Parikrama: କାହିଁକି ସବୁବେଳେ ଘଣ୍ଟାକଣ୍ଟା ଦିଗରେ କରାଯାଏ ପରିକ୍ରମା? ଜାଣନ୍ତୁ ଏହାର ଆଧ୍ୟାତ୍ମିକ ଅର୍ଥ ଓ ଜପ କରିବାର ମନ୍ତ୍ର
ଭୁବନେଶ୍ବର: ହିନ୍ଦୁ ଧର୍ମରେ ପୂଜାପାଠ ସମୟରେ ଦେବଦେବୀଙ୍କ ଚାରିପାଖରେ ପରିକ୍ରମା ବା ପ୍ରଦକ୍ଷିଣା କରିବା ଏକ ପ୍ରଚଳିତ ପରମ୍ପରା। କିନ୍ତୁ ଏହା କେବଳ ଦେବୀଦେବତାଙ୍କ ଚାରିପାଖରେ ବୁଲିବା ନୁହେଁ। ଏହା ପଛରେ ଏକ ଗଭୀର ଆଧ୍ୟାତ୍ମିକ ଭାବନା ରହିଛି। ପରିକ୍ରମା କରିବା ସମୟରେ କାହିଁକି ସବୁବେଳେ ଘଣ୍ଟାକଣ୍ଟା ଦିଗରେ ଚାଲିବାର ପରମ୍ପରା ରହିଛି ଏବଂ ଏହାର ଅର୍ଥ କ’ଣ, ସେନେଇ ଆଧ୍ୟାତ୍ମିକ ଗାଇଡ୍ ବୈଷ୍ଣବୀ ଜୟରାମ ନିଜ ‘Sanatan Simplified for All’ ସିରିଜ୍ରେ ବ୍ୟାଖ୍ୟା କରିଛନ୍ତି।
‘ପରିକ୍ରମା’ ଶବ୍ଦଟି ସଂସ୍କୃତର ‘ପରି’ ଏବଂ ‘କ୍ରମ’ ଶବ୍ଦରୁ ଆସିଛି। ‘ପରି’ର ଅର୍ଥ ଚାରିପାଖରେ ଏବଂ ‘କ୍ରମ’ର ଅର୍ଥ ହେଉଛି ଚାଲିବା। ବୈଷ୍ଣବୀ ଜୟରାମଙ୍କ ବ୍ୟାଖ୍ୟା ଅନୁସାରେ, ପରିକ୍ରମା ହେଉଛି ନିଜ ଜୀବନର କେନ୍ଦ୍ରରେ ଭଗବାନଙ୍କୁ ସ୍ଥାନ ଦେବାର ଏକ ପ୍ରତୀକାତ୍ମକ ପ୍ରକ୍ରିୟା। ଏହା ଭକ୍ତି, ସମର୍ପଣ ଓ ଆତ୍ମସଚେତନତାର ପ୍ରତୀକ। ଭକ୍ତ ନିଜ ଜୀବନର ଦାୟିତ୍ୱ ଭଗବାନଙ୍କ ନିକଟରେ ସମର୍ପଣ କରୁଛି, ଏହି ଭାବନା ସହ ପରିକ୍ରମା କରାଯାଏ।
ପ୍ରକୃତିରେ ମଧ୍ୟ ଅନେକ ଜିନିଷ ଏକ କେନ୍ଦ୍ରକୁ ଘେରି ରହି ଗତି କରେ। ଯେପରି ଇଲେକ୍ଟ୍ରନ୍ ନ୍ୟୁକ୍ଲିୟସ୍କୁ ଘେରି ଗତି କରେ ଏବଂ ପୃଥିବୀ ସୂର୍ଯ୍ୟଙ୍କୁ ପରିକ୍ରମା କରେ। ଏହାକୁ ଆଧ୍ୟାତ୍ମିକ ଦୃଷ୍ଟିରୁ ନିଜ ଜୀବନର କେନ୍ଦ୍ରରେ ଭଗବାନଙ୍କୁ ରଖିବାର ପ୍ରତୀକ ଭାବେ ବୁଝାଯାଏ। ପରମ୍ପରା ଅନୁସାରେ ପ୍ରଦକ୍ଷିଣା ସବୁବେଳେ ଘଣ୍ଟାକଣ୍ଟା ଦିଗରେ କରାଯାଏ। ଏହାର ଅର୍ଥ ହେଉଛି ପରିକ୍ରମା କରୁଥିବା ସମୟରେ ଭଗବାନ ସର୍ବଦା ଭକ୍ତଙ୍କ ଡାହାଣ ପଟେ ରହନ୍ତି। ଡାହାଣ ପାର୍ଶ୍ୱକୁ ଧର୍ମ ଓ ଶୁଭର ପ୍ରତୀକ ଭାବେ ମଧ୍ୟ ଦେଖାଯାଏ।
