ମୁମ୍ବାଇ: ଆଜିକାଲି ହେପାଟାଇଟିସ୍ ‘ବି’ (B) ଏବଂ ‘ସି’ (C) ମାନବ ଶରୀର ପାଇଁ ‘ସାଇଲେଣ୍ଟ କିଲର’ ବା ନୀରବ ଘାତକ ପାଲଟିଛି। ସାଧାରଣତଃ ଲିଭରର କୌଣସି ଗମ୍ଭୀର ରୋଗ ହେଲେ ଜଣ୍ଡିସ୍ କିମ୍ବା ପ୍ରବଳ ଯନ୍ତ୍ରଣା ଭଳି ଲକ୍ଷଣ ଦେଖାଯିବ ବୋଲି ଲୋକେ ଭାବିଥାନ୍ତି । କିନ୍ତୁ ହେପାଟାଇଟିସ୍ କ୍ଷେତ୍ରରେ ଏହା ସମ୍ପୂର୍ଣ୍ଣ ଓଲଟା। ବିନା କୌଣସି ପ୍ରାଥମିକ ଲକ୍ଷଣରେ ଏହି ଭୂତାଣୁ ବର୍ଷ ବର୍ଷ ଧରି ଆମ ଲିଭରକୁ ନଷ୍ଟ କରିଦେଇଥାଏ ।
ମୁମ୍ବାଇ ସ୍ଥିତ ଫୋର୍ଟିସ୍ ହସ୍ପିଟାଲର ଲିଭର ଟ୍ରାନ୍ସପ୍ଲାଣ୍ଟ ସର୍ଜରୀ ବିଭାଗର ବରିଷ୍ଠ ପରାମର୍ଶଦାତା ଡା. ବିକ୍ରମ ରାଉତଙ୍କ କହିବା ଅନୁଯାୟୀ, ଆମ ଲିଭର ମାତ୍ର ୩୦ ପ୍ରତିଶତ କାର୍ଯ୍ୟକ୍ଷମ ଥିଲେ ବି ଶରୀର ସ୍ୱାଭାବିକ ଭାବେ କାମ କରିଥାଏ। ତେଣୁ ଲିଭର ଖରାପ ହେଉଥିବା ବେଳେ ପ୍ରାଥମିକ ସ୍ତରରେ ଜଣାପଡ଼େନାହିଁ। ଭାରତରେ ପ୍ରାୟ ୩୦ କୋଟି ଲୋକ ହେପାଟାଇଟିସ୍ ‘ବି’ କିମ୍ବା ‘ସି’ରେ ଆକ୍ରାନ୍ତ ଥିଲେ ମଧ୍ୟ ସେମାନେ ଏଥିପ୍ରତି ସମ୍ପୂର୍ଣ୍ଣ ଅଜ୍ଞ ଅଛନ୍ତି। ଯେତେବେଳେ ଲିଭର ସିରୋସିସ୍ ବା ଲିଭର କ୍ୟାନ୍ସର ଭଳି ସାଂଘାତିକ ସ୍ଥିତି ଉପୁଜେ, ସେତେବେଳେ ଯାଇ ରୋଗ ଚିହ୍ନଟ ହୋଇଥାଏ। ପ୍ରାଥମିକ ଅବସ୍ଥାରେ ଦେଖାଦେଉଥିବା ସାମାନ୍ୟ ଥକ୍କାପଣ, ଭୋକ ନଲାଗିବା କିମ୍ବା ଦେହବିନ୍ଧାକୁ ଲୋକେ କେବଳ ଦୈନନ୍ଦିନ ଷ୍ଟ୍ରେସ୍ ଭାବି ଅଣଦେଖା କରିଦିଅନ୍ତି ।
ଅଧିକାଂଶ ଲୋକ ଭାବନ୍ତି ଯେ କେବଳ ଅତ୍ୟଧିକ ମଦ୍ୟପାନ କିମ୍ବା ଦୂଷିତ ଖାଦ୍ୟ ଖାଇଲେ ହେପାଟାଇଟିସ୍ ହୁଏ, ଯାହାକି ଏକ ଭୁଲ୍ ଧାରଣା। ପ୍ରକୃତରେ ହେପାଟାଇଟିସ୍-ବି ସଂକ୍ରମିତ ରକ୍ତ, ଅସୁରକ୍ଷିତ ଯୌନ ସମ୍ପର୍କ କିମ୍ବା ସଂକ୍ରମିତ ମା’ଠାରୁ ଶିଶୁକୁ ବ୍ୟାପିଥାଏ। ସେହିପରି ହେପାଟାଇଟିସ୍-ସି ସଂକ୍ରମିତ ଛୁଞ୍ଚି, ଅସୁରକ୍ଷିତ ଟାଟୁ କିମ୍ବା ସଂକ୍ରମିତ ଯନ୍ତ୍ରପାତି ବ୍ୟବହାର ଦ୍ୱାରା ବ୍ୟାପିଥାଏ ।
ତେବେ ଆଶ୍ୱାସନାର କଥା ହେଉଛି, ଏକ ସାଧାରଣ ରକ୍ତ ପରୀକ୍ଷା ଦ୍ୱାରା ଏହି ରୋଗକୁ ସହଜରେ ଚିହ୍ନଟ କରାଯାଇପାରିବ । ହେପାଟାଇଟିସ୍ ବି’କୁ ଆଧୁନିକ ଔଷଧ ସାହାଯ୍ୟରେ ନିୟନ୍ତ୍ରଣ କରାଯାଇପାରୁଥିବା ବେଳେ, ହେପାଟାଇଟିସ୍ ସି’କୁ ଏବେ ସମ୍ପୂର୍ଣ୍ଣ ରୂପେ ଭଲ କରାଯାଇପାରୁଛି । ନବଜାତ ଶିଶୁଙ୍କୁ ହେପାଟାଇଟିସ୍ ବି’ ଟିକା ଦେବା ନିହାତି ଜରୁରୀ । ତେଣୁ ବିଶେଷଜ୍ଞମାନେ ପରାମର୍ଶ ଦେଇଛନ୍ତି ଯେ କୌଣସି ଲକ୍ଷଣକୁ ଅପେକ୍ଷା ନକରି ସମସ୍ତେ ନିଜର ଲିଭର ସ୍କ୍ରିନିଂ କରାଇନେବା ଉଚିତ୍, କାରଣ ଆଜିର ଗୋଟିଏ ଛୋଟ ରକ୍ତ ପରୀକ୍ଷା ଆସନ୍ତାକାଲି ଆପଣଙ୍କ ଜୀବନ ବଞ୍ଚାଇପାରିବ।
