Latest Odisha News

BREAKING NEWS

Boarding School:ପିଲାଙ୍କ ଭବିଷ୍ୟତ ପାଇଁ ବୋଡିଂ ସ୍କୁଲ ଛାଡିଥିଲେ ବାପା ମା’, ହଠାତ୍ ବେଡିଂ ବସ୍ତାନି ଧରି ଚାଲି ଚାଲି ଘରମୁହାଁ ହେଲେ ଛାତ୍ରଛାତ୍ରୀ

ନବରଙ୍ଗପୁର: ଭଲ ପାଠ ପଢିବେ, ନିଜ ଭବିଷ୍ୟତ ଗଢିବେ ବୋଲି ନିଜ ପିଲାଙ୍କୁ ନିଜ ଠାରୁ ଦୂରେଇ ଦେଇ ବୋଡିଂ ସ୍କୁଲରେ ଛାଡିଥିଲେ ଅଭିଭାବକ । ହେଲେ ଦିନ କେଇଟା ଯାଇନି, ହଠାତ୍ ସ୍କୁଲର ପ୍ରାୟ ୧୮୦ରୁ ଅଧିକ ପିଲା ପାଦରେ ଚାଳି ଚାଲି ଘରକୁ ଫେରିଯିବାର ନିଷ୍ପତ୍ତି ନେଇଥିଲେ । ଏଭଳି ଘଟଣା ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ୍‌ର ସନାଟେମେରା ହାଇସ୍କୁଲ୍ ହଷ୍ଟେଲରେ ଘଟିଛି।

ତେବେ ଅଭିଯୋଗ ଅନୁଯାୟୀ, ଦୀର୍ଘଦିନ ଧରି ହଷ୍ଟେଲରେ ଖରାପ ମାନର ଖାଦ୍ୟ ଦିଆଯାଉଥିଲା। ଏହାସହ ରହିବା ପାଇଁ ମଧ୍ୟ ପର୍ଯ୍ୟାପ୍ତ ସୁବିଧା ନଥିଲା। ଆବଶ୍ୟକତା ଅନୁସାରେ କୋଠରୀ ନଥିବାରୁ ଅନେକ ଛାତ୍ରଛାତ୍ରୀଙ୍କୁ ଭିଡ଼ ଭିତରେ ରହିବାକୁ ପଡ଼ୁଥିବା ସେମାନେ କହିଛନ୍ତି। ଏନେଇ କର୍ତ୍ତୃପକ୍ଷଙ୍କୁ ଅଭିଯୋଗ ହୋଇଥିଲେ ମଧ୍ୟ ସମସ୍ୟାର ସମାଧାନ ନହେବାରୁ ଶେଷରେ ୧୮୦ରୁ ଅଧିକ ଛାତ୍ରଛାତ୍ରୀ ଏକାଠି ହୋଇ ହଷ୍ଟେଲ ଛାଡ଼ିଥିଲେ। ନିଜ ଗାଁ ପ୍ରାୟ ୧୨ କିଲୋମିଟର ଦୂରରେ ଥିବାରୁ ସମସ୍ତେ ପାଦରେ ଚାଲି ଘରକୁ ବାହାରିଥିଲେ।

ଏତେ ସଂଖ୍ୟକ ଛାତ୍ରଛାତ୍ରୀ ଏକାସାଙ୍ଗରେ ରାସ୍ତାରେ ଯାଉଥିବା ଖବର ପାଇ ସ୍ଥାନୀୟ ଲୋକଙ୍କ ନଜର ପଡ଼ିଥିଲା। ଖବର ପାଇ ପ୍ରଶାସନିକ ଅଧିକାରୀମାନେ ମଧ୍ୟ ପହଞ୍ଚିଥିଲେ। ପିଲାମାନଙ୍କୁ ଦୁକଲପଡ଼ା ସ୍କୁଲରେ ଅଟକାଇ ସେଠାରେ ଖାଇବା ଓ ପିଇବାର ବ୍ୟବସ୍ଥା କରାଯାଇଥିଲା। ପରେ ସେମାନଙ୍କ ସହ ଆଲୋଚନା କରି ସମସ୍ୟା ଶୁଣାଯାଇଥିଲା।

