Nuclear power plant: ଓଡ଼ିଶାରେ ହେବ ପରମାଣୁ ପ୍ଲାଣ୍ଟ! ସରକାରଙ୍କ ପାଖରେ ପହଞ୍ଚିଲେ ଟାଟା, ଆଦାନୀ…କାହା ହାତକୁ ଯିବ ପାଓ୍ବର ପ୍ଲାଣ୍ଟ ପ୍ରକଳ୍ପ?
ଭୁବନେଶ୍ୱର: ଓଡ଼ିଶାରେ ପରମାଣୁ ଶକ୍ତି ଉତ୍ପାଦନକୁ ନେଇ ବଡ଼ ଖବର। ରାଜ୍ୟରେ ନ୍ୟୁକ୍ଲିୟର ପାୱାର ପ୍ଲାଣ୍ଟ ସ୍ଥାପନ ପାଇଁ ଦେଶର ଦୁଇ ବଡ଼ ଶିଳ୍ପ ଗୋଷ୍ଠୀ ଟାଟା ଗ୍ରୁପ୍ ଓ ଆଦାନୀ ଗ୍ରୁପ୍ ଓଡ଼ିଶା ସରକାରଙ୍କ ନିକଟରେ ଅଲଗା ଅଲଗା ପ୍ରସ୍ତାବ ଦେଇଛନ୍ତି। ତେବେ ଏହି ପ୍ରସ୍ତାବ ଉପରେ ସରକାର ଏପର୍ଯ୍ୟନ୍ତ କୌଣସି ଚୂଡ଼ାନ୍ତ ନିଷ୍ପତ୍ତି ନେଇନାହାନ୍ତି।
ରାଜ୍ୟ ଶକ୍ତି ବିଭାଗର ସଚିବ ବିଶାଳ କୁମାର ଦେବ ଏହି ଦୁଇ ପ୍ରସ୍ତାବ ଆସିଥିବା ସ୍ପଷ୍ଟ କରିଛନ୍ତି। ଓଡ଼ିଶାକୁ ଦେଶର ଏକ ବଡ଼ ଏନର୍ଜି ହବ୍ରେ ପରିଣତ କରିବା ପାଇଁ ସରକାରଙ୍କ ଦୀର୍ଘମିଆଦୀ ଭିଜନ୍ ୨୦୩୬ ଓ ଭିଜନ୍ ୨୦୪୭ ଯୋଜନା ମଧ୍ୟରେ ଏହି ପ୍ରସ୍ତାବଗୁଡ଼ିକୁ ନେଇ ମୂଲ୍ୟାଙ୍କନ ଚାଲିଛି।
ଟାଟା ଗ୍ରୁପ୍ ଓଡ଼ିଶାର ମାଲକାନଗିରି ଜିଲ୍ଲାରେ ୪ଟି ପରମାଣୁ ଶକ୍ତି ୟୁନିଟ୍ ସ୍ଥାପନ ପାଇଁ ପ୍ରସ୍ତାବ ଦେଇଛି। ପ୍ରତ୍ୟେକ ୟୁନିଟ୍ର କ୍ଷମତା ୨୦୦ ମେଗାୱାଟ୍ ରହିବ। ଅର୍ଥାତ୍ ଟାଟାର ପ୍ରସ୍ତାବିତ ପ୍ରକଳ୍ପର ମୋଟ କ୍ଷମତା ୮୦୦ ମେଗାୱାଟ୍ ହେବ। ତେବେ ଏହି ପ୍ରକଳ୍ପ ପାଇଁ ଟାଟା ଗ୍ରୁପ୍ କେତେ ଟଙ୍କା ନିବେଶ କରିବ, ସେନେଇ କମ୍ପାନୀ ପକ୍ଷରୁ କୌଣସି ଆର୍ଥିକ ଆକଳନ ପ୍ରକାଶ କରାଯାଇନାହିଁ।
