କୋଲକାତା: ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ଅଧିନାୟକ ତଥା ବିସିସିଆଇର ପୂର୍ବତନ ସଭାପତି ସୌରଭ ଗାଙ୍ଗୁଲି ଏବଂ ତାଙ୍କ ପତ୍ନୀ ଡୋନା ଗାଙ୍ଗୁଲିଙ୍କୁ ହତ୍ୟା ଧମକ ମିଳିଛି। ଏହି ଘଟଣା ସାମ୍ନାକୁ ଆସିବା ପରେ କୋଲକାତାରେ ଆଲୋଡ଼ନ ସୃଷ୍ଟି ହୋଇଛି ଏବଂ ଏହି ହାଇ-ପ୍ରୋଫାଇଲ୍ ପରିବାରର ସୁରକ୍ଷାକୁ ନେଇ ଗଭୀର ଚିନ୍ତା ପ୍ରକଟ କରାଯାଇଛି। ଘଟଣାକୁ ଅତ୍ୟନ୍ତ ଗମ୍ଭୀରତାର ସହ ନେଇ ଗାଙ୍ଗୁଲିଙ୍କ ବ୍ୟକ୍ତିଗତ ସହାୟକ କୋଲକାତାର ଠାକୁରପୁକୁର ଥାନାରେ ଏକ ଲିଖିତ ଅଭିଯୋଗ ଦାଏର କରିଛନ୍ତି।
ମିଳିଥିବା ସୂଚନା ଅନୁଯାୟୀ, ଗତ ପ୍ରାୟ ୬ ମାସ ଧରି ଗାଙ୍ଗୁଲିଙ୍କ ପରିବାରକୁ ଅଜ୍ଞାତ ବ୍ୟକ୍ତିଙ୍କଠାରୁ ଏଭଳି ଆପତ୍ତିଜନକ ଚିଠି ଆସୁଥିଲା। ପ୍ରଥମେ ଏହାକୁ କୌଣସି ଅସନ୍ତୁଷ୍ଟ ପ୍ରଶଂସକ ବା ଖଳ ପ୍ରକୃତିର ବ୍ୟକ୍ତିଙ୍କ କାମ ଭାବି ପରିବାର ଲୋକେ ବିଶେଷ ଗୁରୁତ୍ୱ ଦେଇନଥିଲେ। ମାତ୍ର ସୋମବାର ଦିନ ବେଙ୍ଗଲ କ୍ରିକେଟ୍ ଆସୋସିଏସନ କାର୍ଯ୍ୟାଳୟରେ ଖୋଲାଯାଇଥିବା ଦୁଇଟି ନୂଆ ଚିଠିରେ ସୌରଭ, ଡୋନା ଏବଂ ତାଙ୍କ ଷ୍ଟାଫ୍ମାନଙ୍କୁ ସିଧାସଳଖ ହତ୍ୟା କରିବା ପାଇଁ ଇଂରାଜୀ ଭାଷାରେ ଲେଖାଥିବା ଏକ ଧମକ ଆସିଛି । ଚିଠିର ଭାଷା ଅତ୍ୟନ୍ତ ଆକ୍ରମଣାତ୍ମକ ହୋଇଥିବାରୁ ପରିବାର ବାଧ୍ୟ ହୋଇ ପୋଲିସର ଦ୍ୱାରସ୍ଥ ହୋଇଛନ୍ତି ଓ ସୁରକ୍ଷା ଦାବି କରିଛନ୍ତି ।
ପୋଲିସର ପ୍ରାଥମିକ ତଦନ୍ତରୁ ଜଣାପଡିଛି ଯେ, ଏହି ଧମକପୂର୍ଣ୍ଣ ଚିଠିଗୁଡ଼ିକ କୋରିୟର ମାଧ୍ୟମରେ ଗାଙ୍ଗୁଲିଙ୍କ ବାସଭବନକୁ ପଠାଯାଇଥିଲା। ପ୍ୟାକେଟ୍ ଉପରେ ପ୍ରେରକଙ୍କ ନାମ ‘ଅରୁଣ କୁମାର’ ଏବଂ ଠିକଣା ବେଲଘରିଆ ବୋଲି ଉଲ୍ଲେଖ ରହିଛି । ଏହା ସହିତ ଚିଠିରେ ଥିବା ଏକ ଫୋନ୍ ନମ୍ବରକୁ ଟ୍ରାକ୍ କରିବାରୁ ‘ଟ୍ରୁ-କଲର୍’ରେ ମଧ୍ୟ ସମାନ ନାମ ଦେଖାଉଥିବା ତଦନ୍ତକାରୀ ଦଳ ଜାଣିବାକୁ ପାଇଛନ୍ତି। ତେବେ ପ୍ରକୃତରେ ଅରୁଣ କୁମାର ନାମକ ବ୍ୟକ୍ତି ଏହି ଚିଠି ପଠାଇଛନ୍ତି ନା ଅନ୍ୟ କେହି ତାଙ୍କ ନାମର ଦୁରୁପଯୋଗ କରି ଗାଙ୍ଗୁଲିଙ୍କୁ ଟାର୍ଗେଟ୍ କରୁଛନ୍ତି, ସେ ନେଇ ପୋଲିସ ଖୋଳତାଡ଼ ଜାରି ରଖିଛି ।
ଅଭିଯୋଗ ପାଇବା କ୍ଷଣି କୋଲକାତା ପୋଲିସ ତୁରନ୍ତ ତଦନ୍ତ ଆରମ୍ଭ କରିଛି । ସୌରଭ ଗାଙ୍ଗୁଲିଙ୍କ ଲୋକପ୍ରିୟତା ତଥା ପରିଚୟକୁ ଦୃଷ୍ଟିରେ ରଖି ପଶ୍ଚିମବଙ୍ଗ ରାଜ୍ୟ ସରକାରଙ୍କ ସୁରକ୍ଷା ବିଭାଗକୁ ମଧ୍ୟ ସମ୍ପୂର୍ଣ୍ଣ ଆଲର୍ଟ କରାଯାଇଛି। ଆଗାମୀ ଦିନରେ ଆବଶ୍ୟକ ପଡ଼ିଲେ ଗାଙ୍ଗୁଲି ପରିବାରର ସୁରକ୍ଷା ବ୍ୟବସ୍ଥାକୁ ଆହୁରି କଡ଼ାକଡ଼ି କରାଯିବ ବୋଲି ପୋଲିସ ପ୍ରଶାସନ ତରଫରୁ ପ୍ରତିଶ୍ରୁତି ଦିଆଯାଇଛି।


Comments are closed.