Latest Odisha News

BREAKING NEWS

ଟେଲିଭିଜନ୍ ଦୁନିଆରେ ଅଜୟ ଦେବଗନଙ୍କ ଏଣ୍ଟ୍ରି: ‘କ୍ରାଇମ୍ ପାଟ୍ରୋଲ୍’ର ନୂଆ ହୋଷ୍ଟ ସାଜିବେ ବଲିଉଡର ସିଙ୍ଘମ୍

ମୁମ୍ବାଇ: ବଲିଉଡର ଲୋକପ୍ରିୟ ଅଭିନେତା ଅଜୟ ଦେବଗନ ଏବେ ଟେଲିଭିଜନ ପରଦାରେ ଡେବ୍ୟୁ କରିବାକୁ ଯାଉଛନ୍ତି। ଦୀର୍ଘ ଦିନ ଧରି ଲୋକପ୍ରିୟତା ହାସଲ କରିଥିବା ସତ୍ୟ ଘଟଣା ଉପରେ ଆଧାରିତ କ୍ରାଇମ ସୋ’ ‘କ୍ରାଇମ ପାଟ୍ରୋଲ’ର ନୂଆ ହୋଷ୍ଟ ଭାବେ ତାଙ୍କୁ ଦେଖିବାକୁ ମିଳିବ। ଏହି ସୋ’ର ପୂର୍ବତନ ହୋଷ୍ଟ ଅନୁପ ସୋନିଙ୍କୁ ସେ ରିପ୍ଲେସ୍ କରିଛନ୍ତି। ଅଜୟ ଏହାର ନୂଆ ପ୍ରୋମୋ ସୁଟିଂ ଶେଷ କରିସାରିଛନ୍ତି ଏବଂ ଏହି ଭିଡିଓ ଇଣ୍ଟରନେଟରେ ବେଶ୍ ଭାଇରାଲ ହେବାରେ ଲାଗିଛି।

ନିକଟରେ ରିଲିଜ୍ ହୋଇଥିବା ପ୍ରୋମୋ ଭିଡିଓରେ ଅଜୟ ଦେବଗନ ଏକ ଗୁରୁତ୍ୱପୂର୍ଣ୍ଣ ବାର୍ତ୍ତା ଦେଇଛନ୍ତି। ସେ ଦର୍ଶକଙ୍କୁ ସତର୍କ କରାଇ କହିଛନ୍ତି ଯେ, ପିଲାଦିନେ ଆମକୁ ଅଜଣା ଲୋକଙ୍କଠାରୁ ସାବଧାନ ରହିବାକୁ ଶିକ୍ଷା ଦିଆଯାଉଥିଲା। କିନ୍ତୁ ବର୍ତ୍ତମାନ ସମୟରେ ଅଧିକାଂଶ ଅପରାଧ ନିଜର ପରିଚିତ ଲୋକଙ୍କ ଦ୍ୱାରା ହିଁ ଘଟୁଛି, ଯେଉଁମାନେ ଆପଣଙ୍କ ଘରର ଠିକଣା ଜାଣିଛନ୍ତି ଏବଂ ଆପଣଙ୍କ ସହ ଗୋଟିଏ ଟେବୁଲରେ ବସି ଖାଦ୍ୟ ଖାଉଛନ୍ତି। “ଏଥର କ୍ରାଇମ ପାଟ୍ରୋଲରେ ମୁଁ ଆପଣଙ୍କ ସାଥୀରେ ରହିବି” ବୋଲି ସେ ଦର୍ଶକଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି। ରିପୋର୍ଟ ଅନୁସାରେ, ଏହି ନୂଆ ସିଜିନ୍ ଅଗଷ୍ଟ ୩୧ ତାରିଖରୁ ସୋନି ଟିଭି ଏବଂ ସୋନି ଲିଭ୍‌ରେ ଟେଲିକାଷ୍ଟ ହେବାର ସମ୍ଭାବନା ରହିଛି।

ସୂଚନାଯୋଗ୍ୟ ଯେ, ବର୍ତ୍ତମାନ ସୁଦ୍ଧା ଅଜୟ ମୋଟ ୧୫ଟି ଏପିସୋଡର ସୁଟିଂ ସମ୍ପୂର୍ଣ୍ଣ କରିଛନ୍ତି। ଦର୍ଶକମାନେ ତାଙ୍କର ଏହି ନୂଆ ଅବତାରକୁ କିପରି ଗ୍ରହଣ କରୁଛନ୍ତି ଏବଂ ଶୋ’ର ଟିଆରପି କେତେ ଆସୁଛି, ତାହା ଉପରେ ଆଧାର କରି ସେ ପରବର୍ତ୍ତୀ ଏପିସୋଡ ଗୁଡିକ ପାଇଁ ସୁଟିଂ ଜାରି ରଖିବେ କି ନାହିଁ ନିଷ୍ପତ୍ତି ନିଆଯିବ ବୋଲି ସୂଚନା ରହିଛି । ଯଦିଓ ଦୀର୍ଘ ବର୍ଷ ଧରି ଅନୁପ ସୋନି ଏହି ସୋ’ର ମୁଖ୍ୟ ଆକର୍ଷଣ ରହିଆସିଥିଲେ, ତଥାପି ନିର୍ମାତାମାନେ ଏଥର କିଛି ନୂଆ ପ୍ରୟୋଗ କରିବାକୁ ଚାହୁଁଛନ୍ତି ।

ବଡ଼ ପରଦାରେ ‘ଗଙ୍ଗାଜଳ’, ‘ସିଙ୍ଘମ୍’ ଏବଂ ‘ଦୃଶ୍ୟମ୍’ ଭଳି ହିଟ୍ ଫିଲ୍ମରେ ପୋଲିସ ଏବଂ ଆଇନ ରକ୍ଷକ ଭୂମିକାରେ ଅଭିନୟ କରିଥିବା ଅଜୟଙ୍କୁ ଏବେ ଛୋଟ ପରଦାରେ ଦେଖିବାକୁ ଫ୍ୟାନ୍ସମାନେ ବେଶ୍ ଉତ୍ସାହିତ ଅଛନ୍ତି । ଏହା ବ୍ୟତୀତ, ନାମୀ ଅଭିନେତା ରାଜେଶ ତୈଲଙ୍ଗ ମଧ୍ୟ କିଛି ଏପିସୋଡ୍ ହୋଷ୍ଟ କରିପାରନ୍ତି ବୋଲି ଜଣାପଡିଛି

Leave A Reply

Your email address will not be published.