Latest Odisha News

BREAKING NEWS

ଜଳବନ୍ଦୀ ଅଞ୍ଚଳରେ ସାପ କାମୁଡ଼ା ଘଟଣା ବୃଦ୍ଧି;ଏଯାଏଁ ୯୬ ସାପ କାମୁଡ଼ା ମାମଲା ସାମ୍ନାକୁ ଆସିଛି

ଭୁବନେଶ୍ୱର:ବନ୍ୟା ପରେ ଜଳବନ୍ଦୀ ଅଞ୍ଚଳରେ ସାପ କାମୁଡ଼ା ଘଟଣା ବୃଦ୍ଧି ପାଉଛି । ସରକାରୀ ସୂଚନା ଅନୁଯାୟୀ, ବନ୍ୟା ସମୟରେ ଏପର୍ଯ୍ୟନ୍ତ ୯୬ଟି ସାପ କାମୁଡ଼ା ମାମଲା ସାମ୍ନାକୁ ଆସିଛି । ଏନେଇ ସ୍ୱାସ୍ଥ୍ୟ ବିଭାଗ ଲୋକଙ୍କୁ ପରାମର୍ଶ ଦେଇଛି ଯେ, ବନ୍ୟା ପାଣିରେ ଚାଲିବା ବେଳେ ସତର୍କ ରୁହନ୍ତୁ, ରାତିରେ ଟର୍ଚ୍ଚ ବ୍ୟବହାର କରନ୍ତୁ, ଘର ଓ ଆଖପାଖକୁ ସଫା ରଖନ୍ତୁ ଏବଂ ସାପ କାମୁଡ଼ିଲେ କୌଣସି ଘରୋଇ ଚିକିତ୍ସା ନକରି ତୁରନ୍ତ ନିକଟସ୍ଥ ମେଡିକାଲକୁ ଯାଆନ୍ତୁ ।

ବନ୍ୟା ପାଣି କମୁଥିଲେ ମଧ୍ୟ ବିପଦ ଏବେ ସମ୍ପୂର୍ଣ୍ଣ ଟଳିନାହିଁ। ସାପ କାମୁଡ଼ା, ଡାଏରିଆ ଏବଂ ଜଳବାହିତ ରୋଗକୁ ନେଇ ସଚେତନ ରହିବାକୁ ସ୍ୱାସ୍ଥ୍ୟ ବିଭାଗ ପୁଣିଥରେ ସାଧାରଣ ଲୋକଙ୍କୁ ଅପିଲ୍ କରିଛି ।

ବନ୍ୟାରେ ୭ ଜିଲ୍ଲା ପ୍ରଭାବିତ ହୋଇଥିବା ବେଳେ ସେ ସବୁ ଜିଲ୍ଲାରେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି ବୋଲି ଜନସ୍ୱାସ୍ଥ୍ୟ ବିଭାଗ ଯୁଗ୍ମ ନିର୍ଦ୍ଦେଶକ ଡାକ୍ତର ବସନ୍ତ ପ୍ରଧାନ କହିଛନ୍ତି । ପ୍ରଭାବିତ ଜିଲ୍ଲାଗୁଡ଼ିକ ହେଲେ ବାଲେଶ୍ୱର, ଯାଜପୁର, ଭଦ୍ରକ, ଜଗତସିଂହପୁର, କେନ୍ଦୁଝର, ପୁରୀ ଓ କଟକ । ସମସ୍ତ ଜିଲ୍ଲାରେ କଣ୍ଟ୍ରୋଲ ରୁମ୍ ସହ ଅସ୍ଥାୟୀ ଚିକିତ୍ସା ଶିବିର ଖୋଲାଯାଇଛି ।

ସ୍ୱାସ୍ଥ୍ୟ ବିଭାଗର ତଥ୍ୟ ଅନୁଯାୟୀ, ବନ୍ୟା ପରେ ୧୯୫ଟି ଡାଏରିଆ ମାମଲା ଚିହ୍ନଟ ହୋଇଛି । ଏପର୍ଯ୍ୟନ୍ତ ୨୧,୩୩୪ ଜଣଙ୍କୁ ଚିକିତ୍ସା ସେବା ଯୋଗାଇ ଦିଆଯାଇଛି । ୪୮୧ ଜଣ ଗର୍ଭବତୀ ମହିଳାଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି । ସେମାନଙ୍କ ମଧ୍ୟରୁ ୩୩୨ ଜଣଙ୍କର ପ୍ରସବ ସଫଳତାର ସହ ହୋଇଥିବା ବେଳେ ଏଥିରେ ମା’ କିମ୍ବା ନବଜାତ ଶିଶୁଙ୍କ ମୃତ୍ୟୁ ହୋଇନଥିବା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି ।ମେଡିକାଲ ଟିମ୍ ଗାଁ ଗାଁ ବୁଲି ସ୍ୱାସ୍ଥ୍ୟ ପରୀକ୍ଷା କରିବା ସହ ଔଷଧ ବଣ୍ଟନ କରୁଛନ୍ତି ।

Leave A Reply

Your email address will not be published.