ଭୁବନେଶ୍ୱର: ରାଜ୍ୟ ପୋଲିସ ପ୍ରଶାସନ କ୍ଷେତ୍ରରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ସ୍ୱରୂପ ଓଡ଼ିଶା କ୍ୟାଡରର ଦୁଇ ଜଣ ବରିଷ୍ଠ ଆଇପିଏସ୍ ଅଧିକାରୀଙ୍କୁ ପଦୋନ୍ନତି ମିଳିଛି। ୧୯୯୪ ବ୍ୟାଚ୍ର ଦକ୍ଷ ଆଇପିଏସ୍ ଅଧିକାରୀ ସଞ୍ଜୀବ ପଣ୍ଡା ଏବଂ ଯଶୱନ୍ତ କୁମାର ଜେଠୱାଙ୍କୁ ଅତିରିକ୍ତ ପୋଲିସ ମହାନିର୍ଦ୍ଦେଶକ ପାହ୍ୟାରୁ ପୋଲିସ ମହାନିର୍ଦ୍ଦେଶକ ପାହ୍ୟାକୁ ଉନ୍ନୀତ କରାଯାଇଛି। ସୋମବାର ଦିନ ରାଜ୍ୟ ସରକାରଙ୍କ ଏହି ପଦୋନ୍ନତି ପ୍ରସ୍ତାବ ଉପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବିଧିବଦ୍ଧ ଭାବେ ମୋହର ମାରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଏକ ବିବୃତ୍ତି ଜାରି କରାଯାଇ ଏହି ସୂଚନା ପ୍ରଦାନ କରାଯାଇଛି।
ରାଜ୍ୟର ବର୍ତ୍ତମାନର ପୋଲିସ ମହାନିର୍ଦ୍ଦେଶକ ୱାଇ.ବି ଖୁରାନିଆଙ୍କ କାର୍ଯ୍ୟକାଳ ଆସନ୍ତା ଅଗଷ୍ଟ ୧୬ ତାରିଖରେ ଶେଷ ହେବାକୁ ଯାଉଛି। ତାଙ୍କ ଅବସର ଗ୍ରହଣ କରିବା ପୂର୍ବରୁ ଏବଂ ନୂଆ ଡିଜିପି ଚୟନ ନେଇ ରାଜ୍ୟରେ ତୀବ୍ର ଚର୍ଚ୍ଚା ଲାଗି ରହିଥିବା ବେଳେ ଏହି ପଦୋନ୍ନତି ପ୍ରକ୍ରିୟା ବେଶ୍ ତାତ୍ପର୍ଯ୍ୟପୂର୍ଣ୍ଣ ମନେ କରାଯାଉଛି। ବିଭାଗୀୟ ପଦୋନ୍ନତି କମିଟି ପୂର୍ବରୁ ହିଁ ଏହି ଦୁଇ ବରିଷ୍ଠ ଅଧିକାରୀଙ୍କ ନାମକୁ ଡିଜି ପାହ୍ୟା ପାଇଁ ସୁପାରିଶ କରିଥିଲେ। ସୂଚନାଯୋଗ୍ୟ ଯେ, ବର୍ତ୍ତମାନ ଯଶୱନ୍ତ କୁମାର ଜେଠୱା ରାଜ୍ୟ ଭିଜିଲାନ୍ସ ନିର୍ଦ୍ଦେଶକ ଭାବେ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ତୁଲାଉଥିବା ବେଳେ ସଂଜୀବ ପଣ୍ଡା ମଧ୍ୟ ପୋଲିସ ବିଭାଗର ଅନେକ ପ୍ରମୁଖ ପଦବୀରେ ସଫଳତାର ସହ କାର୍ଯ୍ୟ କରି ନିଜର ଦକ୍ଷତା ପ୍ରତିପାଦନ କରିଛନ୍ତି।
ଓଡ଼ିଶାର ପରବର୍ତ୍ତୀ ଡିଜିପି କିଏ ହେବେ ସେ ନେଇ ଏବେ ସସ୍ପେନ୍ସ ଜାରି ରହିଛି। ନୂତନ ଡିଜିପି ଦୌଡ଼ରେ ଏବେ ଡିଜି ପାହ୍ୟାକୁ ଉନ୍ନୀତ ହୋଇଥିବା ସଞ୍ଜୀବ ପଣ୍ଡାଙ୍କ ନାମ ସବୁଠାରୁ ଆଗରେ ରହିଥିବା ଚର୍ଚ୍ଚା ହେଉଛି। ତେବେ ତାଙ୍କ ସମେତ ୧୯୯୦ ବ୍ୟାଚ୍ର ବରିଷ୍ଠ ଆଇପିଏସ୍ ତଥା ବର୍ତ୍ତମାନର ଅଗ୍ନିଶମ ସେବା ଡିଜି ସୁଧାଂଶୁ ଷଡ଼ଙ୍ଗୀ ଏବଂ ୧୯୯୩ ବ୍ୟାଚ୍ର ଗୁଇନ୍ଦା ନିର୍ଦ୍ଦେଶକ ଆର.ପି କୋଚେ ମଧ୍ୟ ଏହି ରେସ୍ରେ ପ୍ରମୁଖ ଦାବିଦାର ଅଛନ୍ତି ।
ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ ପରେ ଏବେ ଉଭୟ ସଞ୍ଜୀବ ପଣ୍ଡା ଏବଂ ଯଶୱନ୍ତ ଜେଠୱା ଆନୁଷ୍ଠାନିକ ଭାବେ ଡିଜି ରାଙ୍କରେ ଦାୟିତ୍ୱ ନିର୍ବାହ କରିବେ ।
