Latest Odisha News

BREAKING NEWS

ତାମିଲନାଡୁ ମୁଖ୍ୟମନ୍ତ୍ରୀ ବିଜୟଙ୍କୁ ବଡ଼ ଆଶ୍ୱସ୍ତି: ଛାଡ଼ପତ୍ର ଆବେଦନ ଫେରାଇ ନେଲେ ପତ୍ନୀ ସଙ୍ଗୀତା

ଚେନ୍ନାଇ: ତାମିଲନାଡୁ ମୁଖ୍ୟମନ୍ତ୍ରୀ ତଥା ସାଉଥ୍ ସୁପରଷ୍ଟାର ଥାଲାପତି ସି. ଜୋସେଫ୍ ବିଜୟଙ୍କ ପାରିବାରିକ ଜୀବନରେ ଦେଖାଦେଇଥିବା ଝଡ଼ ଏବେ ଶାନ୍ତ ପଡ଼ିଥିବା ଜଣାପଡିଛି । ଦୀର୍ଘ ଦିନର ପାରିବାରିକ ବିବାଦ ପରେ ବିଜୟଙ୍କ ପତ୍ନୀ ସଙ୍ଗୀତା ସୋର୍ଣ୍ଣାଲିଙ୍ଗମ୍ ନିଜର ଛାଡ଼ପତ୍ର ମାମଲାକୁ ଶେଷରେ ପ୍ରତ୍ୟାହାର କରିନେଇଛନ୍ତି ।

ଶୁକ୍ରବାର ଦିନ ଚେନ୍ନାଇର ଚେଙ୍ଗଲପାଟ୍ଟୁସ୍ଥିତ ଫ୍ୟାମିଲି କୋର୍ଟରେ ଏହି ମାମଲାର ଶୁଣାଣି ଥିଲା । ଶୁଣାଣି ସମୟରେ ସଙ୍ଗୀତା ଭିଡିଓ କନଫରେନ୍ସିଂ ଜରିଆରେ ଅଦାଲତରେ ହାଜର ହୋଇଥିଲେ । ସେ ବିଚାରପତିଙ୍କୁ ଅବଗତ କରାଇଥିଲେ ଯେ ସେ ଆଉ ଏହି ମାମଲାକୁ ଆଗକୁ ବଢ଼ାଇବାକୁ ଚାହୁଁନାହାନ୍ତି ଏବଂ ନିଜ ଆବେଦନକୁ ଫେରାଇ ନେବାକୁ ଚାହୁଁଛନ୍ତି । ସଙ୍ଗୀତାଙ୍କ ଏହି ସହମତି ଭିତ୍ତିରେ କୋର୍ଟ ତାଙ୍କ ଛାଡ଼ପତ୍ର ଆବେଦନକୁ ଖାରଜ କରିଦେଇଛନ୍ତି । ଫଳରେ ମୁଖ୍ୟମନ୍ତ୍ରୀ ବିଜୟଙ୍କୁ ଏକ ବଡ଼ ଆଶ୍ୱସ୍ତି ମିଳିଛି ।

ସୂଚନାଯୋଗ୍ୟ ଯେ, ଚଳିତ ବର୍ଷ ଫେବୃଆରୀ ମାସରେ ଉଭୟଙ୍କ ୨୭ ବର୍ଷର ଦାମ୍ପତ୍ୟ ଜୀବନରେ ଫାଟ ସୃଷ୍ଟି ହୋଇଥିବା ଖବର ସାମ୍ନାକୁ ଆସିଥିଲା। ୧୯୯୯ ମସିହାରେ ବିବାହ ବନ୍ଧନରେ ଆବଦ୍ଧ ହୋଇଥିବା ଏହି ଦମ୍ପତିଙ୍କର ଦୁଇଟି ସନ୍ତାନ ଅଛନ୍ତି । ତେବେ ବିଜୟ ଜଣେ ସହ-ଅଭିନେତ୍ରୀଙ୍କ ସହ ପରକୀୟା ପ୍ରୀତିରେ ଲିପ୍ତ ଥିବା ଏବଂ ତାଙ୍କୁ ମାନସିକ ନିର୍ଯାତନା ଦେଉଥିବା ଭଳି ସଙ୍ଗିନ ଅଭିଯୋଗ ଆଣି ସଙ୍ଗୀତା କୋର୍ଟର ଦ୍ୱାରସ୍ଥ ହୋଇଥିଲେ । ୧୯୫୪ ସ୍ୱତନ୍ତ୍ର ବିବାହ ଆଇନ୍ ଅନୁଯାୟୀ ସେ ଛାଡ଼ପତ୍ର ଦାବି କରିବା ସହ କ୍ଷତିପୂରଣ ମଧ୍ୟ ମାଗିଥିଲେ ।

ଅନ୍ୟପକ୍ଷରେ, ରାଜନୀତିରେ ପାଦ ଥାପିଥିବା ବିଜୟଙ୍କ ପାଇଁ ଏହି ଘଟଣା ସେତେବେଳେ ଏକ ବଡ଼ ଆହ୍ୱାନ ସୃଷ୍ଟି କରିଥିଲା। ନିର୍ବାଚନ ସମୟରେ ବିରୋଧୀମାନେ ଏହାକୁ ଏକ ବଡ଼ ପ୍ରସଙ୍ଗ କରି ତାଙ୍କୁ ଟାର୍ଗେଟ୍ କରିଥିଲେ। ତଥାପି ବିଜୟ ସମସ୍ତ ବାଧାବିଘ୍ନକୁ ଅତିକ୍ରମ କରି ନିଜ ଦଳକୁ ବିଜୟୀ କରାଇ ତାମିଲନାଡୁର ମୁଖ୍ୟମନ୍ତ୍ରୀ ଆସନରେ ବସିବାରେ ସଫଳ ହୋଇଛନ୍ତି ।

Leave A Reply

Your email address will not be published.