ଅନ୍ୟପଟେ ଆଦାନୀ ଗ୍ରୁପ୍ର ପ୍ରସ୍ତାବ ଆହୁରି ବଡ଼। ଜୁଲାଇ ୩୦ରେ ଆଦାନୀ ଗ୍ରୁପ୍ର ଏକ ପ୍ରତିନିଧି ଦଳ ଓଡ଼ିଶାର ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କୁ ଭେଟିଥିଲେ। କମ୍ପାନୀ ରାଜ୍ୟର କ୍ଲିନ୍ ଏନର୍ଜି କ୍ଷେତ୍ରରେ ପ୍ରାୟ ୧.୫ ଲକ୍ଷ କୋଟି ଟଙ୍କା ନିବେଶ କରିବାର ଯୋଜନା ରଖିଛି। ଆଦାନୀର ପ୍ରସ୍ତାବରେ ରହିଛି, ୬,୦୦୦ ମେଗାୱାଟ୍ କ୍ଷମତାର ଦୁଇଟି ପରମାଣୁ ବିଦ୍ୟୁତ୍ ପ୍ଲାଣ୍ଟ, ୨,୪୦୦ ମେଗାୱାଟ୍ର ଅଲ୍ଟ୍ରା-ସୁପରକ୍ରିଟିକାଲ୍ ଥର୍ମାଲ୍ ପାୱାର ପ୍ଲାଣ୍ଟ, ଫ୍ଲୋଟିଂ ସୋଲାର ପ୍ରକଳ୍ପ ଏବଂ ପମ୍ପଡ୍ ଷ୍ଟୋରେଜ୍ ପ୍ରକଳ୍ପ । ଅର୍ଥାତ୍ ଆଦାନୀ ଗ୍ରୁପ୍ ଓଡ଼ିଶାରେ ପରମାଣୁ ଶକ୍ତି ସହିତ ଥର୍ମାଲ୍, ସୋଲାର ଓ ଏନର୍ଜି ଷ୍ଟୋରେଜ୍କୁ ମିଶାଇ ଏକ ବଡ଼ କ୍ଲିନ୍ ଏନର୍ଜି ନେଟୱର୍କ ଗଢ଼ିବାର ପ୍ରସ୍ତାବ ଦେଇଛି।
SMR କାହିଁକି ଚର୍ଚ୍ଚାରେ?
ଓଡ଼ିଶା ସରକାର ଏବେ ସ୍ମଲ୍ ମଡ୍ୟୁଲାର ରିଆକ୍ଟର ବା SMR ନେଇ ମଧ୍ୟ ବିଚାର କରୁଛନ୍ତି। ପାରମ୍ପରିକ ପରମାଣୁ ରିଆକ୍ଟର ସାଧାରଣତଃ ପ୍ରାୟ ୧,୦୦୦ରୁ ୧,୭୦୦ ମେଗାୱାଟ୍ ପର୍ଯ୍ୟନ୍ତ ବିଦ୍ୟୁତ୍ ଉତ୍ପାଦନ କରିପାରେ। ତା’ ତୁଳନାରେ SMRର କ୍ଷମତା ୩୦୦ ମେଗାୱାଟ୍ ପର୍ଯ୍ୟନ୍ତ ହୋଇପାରେ ଏବଂ ଏଗୁଡ଼ିକୁ ପର୍ଯ୍ୟାୟକ୍ରମେ ସ୍ଥାପନ କରାଯାଇପାରେ।
ରାଜ୍ୟ ସରକାରଙ୍କ ଦୀର୍ଘମିଆଦୀ ଲକ୍ଷ୍ୟ ହେଉଛି ୨୦୪୭ ସୁଦ୍ଧା ଓଡ଼ିଶାକୁ ଏକ ପ୍ରମୁଖ ଏନର୍ଜି ହବ୍ରେ ପରିଣତ କରିବା। ଏହି କାରଣରୁ ପରମାଣୁ ଶକ୍ତିର ବିକଳ୍ପକୁ ମଧ୍ୟ ଗୁରୁତ୍ୱ ଦିଆଯାଉଛି।
