ନୂଆଦିଲ୍ଲୀ:ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ଦୁଇଟି ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ ଅଗଷ୍ଟ ୧୫ରୁ ଆରମ୍ଭ ହେବାକୁ ଯାଉଛି । ଶୁଭମନ ଗିଲଙ୍କ ଅଧିନାୟକତ୍ୱରେ ଟିମ୍ ଇଣ୍ଡିଆ ଶ୍ରୀଲଙ୍କା ବିପକ୍ଷରେ ନିଜର ଚମତ୍କାର ରେକର୍ଡ ବଜାୟ ରଖିବା ଲକ୍ଷ୍ୟ ନେଇ ପଡ଼ିଆକୁ ଓହ୍ଲାଇବ । ସିରିଜ୍ ଆରମ୍ଭ ହେବା ପୂର୍ବରୁ ଆସନ୍ତୁ ନଜର ପକାଇବା ଭାରତ ଏବଂ ଶ୍ରୀଲଙ୍କା ଟେଷ୍ଟ ଇତିହାସର ସେହି କ୍ରିକେଟରଙ୍କ ଉପରେ, ଯେଉଁମାନେ ବ୍ୟାଟ୍ ଏବଂ ବଲ୍ରେ ସବୁଠାରୁ ଅଧିକ ପ୍ରଭାବ ଛାଡ଼ିଛନ୍ତି । ଭାରତ-ଶ୍ରୀଲଙ୍କା ଟେଷ୍ଟ ମ୍ୟାଚ୍ରେ ସବୁଠାରୁ ଅଧିକ ୱିକେଟ୍ ନେଇଥିବା ବୋଲରଙ୍କ ତାଲିକାରେ ଶ୍ରୀଲଙ୍କାର ମହାନ ସ୍ପିନର ମୁଥୟା ମୁରଲୀଧରନ ଶୀର୍ଷରେ ଅଛନ୍ତି । ମୁରଲୀଧରନଙ୍କ ବ୍ୟତୀତ ବାକି ୪ ଜଣ ବୋଲର ଭାରତୀୟ ।
ମୁଥୟା ମୁରଲୀଧରନ ଭାରତ ବିପକ୍ଷରେ ଚମତ୍କାର ପ୍ରଦର୍ଶନ କରିଛନ୍ତି । ସେ ଭାରତ ବିପକ୍ଷ ୨୨ଟି ଟେଷ୍ଟ ମ୍ୟାଚରେ ମୋଟ ୧୦୫ଟି ୱିକେଟ୍ ହାସଲ କରିଛନ୍ତି । ଏହି ସମୟ ମଧ୍ୟରେ ସେ ୭ ଥର ଗୋଟିଏ ଇନିଂସରେ ୫ କିମ୍ବା ତା’ଠାରୁ ଅଧିକ ୱିକେଟ୍ ନେଛନ୍ତି। ମହାନ ଲେଗ୍ ସ୍ପିନର ଅନିଲ କୁମ୍ବଲେ ୧୮ଟି ଟେଷ୍ଟ ମ୍ୟାଚରେ ୭୪ଟି ୱିକେଟ୍ ନେଇଛନ୍ତି, ଯେଉଁଥିରେ ୪ ଥର ଗୋଟିଏ ଇନିଂସରେ ୫ଟି ୱିକେଟ୍ ସାମିଲ ଅଛି। ଅଫ୍ ସ୍ପିନର ରବିଚନ୍ଦ୍ରନ ଅଶ୍ୱିନ ଏହି ତାଲିକାର ତୃତୀୟ ସ୍ଥାନରେ ଅଛନ୍ତି । ସେ ଶ୍ରୀଲଙ୍କା ବିପକ୍ଷ ୧୧ଟି ଟେଷ୍ଟ ମ୍ୟାଚରେ ୬୨ଟି ୱିକେଟ୍ ନେଇଛନ୍ତି । ଶ୍ରୀଲଙ୍କା ବିପକ୍ଷରେ ତାଙ୍କର ସର୍ବଶ୍ରେଷ୍ଠ ପ୍ରଦର୍ଶନ ହେଉଛି ୪୬ ରନ୍ ଦେଇ ୬ଟି ୱିକେଟ୍। ପୂର୍ବତନ ଭାରତୀୟ ଅଫ୍ ସ୍ପିନର ହରଭଜନ ସିଂହ ୧୬ଟି ଟେଷ୍ଟ ମ୍ୟାଚରେ ୫୩ଟି ୱିକେଟ୍ ନିଜ ନାମରେ କରିଛନ୍ତି । ସେ ୨ ଥର ଗୋଟିଏ ଇନିଂସରେ ୫ଟି ୱିକେଟ୍ ନେଇଛନ୍ତି । ଭାରତର ଅଲରାଉଣ୍ଡର ତଥା ମହାନ ଅଧିନାୟକ କପିଳ ଦେବ ଶ୍ରୀଲଙ୍କା ବିପକ୍ଷ ୧୪ଟି ଟେଷ୍ଟ ମ୍ୟାଚରେ ୪୫ଟି ୱିକେଟ୍ ଚଟକାଇଛନ୍ତି। ତାଙ୍କର ବୋଲିଂ ହାରାହାରି ୨୬.୫୫ ରହିଛି ।
ବୋଲିଂ ପରି ବ୍ୟାଟିଂରେ ମଧ୍ୟ ଭାରତ-ଶ୍ରୀଲଙ୍କା ମୁକାବିଲାରେ ଅନେକ ମହାନ ଖେଳାଳି ସଫଳତା ପାଇଛନ୍ତି। ଏହି ତାଲିକାରେ ଭାରତର ସଚିନ ତେନ୍ଦୁଲକର ଶୀର୍ଷରେ ଥିବା ବେଳେ ଶ୍ରୀଲଙ୍କାର ମହେଲା ଜୟବର୍ଦ୍ଧନେ ଦ୍ୱିତୀୟ ସ୍ଥାନରେ ଅଛନ୍ତି। ସଚିନ ତେନ୍ଦୁଲକର ଶ୍ରୀଲଙ୍କା ବିପକ୍ଷ ୩୬ଟି ଇନିଂସରେ ୬୦ ହାରାହାରିରେ ସବୁଠାରୁ ଅଧିକ ୧,୯୯୫ ରନ୍ ସଂଗ୍ରହ କରିଛନ୍ତି। ଏଥିରେ ୯ଟି ଶତକ ଏବଂ ୬ଟି ଅର୍ଦ୍ଧଶତକ ସାମିଲ ଅଛି, ଯେଉଁଥିରେ ଗୋଟିଏ ଦ୍ୱିଶତକ ମଧ୍ୟ ରହିଛି ।
ଶ୍ରୀଲଙ୍କା ପକ୍ଷରୁ ଅଧିକ ଟେଷ୍ଟ ରନ୍ କରିଥିବା ବ୍ୟାଟର ହେଉଛନ୍ତି ମହେଲା ଜୟବର୍ଦ୍ଧନେ । ସେ ୨୮ଟି ଇନିଂସରେ ୫୫ ହାରାହାରିରେ ୧,୮୨୨ ରନ୍ କରିଛନ୍ତି। ସେ ଭାରତ ବିପକ୍ଷରେ ୬ଟି ଶତକ ଓ ୮ଟି ଅର୍ଦ୍ଧଶତକ ହାସଲ କରିଛନ୍ତି ଏବଂ ତାଙ୍କର ସର୍ବୋଚ୍ଚ ସ୍କୋର ୨୭୫ ରନ୍। ଦି ୱାଲ୍ ଭାବେ ପରିଚିତ ରାହୁଲ ଦ୍ରାବିଡ଼ ୩୨ଟି ଇନିଂସରେ ୪୬.୪୭ ହାରାହାରିରେ ୧,୫୦୮ ରନ୍ କରି ତୃତୀୟ ସ୍ଥାନରେ ଅଛନ୍ତି । ତାଙ୍କ ନାମରେ ୩ଟି ଶତକ ଏବଂ ୯ଟି ଅର୍ଦ୍ଧଶତକ ରହିଛି । ଶ୍ରୀଲଙ୍କାର ମହାନ ୱିକେଟକିପର-ବ୍ୟାଟର କୁମାର ସଙ୍ଗାକାରା ଭାରତ ବିପକ୍ଷ ୨୮ଟି ଇନିଂସରେ ୫୧ ହାରାହାରିରେ ୧,୩୫୨ ରନ୍ କରିଛନ୍ତି । ସେ ଭାରତ ବିପକ୍ଷରେ ୫ଟି ଶତକ ଓ ୨ଟି ଅର୍ଦ୍ଧଶତକ ମାରିଛନ୍ତି ଏବଂ ତାଙ୍କର ସର୍ବୋଚ୍ଚ ସ୍କୋର ୨୧୯ ରନ୍ ।
