Latest Odisha News

BREAKING NEWS

ଶିବ ମନ୍ଦିରରେ ଶ୍ରଦ୍ଧାଳୁଙ୍କ ଭିଡ଼: ଶ୍ରାବଣର ଦ୍ୱିତୀୟ ସୋମବାର ସହ ସୋମ ପ୍ରଦୋଷ ବ୍ରତର ବିରଳ ସଂଯୋଗ

ଭୁବନେଶ୍ୱର: ଆଜି ହେଉଛି ପବିତ୍ର ଶ୍ରାବଣ ମାସର ଦ୍ୱିତୀୟ ସୋମବାର । ଏହି ପବିତ୍ର ଦିନରେ ଦେଶ ତଥା ରାଜ୍ୟର ବିଭିନ୍ନ ଶିବ ମନ୍ଦିରରେ ସକାଳୁ ସକାଳୁ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ଼ ଦେଖିବାକୁ ମିଳିଛି। ଚଳିତ ବର୍ଷ ଖାସ୍ କଥା ହେଉଛି, ଦୀର୍ଘ ୬ ବର୍ଷ ପରେ ଶ୍ରାବଣ ମାସର ଦ୍ୱିତୀୟ ସୋମବାର ଏବଂ ସୋମ ପ୍ରଦୋଷ ବ୍ରତ ଗୋଟିଏ ଦିନରେ ପଡ଼ୁଥିବାରୁ ଏକ ଅତ୍ୟନ୍ତ ବିରଳ ଏବଂ ଶୁଭ ସଂଯୋଗ ସୃଷ୍ଟି ହୋଇଛି ।

ଏହା ସହିତ ଆସନ୍ତାକାଲି ଅର୍ଥାତ୍ ଅଗଷ୍ଟ ୧୧ ତାରିଖରେ ଶ୍ରାବଣ ମାସର ମୁଖ୍ୟ ଶିବରାତ୍ରି ମଧ୍ୟ ପାଳନ କରାଯିବ। ଶାସ୍ତ୍ର ଅନୁଯାୟୀ, ଏଭଳି ଦୁର୍ଲଭ ସଂଯୋଗରେ ଭଗବାନ ଭୋଳାନାଥଙ୍କର ସ୍ୱତନ୍ତ୍ର ପୂଜାର୍ଚ୍ଚନା କଲେ ଭକ୍ତଙ୍କର ସବୁ ମନୋସ୍କାମନା ପୂରଣ ହୋଇଥାଏ ବୋଲି ବିଶ୍ୱାସ ରହିଛି।

ପୌରାଣିକ ମାନ୍ୟତା ଅନୁଯାୟୀ, ସମୁଦ୍ର ମନ୍ଥନ ସମୟରେ ବାହାରିଥିବା ହଳାହଳ ବିଷକୁ ଭଗବାନ ଶିବ ନିଜ କଣ୍ଠରେ ଧାରଣ କରିଥିଲେ। ସେହି ବିଷର ଜ୍ୱାଳାକୁ ଶାନ୍ତ କରିବା ପାଇଁ ଦେବତା ଓ ଭକ୍ତମାନେ ତାଙ୍କ ଉପରେ ଜଳାଭିଷେକ କରିଥିଲେ। ସେହି ଦିନଠାରୁ ଶ୍ରାବଣ ମାସରେ ମହାଦେବଙ୍କ ଜଳାଭିଷେକ କରିବାର ପରମ୍ପରା ଚାଲିଆସୁଛି ।

ଶ୍ରାବଣ ସୋମବାର ଦିନ ଖାଲି ଜଳ ଅର୍ପଣ କରିବା ମଧ୍ୟ ଅତ୍ୟନ୍ତ ଶୁଭ ମାନାଯାଏ, କିନ୍ତୁ କିଛି ବିଶେଷ ସାମଗ୍ରୀ ସହିତ ଜଳାଭିଷେକ କଲେ ମହାଦେବ ଶୀଘ୍ର ପ୍ରସନ୍ନ ହୋଇଥାନ୍ତି । ଗଙ୍ଗାଜଳକୁ ଅତ୍ୟନ୍ତ ପବିତ୍ର ବୋଲି ଧରାଯାଏ। ଶିବଲିଙ୍ଗରେ ଗଙ୍ଗାଜଳ ଅର୍ପଣ କଲେ ମନ ଶୁଦ୍ଧ ହେବା ସହ ନକାରାତ୍ମକ ଶକ୍ତି ଦୂର ହୋଇଥାଏ ।

କ୍ଷୀରରେ ଅଭିଷେକ କରିବା ଦ୍ୱାରା ଘରେ ସୁଖ-ଶାନ୍ତି ଓ ସମୃଦ୍ଧି ବୃଦ୍ଧି ପାଇଥାଏ ବୋଲି ବିଶ୍ୱାସ ରହିଛି । ଦହି ଅର୍ପଣ କଲେ ଜୀବନରେ ସ୍ଥିରତା ଆସିଥାଏ। ସେହିପରି ମହୁକୁ ମଧୁରତାର ପ୍ରତୀକ ମାନାଯାଉଥିବାରୁ, ଏହାକୁ ଅର୍ପଣ କଲେ ସମ୍ପର୍କରେ ମଧୁରତା ଆସିଥାଏ ।

ଭଗବାନ ଶିବଙ୍କ ପୂଜା ବେଲପତ୍ର ବିନା ଅସମ୍ପୂର୍ଣ୍ଣ ମାନାଯାଏ । ତିନୋଟି ପତ୍ର ଥିବା ସଫା ବେଲପତ୍ର ଚଢ଼ାଇବା ଅତ୍ୟନ୍ତ ଶୁଭ ହୋଇଥାଏ। ଅନେକ ସ୍ଥାନରେ ମନୋସ୍କାମନା ପୂରଣ ପାଇଁ ଆଖୁ ରସରେ ମଧ୍ୟ ଅଭିଷେକ କରାଯାଏ ।

ଜଳାଭିଷେକ ସମୟରେ ‘ଓଁ ନମଃ ଶିବାୟ’ ମନ୍ତ୍ର ଜପ କରିବା ଦ୍ୱାରା ମହାଦେବଙ୍କ ଅପାର କୃପା ଲାଭ ହୋଇଥାଏ। ଶ୍ରଦ୍ଧାଳୁମାନେ ନିଜର ଶ୍ରଦ୍ଧା ଏବଂ ଭକ୍ତି ସହିତ ମହାଦେବଙ୍କୁ ଧୂତୁରା, ଶମୀ ପତ୍ର ଏବଂ ଧଳା ଫୁଲ ମଧ୍ୟ ଅର୍ପଣ କରିପାରିବେ।

Leave A Reply

Your email address will not be published.