ପରିକ୍ରମା ସମୟରେ ତରବରିଆ ନହୋଇ ଧୀରେ ଧୀରେ ଚାଲିବା, ଭଗବାନଙ୍କ ନାମ ସ୍ମରଣ କରିବା ଏବଂ ପ୍ରତ୍ୟେକ ପଦକ୍ଷେପକୁ ଭକ୍ତିର ଅର୍ପଣ ଭାବେ ଗ୍ରହଣ କରିବାକୁ ବୈଷ୍ଣବୀ ଜୟରାମ ପରାମର୍ଶ ଦେଇଛନ୍ତି। ଖାଲି ସେତିକି ନୁହେଁ, କିଛି ମନ୍ତ୍ର ମଧ୍ୟ ସେ ପରାମର୍ଶ ଦେଇଛନ୍ତି । ପ୍ରଦକ୍ଷିଣା କରିବା ସମୟରେ ଏହି ମନ୍ତ୍ର ଜପ କରାଯାଇପାରେ, “ୟାନି କାନି ଚ ପାପାନି, ଜନ୍ମାନ୍ତରକୃତାନି ଚ। ତାନି ତାନି ବିନଶ୍ୟନ୍ତି, ପ୍ରଦକ୍ଷିଣେ ପଦେ ପଦେ॥” ଏହି ପ୍ରାର୍ଥନାର ଭାବାର୍ଥ ହେଉଛି, ବର୍ତ୍ତମାନ ଓ ପୂର୍ବଜନ୍ମରେ କରାଯାଇଥିବା ପାପ ପ୍ରଦକ୍ଷିଣାର ପ୍ରତ୍ୟେକ ପଦକ୍ଷେପ ସହ ଦୂର ହେଉ।
ପରମ୍ପରା ଅନୁସାରେ ବିଭିନ୍ନ ଦେବଦେବୀଙ୍କ ପାଇଁ ପରିକ୍ରମା ସଂଖ୍ୟା ମଧ୍ୟ ଭିନ୍ନ ରହିଛି । ଶ୍ରୀଗଣେଶ: ୧ ଥର, ସୂର୍ଯ୍ୟଦେବ: ୨ ଥର, ଭଗବାନ ଶିବ: ୩ ଥର, ଭଗବାନ ବିଷ୍ଣୁ ଓ ମା’ ଦୁର୍ଗା: ୪ ଥର, ଅଶ୍ୱତ୍ଥ ବା ଓସ୍ତ ଗଛ: ୭ ଥର ପରିକ୍ରମା କରିଲେ ଶୁଭ ମଣାଯାଏ । ସ୍କନ୍ଦ ପୁରାଣର ଉଦାହରଣ ଦେଇ ଜୟରାମ ପ୍ରଦକ୍ଷିଣାର ପଦକ୍ଷେପ ସହ ଜଡ଼ିତ ଆଧ୍ୟାତ୍ମିକ ମହତ୍ତ୍ୱ ମଧ୍ୟ ବର୍ଣ୍ଣନା କରିଛନ୍ତି। ତାଙ୍କ ଅନୁସାରେ, ପ୍ରଥମ ପାଦକ୍ଷେପ ମନକୁ, ଦ୍ୱିତୀୟଟି ବାଣୀକୁ ଏବଂ ତୃତୀୟଟି କର୍ମକୁ ପବିତ୍ର କରିବାର ପ୍ରତୀକ ଭାବେ ମନେ କରାଯାଏ।
ତେବେ ପରିକ୍ରମା କେବଳ ଏକ ଧାର୍ମିକ ପରମ୍ପରା ନୁହେଁ, ଏହା ଭକ୍ତଙ୍କୁ ନିଜ ଜୀବନର କେନ୍ଦ୍ରରେ ଭଗବାନଙ୍କୁ ରଖିବା, ସମର୍ପଣ ଓ ଭକ୍ତିର ଭାବନା ସହ ଯୋଡ଼ିଥାଏ। ଶ୍ରାବଣ ମାସରେ ବିଶେଷ କରି ମହାଦେବଙ୍କ ପୂଜା ଓ ପ୍ରଦକ୍ଷିଣା କରୁଥିବା ଭକ୍ତଙ୍କ ପାଇଁ ଏହି ପରମ୍ପରାର ଆଧ୍ୟାତ୍ମିକ ଅର୍ଥ ଆହୁରି ଗୁରୁତ୍ୱ ବହନ କରେ।