ତେବେ ପରମାଣୁ ବିଦ୍ୟୁତ୍ ପ୍ରକଳ୍ପ ନେଇ ସରକାର ବେଶ୍ ସତର୍କତାର ସହ ଆଗକୁ ବଢ଼ୁଛନ୍ତି। କାରଣ ଏଭଳି ପ୍ରକଳ୍ପ ପାଇଁ କଠୋର ସୁରକ୍ଷା ମାନଦଣ୍ଡ ଓ ବିଶେଷ ଭୌଗୋଳିକ ଆବଶ୍ୟକତା ପୂରଣ କରିବାକୁ ପଡ଼େ। ଶକ୍ତି ସଚିବ ବିଶାଳ କୁମାର ଦେବଙ୍କ ଅନୁସାରେ, ପ୍ରକଳ୍ପ ପାଇଁ ଯଥେଷ୍ଟ ଜମି ଆବଶ୍ୟକ। ଏହା ସହ ପ୍ଲାଣ୍ଟ ଚାରିପାଖରେ ଆବଶ୍ୟକ ବଫର୍ ଜୋନ୍ ରହିବା ଦରକାର ଏବଂ ନିକଟରେ ଘନ ଜନବସତି ରହିବା ଉଚିତ୍ ନୁହେଁ। କେବଳ ଜମି ମିଳିଗଲେ ହେବନାହିଁ। ପ୍ଲାଣ୍ଟ ପାଇଁ ପ୍ରଚୁର ପରିମାଣର କୁଲିଂ ୱାଟର୍ ଉପଲବ୍ଧ ହେବା ଆବଶ୍ୟକ। ଏହା ସହ ସ୍ଥାନଟି ବନ୍ୟା ବିପଦରୁ ସୁରକ୍ଷିତ ହୋଇଥିବା ଦରକାର ଏବଂ ଭୂକମ୍ପୀୟ ଦୃଷ୍ଟିରୁ ମଧ୍ୟ ନିରାପଦ ହେବା ଆବଶ୍ୟକ।
ଟାଟା ଓ ଆଦାନୀ ଭଳି ଦେଶର ଦୁଇ ବଡ଼ ଶିଳ୍ପ ଗୋଷ୍ଠୀର ପ୍ରସ୍ତାବ ଆସିବା ପରେ ଓଡ଼ିଶାରେ ପରମାଣୁ ଶକ୍ତି ପ୍ରକଳ୍ପକୁ ନେଇ ଚର୍ଚ୍ଚା ଜୋର ଧରିଛି। ତେବେ କେଉଁ କମ୍ପାନୀକୁ ଅନୁମତି ମିଳିବ, କେଉଁ ସ୍ଥାନରେ ପ୍ରକଳ୍ପ ହେବ ଏବଂ ପ୍ରକଳ୍ପ କେବେ ଆରମ୍ଭ ହେବ, ଏନେଇ ଏପର୍ଯ୍ୟନ୍ତ ରାଜ୍ୟ ସରକାର କୌଣସି ଚୂଡ଼ାନ୍ତ ଘୋଷଣା କରିନାହାନ୍ତି। ଯଦି ଏହି ପ୍ରସ୍ତାବଗୁଡ଼ିକ ଆଗକୁ ବଢ଼େ, ତେବେ ୨୦୪୭ ସୁଦ୍ଧା ଓଡ଼ିଶାକୁ ଏକ ବଡ଼ ଏନର୍ଜି ହବ୍ରେ ପରିଣତ କରିବାର ରାଜ୍ୟ ସରକାରଙ୍କ ଲକ୍ଷ୍ୟରେ ଏହା ଏକ ବଡ଼ ପଦକ୍ଷେପ ହୋଇପାରେ।
