୍ରମିକଙ୍କୁ ଉନ୍ନତ ଚିକିତ୍ସା ପାଇଁ ଜିଏମସି (GMC) ଅନନ୍ତନାଗକୁ ସ୍ଥାନାନ୍ତର କରାଯାଇଛି।
ଏହି ଆତଙ୍କବାଦୀ ଆକ୍ରମଣ ଏପରି ଏକ ସମୟରେ ଘଟିଛି ଯେତେବେଳେ ବୁଧବାର (ଜୁଲାଇ ୨୨) ଦିନ କୁଲଗାମ ଜିଲ୍ଲାରେ ଏକ ସର୍ଚ୍ଚ ଅପରେସନ୍ ସମୟରେ ସୁରକ୍ଷା ବାହିନୀ ପ୍ରଚୁର ପରିମାଣର ଅସ୍ତ୍ରଶସ୍ତ୍ର ଓ ଗୁଳିଗୋଳା ଜବତ କରିଥିଲେ। କୁଲଗାମ ପୋଲିସ୍, ୩୪ ରାଷ୍ଟ୍ରୀୟ ରାଇଫଲ୍ସ (RR) ଏବଂ CRPFର ୧୮ତମ ବାଟାଲିୟନ୍ ମିଳିତ ଭାବେ ତନ୍ତ୍ରିପୋରା-ସୁରସାନୁ ଅଞ୍ଚଳର ଫଳ ବଗିଚାରେ ଏହି ଅଭିଯାନ ଚଳାଇଥିଲେ।
ସେହିପରି ଜୁଲାଇ ୩୦ ତାରିଖରେ, ସୁରକ୍ଷା ବାହିନୀ ଜମ୍ମୁ-କଶ୍ମୀରର ରାଜୌରୀ ଅଞ୍ଚଳସ୍ଥିତ ଜଙ୍ଗଲ ଭିତରେ ଥିବା ଆତଙ୍କବାଦୀଙ୍କ ଏକ ଗୁପ୍ତ ଆଡ୍ଡାକୁ ଠାବ କରି ଧ୍ୱଂସ କରିଥିଲା। ଉକ୍ତ ସ୍ଥାନରୁ ଖାଦ୍ୟ ସାମଗ୍ରୀ, ରୋଷେଇ ଉପକରଣ ଏବଂ ଅନ୍ୟାନ୍ୟ ସାମଗ୍ରୀ ଜବତ କରାଯାଇଥିଲା। ସେନା ଓ ପୋଲିସର ଏକ ମିଳିତ ଦଳ ଏହି ସର୍ଚ୍ଚ ଅପରେସନ ଚଳାଇଥିଲେ। ଏହି ଅଞ୍ଚଳଟି ଅତ୍ୟନ୍ତ ଘଞ୍ଚ ହୋଇଥିବା ବେଳେ ଏଠାରେ ବହୁଳ ପରିମାଣର ଝଙ୍କାଳିଆ ବୁଦା ଓ ଉଚ୍ଚ ଗଛ ରହିଛି; ଆତଙ୍କବାଦୀମାନେ ଏହି ଘଞ୍ଚ ଆବରଣର ସୁଯୋଗ ନେଇ ସେମାନଙ୍କର ଅସ୍ଥାୟୀ ଆଡ୍ଡା ନିର୍ମାଣ କରିଥିଲେ।
ସୂଚନାଥାଉକି, ଏହି ମାସରେ ଆତଙ୍କବାଦୀଙ୍କ ଦ୍ୱାରା କରାଯାଇଥିବା ଏହା ଦ୍ୱିତୀୟ ଆକ୍ରମଣ। ଏହା ପୂର୍ବରୁ, ଅମରନାଥ ଯାତ୍ରା ଡ୍ୟୁଟିରେ ନିୟୋଜିତ ଜଣେ ପୋଲିସ ଅଧିକାରୀଙ୍କ ଉପରେ ଆକ୍ରମଣ କରାଯାଇଥିଲା।