ନୂଆଦିଲ୍ଲୀ: ଶ୍ରୀଲଙ୍କା ଗସ୍ତ ପୂର୍ବରୁ ଭାରତୀୟ କ୍ରିକେଟ ଦଳର ଆହତ ସମସ୍ୟା ଆହୁରି ଗମ୍ଭୀର ହୋଇପଡ଼ିଛି । ଅଗଷ୍ଟ ୧୫ରୁ ଆରମ୍ଭ ହେବାକୁ ଥିବା ୨ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ ପୂର୍ବରୁ ଦଳର ଯୁବ ବ୍ୟାଟର ସାଈ ସୁଦର୍ଶନ ଆହତ କାରଣରୁ ସିରିଜ୍ରୁ ବାଦ୍ ପଡ଼ିଛନ୍ତି । ଇଣ୍ଡିଆ ଏ ଶ୍ରୀଲଙ୍କା ଗସ୍ତ ସମୟରେ ଦ୍ୱିତୀୟ ମ୍ୟାଚ୍ରେ ସାଈ ସୁଦର୍ଶନଙ୍କ ଗୋଡ଼ ଆଙ୍ଗୁଠିରେ ଆଘାତ ଲାଗିଥିଲା । ବାଙ୍ଗାଲୋରସ୍ଥିତ ସେଣ୍ଟର ଅଫ୍ ଏକ୍ସଲେନ୍ସରେ ସେ ସମ୍ପୂର୍ଣ୍ଣ ସୁସ୍ଥ ହୋଇ ନପାରିବାରୁ ତାଙ୍କୁ ଟେଷ୍ଟ ସିରିଜ୍ରୁ ବାଦ୍ ଦିଆଯାଇଛି । ଆଘାତ ଯୋଗୁଁ ତାରକା ଦ୍ରୁତ ବୋଲର ଜସପ୍ରୀତ ବୁମରା ମଧ୍ୟ ଏହି ସିରିଜ୍ରେ ଖେଳିପାରିବେ ନାହିଁ ।
ପ୍ରାକ୍ଟିସ୍ ସେସନ୍ ସମୟରେ ଅଧିନାୟକ ଶୁବମନ ଗିଲ୍ଙ୍କ ଡାହାଣ ହାତ ଆଙ୍ଗୁଠିରେ ସାମାନ୍ୟ ଆଘାତ ଲାଗିଛି । ସାବଧାନତା ଦୃଷ୍ଟିରୁ ସେ ୱାର୍ମ-ଅପ୍ ମ୍ୟାଚ୍ରୁ ଦୂରେଇ ରହିଛନ୍ତି ଏବଂ ତାଙ୍କ ସ୍ଥାନରେ କେ.ଏଲ୍. ରାହୁଲ ୱାର୍ମ-ଅପ୍ ମ୍ୟାଚ୍ରେ ନେତୃତ୍ୱ ନେଉଛନ୍ତି । ଅନ୍ୟପଟେ, ୱାର୍ମ-ଅପ୍ ମ୍ୟାଚ୍ରେ ଦେବଦତ୍ତ ପାଡିକଲ ଶତକ ହାସଲ କରିଛନ୍ତି । ଖେଳାଳିଙ୍କ ଏହି ଆହତ ସମସ୍ୟା ଶ୍ରୀଲଙ୍କା ବିପକ୍ଷ ଟେଷ୍ଟ ସିରିଜ୍ ପୂର୍ବରୁ ଭାରତୀୟ ଟିମ୍ ମ୍ୟାନେଜମେଣ୍ଟ ପାଇଁ ଚିନ୍ତାର କାରଣ ପାଲଟିଛି ।