ଛାତ୍ରଛାତ୍ରୀଙ୍କ କହିବା ଅନୁସାରେ, ସ୍କୁଲ୍‌ରେ ହଷ୍ଟେଲ ସୁବିଧା ନଥିବା ସହ ଆବଶ୍ୟକ ସଂଖ୍ୟକ ଶୌଚାଳୟ ମଧ୍ୟ ନାହିଁ। ରହିବା ଓ ଖାଇବା ବ୍ୟବସ୍ଥାକୁ ନେଇ ମଧ୍ୟ ସେମାନେ ଅସନ୍ତୋଷ ପ୍ରକାଶ କରିଥିଲେ। ସ୍ଥାନୀୟ ବାସିନ୍ଦା ମଧୁ ମାଝୀ ମଧ୍ୟ ଛାତ୍ରଛାତ୍ରୀଙ୍କ ଅଭିଯୋଗକୁ ସମର୍ଥନ କରିଛନ୍ତି। ତାଙ୍କ ଅଭିଯୋଗ ଅନୁସାରେ, ହଷ୍ଟେଲର ଚାରିପାଖର ପାଚେରୀ ଭାଙ୍ଗିଯାଇଛି। ଛାତ୍ରଛାତ୍ରୀଙ୍କ ପାଇଁ ପର୍ଯ୍ୟାପ୍ତ ଓ ଉପଯୁକ୍ତ ଶୌଚାଳୟ ନାହିଁ। ଏହାସହ ନିମ୍ନମାନର ଖାଦ୍ୟ ଦିଆଯାଉଥିବା ସେ ଅଭିଯୋଗ କରିଛନ୍ତି। ଲଗାତାର ବର୍ଷା ଯୋଗୁଁ ହଷ୍ଟେଲର ସ୍ଥିତି ଆହୁରି ଖରାପ ହୋଇଥିବା ମଧ୍ୟ ସେ କହିଛନ୍ତି। ହଷ୍ଟେଲର ମରାମତି ସହ ଆବଶ୍ୟକ ମୌଳିକ ସୁବିଧା ତୁରନ୍ତ ଯୋଗାଇ ଦେବାକୁ ସେ ପ୍ରଶାସନ ନିକଟରେ ଦାବି କରିଛନ୍ତି।

ଘଟଣା ସମ୍ପର୍କରେ ଆସିଷ୍ଟାଣ୍ଟ ବ୍ଲକ୍ ଅଫିସର ଦଶରଥ ଗଣ୍ଡ କହିଛନ୍ତି ଯେ, ସୂଚନା ପାଇବା ପରେ ଅଧିକାରୀମାନେ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲେ। ସେଠାରେ ପିଲାମାନେ ପାଦରେ ଚାଲି ଯାଉଥିବା ଦେଖି ସେମାନଙ୍କୁ ଦୁକଲପଡ଼ା ସ୍କୁଲରେ ରଖାଯାଇଥିଲା ଏବଂ ଖାଇବା-ପିଇବାର ବ୍ୟବସ୍ଥା କରାଯାଇଥିଲା।

ଅଧିକାରୀଙ୍କ କହିବା ଅନୁସାରେ, ପିଲାମାନଙ୍କ ଅଭିଯୋଗ ଶୁଣିବା ପରେ ଜଣାପଡ଼ିଥିଲା ଯେ ସେଠାରେ ହଷ୍ଟେଲ ନିର୍ମାଣ କାମ ଚାଲିଛି। ପିଲାମାନଙ୍କ ସହ ଆଲୋଚନା ପରେ ହେଡମିଷ୍ଟ୍ରେସ୍‌ଙ୍କ ବଦଳି କରାଯାଇ ଗଣେଶରାମ ନାୟକଙ୍କୁ ନୂଆ ହେଡମାଷ୍ଟର ଭାବେ ନିଯୁକ୍ତ କରାଯାଇଛି। ପରେ ପିଲାମାନଙ୍କୁ ଗାଡ଼ି ଯୋଗେ ପୁଣି ସ୍କୁଲକୁ ପଠାଯାଇଥିଲା। ଛାତ୍ରଛାତ୍ରୀଙ୍କ ସୁରକ୍ଷା ପ୍ରଶାସନର ଦାୟିତ୍ୱ ବୋଲି କହି ଘଟଣା ସମୟରେ କିଛି ଶିକ୍ଷକ ପିଲାମାନଙ୍କ ସହ ରହି ସେମାନଙ୍କୁ ବୁଝାସୁଝା କରିଥିବା ଅଧିକାରୀ କହିଛନ୍ତି। କିଛି ସ୍ଥାନୀୟ ଲୋକ ମଧ୍ୟ ସେଠାରେ ଉପସ୍ଥିତ ଥିଲେ।

୧୮୦ରୁ ଅଧିକ ପିଲା ଏକାସାଙ୍ଗରେ ହଷ୍ଟେଲ ଛାଡ଼ି ୧୨ କିମି ପାଦରେ ଘରକୁ ବାହାରିବା ଘଟଣା ଏବେ ସରକାରୀ ଆବାସିକ ସ୍କୁଲ୍ ଓ ହଷ୍ଟେଲରେ ଥିବା ମୌଳିକ ସୁବିଧାକୁ ନେଇ ବଡ଼ ପ୍ରଶ୍ନ ଉଠାଇଛି। ଛାତ୍ରଛାତ୍ରୀଙ୍କ ଅଭିଯୋଗ କେତେଦୂର ସତ, ତାହାର ଯାଞ୍ଚ ସହ ହଷ୍ଟେଲର ରହିବା, ଖାଦ୍ୟ ଓ ଶୌଚାଳୟ ଭଳି ମୌଳିକ ସୁବିଧା ଶୀଘ୍ର ସୁଧାରିବା ଏବେ ପ୍ରଶାସନ ପାଇଁ ବଡ଼ ଚ୍ୟାଲେଞ୍ଜ ହୋଇଛି।

Leave A Reply

Your email address will not be published.