ଧାମନଗର:ବନ୍ୟାରେ ଭଦ୍ରକ ଜିଲା ସମେତ ଧାମନଗର ଅଞ୍ଚଳରେ କ୍ଷୟକ୍ଷତି ହୋଇଛି । ତେବେ ଏହି ବନ୍ୟାରେ ଲୋକଙ୍କ ସ୍ବାସ୍ଥ୍ୟ ଜନିତ ସମସ୍ୟା ନେଇ ରୀଜ୍ୟର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ମୁକେଶ ମହାଲିଙ୍ଗ ଗୁରୁବାର ମଧ୍ୟାହ୍ନରେ ଧାମନଗର ଗସ୍ତ କରିଛନ୍ତି । ମନ୍ତ୍ରୀ ଧାମନଗର ଏନ୍ ଏ ସି ୧୦ ନଂ ୱାର୍ଡ ଗସ୍ତ ସମୟରେ ବିଭିନ୍ନ ଲୋକଙ୍କୁ ସିଧାସଳଖ ସ୍ବାସ୍ଥ୍ୟ ଜନିତ ସମସ୍ୟା ସମ୍ପର୍କରେ ବୁଝିଥିଲେ ।
ଏହାପରେ ଉକ୍ତ ୱାର୍ଡରେ ଥିବା ଆୟୁଷ୍ମାନ ଆରୋଗ୍ୟ ମନ୍ଦିର କେନ୍ଦ୍ରକୁ ପରିଦର୍ଶନ କରି ବନ୍ୟା ସମୟରେ ରୋଗୀଙ୍କୁ କିଭଳି ଭାବେ ସେବା ଯୋଗାଇ ଦିଆଯାଉଥିଲା ଉପସ୍ଥିତ ଥିବା ସ୍ୱାସ୍ଥ୍ୟକର୍ମୀଙ୍କୁ ପଚାରି ବୁଝିଥିଲେ। ଏଥିସହ ଧାମନଗର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ସଭାଗୃହରେ ସ୍ବାସ୍ଥ୍ୟ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା ।
ବନ୍ୟା ପରେ ଡାଇରିଆ ମ୍ୟାଲେରିଆ କିମ୍ବା ଅନ୍ୟାନ୍ୟ ସ୍ବାସ୍ଥ୍ୟ ଜନିତ ସମସ୍ୟା ସେନେଇ ସ୍ୱାସ୍ଥ୍ୟ ବିଭାଗ ସଜାଗ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି ।
ବିଶେଷକରି ଡାଇରିଆ ନ ବ୍ୟାପିବା ନେଇ ଆଣ୍ଟି ଡାଇରିଆ ଟାବଲେଟ ଓ ହାଲୋଜେନ୍ ଟାବଲେଟ ମହଜୁଦ ରଖିବା ସହ ସ୍ୱଚ୍ଛ ପିଇବା ପାଣି ନେଇ ବନ୍ୟା ପ୍ରଭାବିତ ଅଞ୍ଚଳରେ ୭ ଦିନର ଥରେ ଲେଖାଏଁ ଟିୱେଲ ଗୁଡ଼ିକ ଜୀବାଣୁ ମୁକ୍ତ କରାଯିବ, ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ବନ୍ୟା ସମୟରେ ସିଏଚସିରୁ ପିଏଚସି ପର୍ଯ୍ୟନ୍ତ ସାପ କାମୁଡ଼ା ଇଞ୍ଜେକ୍ସନ ମହଜୁଦ ରଖାଯାଇଥିଲା ଏବଂ ସେ ସମୟରେ ଯେଉଁ ସବୁ ସମସ୍ୟା ଆସୁଥିଲା ତୁରନ୍ତ ପଦକ୍ଷେପ ନିଆଯାଇଥିଲା।
ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଧାମନଗର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଏକ ସର୍ବପୁରାତନ ସ୍ବାସ୍ଥ୍ୟକେନ୍ଦ୍ର । ଏହାର ନବୀକରଣ ନେଇ ନୂତନ ଡାକ୍ତରଖାନା ଘର ନିର୍ମାଣ ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ଆର୍ଥିକ ବ୍ୟୟ ବରାଦ କରାଯାଇ କାର୍ଯ୍ୟ ଆରମ୍ଭ ହୋଇସାରିଛି। ଏହା ସରିବା ପରେ ସମସ୍ତ ସମସ୍ୟା ଦୂରୀକରଣ ହେବ ବୋଲି ମନ୍ତ୍ରୀ କହିଥିଲେ ।
ଏଥିସହ ବନ୍ୟା ସମୟରେ ଆଶାକର୍ମୀଙ୍କ ପକ୍ଷରୁ ଅନେକ ସାହାଯ୍ୟ ଓ ସହଯୋଗ କରାଯାଇଥିବାରୁ ମନ୍ତ୍ରୀ ସେମାନଙ୍କୁ ଧନ୍ୟବାଦ ଦେଇଥିଲେ।
