ନୂଆଦିଲ୍ଲୀ: ଇରାନର ସର୍ବୋଚ୍ଚ ନେତା ମୋଜତାବା ଖାମେନିଙ୍କ ସ୍ୱାସ୍ଥ୍ୟାବସ୍ଥା ସମ୍ପର୍କରେ ଇସ୍ରାଏଲୀ ଗଣମାଧ୍ୟମରେ ପ୍ରସାରିତ ଗୁଜବ ମଧ୍ୟରେ ତେହେରାନ ଏକ ଭିଡିଓ ଜାରି କରିଛି।
ଇରାନର ଅର୍ଦ୍ଧ-ସରକାରୀ ସମାଚାର ଏଜେନ୍ସି ମେହର ନ୍ୟୁଜ୍ ଉକ୍ତ ଭିଡିଓଟିକୁ ଜାରି କରିଛି। ଭିଡିଓ ରେକର୍ଡିଂର ତାରିଖ ଏବଂ ସମୟ ସ୍ପଷ୍ଟ କରାଯାଇନାହିଁ।
ଗତ କିଛି ଦିନ ଧରି ଇସ୍ରାଏଲୀ ଗଣମାଧ୍ୟମରେ ମୋଜତାବା ଖାମେନିଙ୍କ ସ୍ୱାସ୍ଥ୍ୟାବସ୍ଥା ସମ୍ପର୍କରେ ଗମ୍ଭୀର ଦାବି କରାଯାଇଛି। କିଛି ରିପୋର୍ଟରେ ଦାବି କରାଯାଇଛି ଯେ ମୋଜତାବା ଖାମେନି ଗୁରୁତର ଅବସ୍ଥାରେ ଥିଲେ ଏବଂ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଶୁକ୍ରବାର ଦିନ ଇସ୍ରାଏଲୀ ଚ୍ୟାନେଲ 14, ପ୍ରକାଶ କରିଥିଲା ଯେ ମୋଜତାବା ଖାମେନିଙ୍କ ଅବସ୍ଥା “ଅତ୍ୟନ୍ତ ସଙ୍କଟଜନକ”। ପୂର୍ବରୁ, ଦି ଜେରୁସାଲେମ ପୋଷ୍ଟ, ଇରାନୱାୟାର ଏବଂ ଇରାନ ରାଷ୍ଟ୍ରପତି ମାସୁଦ ପେଜେଶକିୟାନଙ୍କ ପ୍ରଶାସନର ବିଶ୍ଵସ୍ଥ ସୂତ୍ରଗୁଡ଼ିକୁ ଉଦ୍ଧୃତ କରି ମୋଜତାବାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଷୟରେ ଚିନ୍ତା ପ୍ରକାଶ କରିଥିଲା। ରିପୋର୍ଟରେ ଏକ ସୂତ୍ରକୁ ଉଦ୍ଧୃତ କରି କୁହାଯାଇଛି ଯେ, “ଯଦି ତାଙ୍କ ସହିଦ ହେବାର ଖବର ଶୀଘ୍ର ଆସେ ତେବେ ଆଶ୍ଚର୍ଯ୍ୟ ହେବାର ନାହିଁ।”
ଇରାନର ରାଷ୍ଟ୍ରପତି ମାସୁଦ ପେଜେସ୍କିଆନ ସରକାରୀ ଟିଭି ସହିତ ଏକ ସାକ୍ଷାତକାରରେ କହିଥିଲେ ଯେ ସର୍ବୋଚ୍ଚ ନେତାଙ୍କ ସହ ସିଧାସଳଖ ଯୋଗାଯୋଗ କ୍ରମଶଃ କଷ୍ଟକର ହୋଇପଡୁଛି, ସେ ସମୟରେ ଖାମେନିଙ୍କ ସ୍ୱାସ୍ଥ୍ୟାବସ୍ଥା ବିଷୟରେ କଳ୍ପନାଜଳ୍ପନା ଜୋର୍ ଚାଲିଥିଲା। ଇରାନ ନିରନ୍ତର ଭାବରେ କହିଛି ଯେ ସର୍ବୋଚ୍ଚ ନେତା ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଉପରେ ନଜର ରଖୁଛନ୍ତି ଏବଂ ଆବଶ୍ୟକୀୟ ନିର୍ଦ୍ଦେଶନାମା ଜାରି କରୁଛନ୍ତି।ଏହି ପରିପ୍ରେକ୍ଷୀରେ ଇରାନ ଗଣମାଧ୍ୟମ ଦ୍ୱାରା ଖାମେନିଙ୍କ ଏକ ଭିଡିଓ ପ୍ରକାଶକୁ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଉଛି।
