Latest Odisha News

BREAKING NEWS

ଶ୍ରୀକୃଷ୍ଣଙ୍କ ଆଦେଶରେ ଅର୍ଜୁନ ସ୍ଥାପନ କରିଥିଲେ ଶିବଲିଙ୍ଗ! ଜାଣନ୍ତୁ ୧୦ମ ଶତାବ୍ଦୀର କେଦାରେଶ୍ୱର ଧାମର ରହସ୍ୟ

ଝାନ୍ସି: ଉତ୍ତରପ୍ରଦେଶର ବୁନ୍ଦେଲଖଣ୍ଡ ଅଞ୍ଚଳ କେବଳ ଏହାର ବୀରତ୍ୱ ନୁହେଁ, ବରଂ ନିଜ ମଧ୍ୟରେ ଅନେକ ଐତିହାସିକ, ଆଧ୍ୟାତ୍ମିକ ତଥା ରହସ୍ୟମୟ କାହାଣୀ ସାଇତି ରଖିଛି। ଏଭଳି ଏକ ଅଦ୍ଭୁତ ପୀଠ ହେଉଛି ଝାନ୍ସି ଜିଲ୍ଲାର ମାଉରାନିପୁର ନିକଟସ୍ଥ ପ୍ରାଚୀନ କେଦାରେଶ୍ୱର ମନ୍ଦିର । ଶ୍ରାବଣ ମାସ ଚାଲିଥିବାରୁ ଏବେ ଏହି ମନ୍ଦିରରେ ଦୂରଦୂରାନ୍ତରୁ ଆସୁଥିବା କାଉଡ଼ିଆ ଏବଂ ଶିବ ଭକ୍ତଙ୍କର ପ୍ରବଳ ଭିଡ଼ ଦେଖିବାକୁ ମିଳୁଛି । ପାହାଡ଼ ଉପରେ ଅବସ୍ଥିତ ଏହି ଶିବ ମନ୍ଦିରଟି ଉଭୟ ଇତିହାସ ଏବଂ ପୌରାଣିକ କିମ୍ବଦନ୍ତୀର ଏକ ଅପୂର୍ବ ସଙ୍ଗମ ।

ଐତିହାସିକ ଦୃଷ୍ଟିକୋଣରୁ ଦେଖିଲେ, ଏହି ମନ୍ଦିରର ନିର୍ମାଣ ଦଶମ ଶତାବ୍ଦୀରେ ପ୍ରତାପୀ ଚନ୍ଦେଲା ରାଜାମାନଙ୍କ ଦ୍ୱାରା କରାଯାଇଥିଲା । ମନ୍ଦିରର ପଥର କାନ୍ଥ ଓ କବାଟରେ ଥିବା ସୂକ୍ଷ୍ମ କାରୁକାର୍ଯ୍ୟ ଏବେ ମଧ୍ୟ ପ୍ରାଚୀନ ସ୍ଥାପତ୍ୟ କଳାର ଉତ୍କର୍ଷତା ବଖାଣୁଛି। ମନ୍ଦିରର ଗର୍ଭଗୃହରେ ଏକ ଅତି ବିରଳ ଚନ୍ଦେଲା ଯୁଗର ଶିବଲିଙ୍ଗ ବିଦ୍ୟମାନ, ଯାହା ଏହି ପୀଠର ମହତ୍ତ୍ୱକୁ ଆହୁରି ବଢ଼ାଇ ଦେଇଥାଏ।

କିନ୍ତୁ ଏହି ମନ୍ଦିରର ସବୁଠାରୁ ରୋଚକ ଦିଗ ହେଉଛି ଏହା ସହ ଜଡ଼ିତ ପୌରାଣିକ ମାନ୍ୟତା ଏବଂ ରହସ୍ୟ। ସ୍ଥାନୀୟ ଲୋକକଥା ଅନୁଯାୟୀ, ଦ୍ୱାପର ଯୁଗରେ ସ୍ୱୟଂ ଭଗବାନ ଶ୍ରୀକୃଷ୍ଣଙ୍କ ଆଦେଶରେ ପାଣ୍ଡବ ପୁତ୍ର ଅର୍ଜୁନ ଏହି ପବିତ୍ର ସ୍ଥଳରେ ନିଜ ହାତରେ ଶିବଲିଙ୍ଗ ସ୍ଥାପନ କରିଥିଲେ। ସେବେଠାରୁ ଏହା ଏକ ପ୍ରମୁଖ ଆସ୍ଥା କେନ୍ଦ୍ର ପାଲଟିଛି।

ଏହା ବ୍ୟତୀତ ମନ୍ଦିରକୁ ନେଇ ଆଉ ଏକ ଆଶ୍ଚର୍ଯ୍ୟଜନକ ବିଶ୍ୱାସ ମଧ୍ୟ ରହିଛି। ସ୍ଥାନୀୟ ଲୋକଙ୍କ କହିବା କଥା ଯେ, ପ୍ରତିଦିନ ସକାଳେ ପୂଜକ ଆସି ମନ୍ଦିର କବାଟ ଖୋଲିବା ବେଳକୁ ଏପରି ମନେହୁଏ ଯେମିତି କୌଣସି ଅଦୃଶ୍ୟ ଶକ୍ତି ଆଗରୁ ହିଁ ମହାଦେବଙ୍କ ପୂଜା ସାରି ଦେଇଛି।

ଏହି ରହସ୍ୟମୟ ମାନ୍ୟତା ଭକ୍ତମାନଙ୍କ ଭିତରେ ଭଗବାନ ଶିବଙ୍କ ପ୍ରତି ଥିବା ଭକ୍ତିଭାବକୁ ଦ୍ୱିଗୁଣିତ କରିଥାଏ।

ଭକ୍ତଙ୍କ ସମାଗମ ଏବଂ ପୀଠର ଗୁରୁତ୍ୱକୁ ଦୃଷ୍ଟିରେ ରଖି ଉତ୍ତରପ୍ରଦେଶର ଯୋଗୀ ସରକାର ପର୍ଯ୍ୟଟନ ବିଭାଗ ଜରିଆରେ ଏଠାରେ ବିକାଶମୂଳକ କାର୍ଯ୍ୟମାନ ହାତକୁ ନେଇଛନ୍ତି। ଯାତାୟାତ ପାଇଁ ସୁବିଧାଜନକ ରାସ୍ତା, ପିଇବା ପାଣି, ଶେଡ୍ ଏବଂ ବିଶ୍ରାମ ନେବା ପାଇଁ ବ୍ୟବସ୍ଥା କରାଯାଇଛି ଯାହାଫଳରେ ଶ୍ରଦ୍ଧାଳୁମାନେ ସହଜରେ ଦର୍ଶନ କରିପାରୁଛନ୍ତି।

Leave A Reply

Your email address will not be published.